www.samajalive.in
Thursday, December 11, 2025
27.1 C
Bhubaneswar

ଗାଭାସ୍କରଙ୍କ ପ୍ରଶ୍ନ : ପୂଜାରା ବଳି ପଡ଼ିଲେ କାହିଁକି?

ମୁମ୍ବଇ: ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଘୋଷିତ ଭାରତୀୟ ଟେଷ୍ଟ ଦଳରୁ ବାଦ୍‌ ପଡ଼ିଛନ୍ତି ବରିଷ୍ଠ ବ୍ୟାଟ୍‌ସମ୍ୟାନ ଚେତେଶ୍ବର ପୂଜାରା। କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ସୁନୀଲ ଗାଭାସ୍କର କହିଛନ୍ତି ଯେ କେବଳ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲରେ ବିଫଳତା ପାଇଁ ପୂଜାରାଙ୍କୁ ବାଦ୍‌ଦେବା ତାଙ୍କ ପ୍ରତି ବହୁତ ଅନ୍ୟାୟ ହୋଇଛି। ଗାଭାସ୍କର କହିଛନ୍ତି, ପୂଜାରାଙ୍କୁ କାହିଁକି ବାଦ୍‌ ଦିଆଗଲା? ଦଳର ବ୍ୟାଟିଂ ବିଫଳତା ପାଇଁ କେବଳ ପୂଜାରାଙ୍କୁ କାହିଁକି ବଳି ଦିଆଗଲା? ଭାରତୀୟ କ୍ରିକେଟ୍‌ର ସେ ଜଣେ ବିଶ୍ବସ୍ତ ସେବକ। ବିଶ୍ବସ୍ତ ହେବା ସହ ପୂଜାରା ଚୁପ୍‌ଚାପ୍‌ ତାଙ୍କ କାମ କରିଥାଆନ୍ତି। ପୂଜାରାଙ୍କର ସାମାଜିକ ଗଣମାଧ୍ୟମରେ ଲକ୍ଷଲକ୍ଷ ପ୍ରଶଂସକ ନାହାନ୍ତି; ଯିଏ ତାଙ୍କ ପାଇଁ ହୋହଲ୍ଲା କରିଥାନ୍ତେ। ବୋଧହୁଏ ଏଥିପାଇଁ ପୂଜାରାଙ୍କୁ ବଳି ଦିଆଗଲା।

ଗାଭାସ୍କର ଆହୁରି ପ୍ରଶ୍ନ କରିଛନ୍ତି, ଚେତେଶ୍ବର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ୍‌ଦେବା ଅଭାବନୀୟ। ପୂଜାରାଙ୍କୁ ବାଦ୍‌ଦେବା ଓ ବିଫଳ ହୋଇଥିବା ଅନ୍ୟ ଖେଳାଳିଙ୍କୁ ଦଳରେ ରଖିବାର ମାନଦଣ୍ଡ କ’ଣ? ମୁଁ ତ ନିଜେ ଏହା ଜାଣି ପାରୁନାହିଁ। କାରଣ ଏବେ ଭାରତୀୟ ଦଳର ଘୋଷଣା ପରେ ମନୋନୟନ କମିଟିର ଅଧ୍ୟକ୍ଷ ଗଣମାଧ୍ୟମ ସହ ବାର୍ତ୍ତାଳାପ କରୁନାହାନ୍ତି। କେବଳ ତାଙ୍କ ବୟସ (୩୫ ବର୍ଷ)କୁ ଦେଖି ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ୍‌ଦେବା ବେଶ୍‌ ଅନ୍ୟାୟ। ଗାଭାସ୍କର କହିଛନ୍ତି, ପୂଜାରା କାଉଣ୍ଟି କ୍ରିକେଟ ଖେଳୁଥିଲେ। ଅନ୍ୟମାନେ ଆଇପିଏଲ୍‌ ଖେଳୁଥିବା ବେଳେ ପୂଜାରା ଲାଲ୍‌ ବଲ୍‌ କ୍ରିକେଟ ଖେଳୁଥିଲେ ଏବଂ ଟେଷ୍ଟ କ୍ରିକେଟ୍‌ରେ କିପରି ବ୍ୟାଟିଂ କରିବାକୁ ପଡ଼ିଥାଏ; ତାହା ସେ ଭଲଭାବେ ଜାଣିଥିଲେ। ରନ୍‌ କରୁଥିବା ପର୍ଯ୍ୟନ୍ତ ଏବେ କ୍ରିକେଟର ୩୯-୪୦ ବର୍ଷ ହେବା ଯାଏଁ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳୁଛନ୍ତି। ତେଣୁ ପୂଜାରାଙ୍କୁ ବାଦ୍‌ଦେବା ପାଇଁ ତାଙ୍କ ବୟସ କଦାପି ଏକ କାରଣ ନୁହେଁ। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲରେ ଅଜିଙ୍କ୍ୟ ରାହାଣେଙ୍କୁ ଛାଡ଼ି ଅନ୍ୟ ସମସ୍ତ ବ୍ୟାଟ୍‌ସମ୍ୟାନ୍ ବିଫଳ ହୋଇଥିଲେ। ତେଣୁ ପୂଜାରାଙ୍କୁ କେବଳ କାହିଁକି ବାଦ୍‌ ଦିଆଗଲା; ତା’ର ଜାବାବ ମନୋନୟନ କମିଟିକୁ ଦେବାକୁ ପଡ଼ିବ। ପୁଣି ରଣଜୀ ଟ୍ରଫିରେ ଲାଲ୍‌ ବଲ୍‌ରେ ୪ ଦିନିଆ ମ୍ୟାଚ୍‌ ଖେଳୁଥିବା ଖେଳାଳିଙ୍କ ବଦଳରେ ଆଇପିଏଲ୍‌ ପ୍ରଦର୍ଶନ ଭିତ୍ତିରେ ଭାରତୀୟ ଟେଷ୍ଟ ଦଳ ମନୋନୟନ ନେଇ ମଧ୍ୟ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ମୁମ୍ବଇର ସର୍ଫରାଜ ଖାଁ ଗତ ୩ଟି ରଣଜୀ ଋତୁ ହେଲା ୧୦୦ ଆଭ୍‌ରେଜରେ ରନ୍ କରୁଛନ୍ତି। ତେଣୁ ଟେଷ୍ଟ ଦଳରେ ସ୍ଥାନପାଇବା ଲାଗି ସର୍ଫରାଜଙ୍କୁ ଆହୁରି ଅଧିକ କ’ଣ କରିବାକୁ ପଡ଼ିବ? ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ଖେଳାଇନପାର; ୧୬ ଜଣିଆ ଦଳରେ ସ୍ଥାନ ପାଇବାକୁ ତ ସର୍ଫରାଜ ଯୋଗ୍ୟ। ସର୍ଫରାଜଙ୍କୁ ମନୋନୟନକାରୀ ଏହି ବାର୍ତ୍ତା ଦେବା ଉଚିତ ଯେ ଘରୋଇ କ୍ରିକେଟ୍‌ର ପ୍ରଦର୍ଶନକୁ ମଧ୍ୟ ମାନ୍ୟତା ମିଳୁଛି। ଅନ୍ୟଥା ତୁମେ ରଣଜୀ ଟ୍ରଫି ଖେଳିବା ଆବଶ୍ୟକ ନାହିଁ। ତାଙ୍କୁ କୁହ ଯେ ରଣଜୀ ଟ୍ରଫିର ରନ୍‌ ଅନାବଶ୍ୟକ। ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇବାକୁ ହେଲେ ଆଇପିଏଲ୍‌ରେ ରନ୍ କରିବାକୁ ପଡ଼ିବ। ଗତ ରଣଜୀ ଋତୁରେ ସର୍ଫରାଜ ୬ଟି ମ୍ୟାଚ୍‌ରୁ ୩ଟି ଶତକ ସହ ୯୨.୬୬ ଆଭ୍‌ରେଜ୍‌ରେ ୫୫୬ ରନ୍‌ କରିଛନ୍ତି। ୨୦୨୧-୨୨ ରଣଜୀ ଋତୁରେ ସର୍ଫରାଜ ୪ଟି ଶତକ ସହ ୧୨୨.୭୫ ଆଭ୍‌ରେଜ୍‌ରେ ୯୮୨ ରନ୍‌ କରିଛନ୍ତି। ମାତ୍ର ୩୭ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ରୁ ସର୍ଫରାଜ ୧୩ଟି ଶତକ ମାରି ସାରିଲେଣି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories