ବଡ଼ଦାଣ୍ଡରେ ବଡ଼ଠାକୁର

ପହଞ୍ଚିଲା ତାଳଧ୍ବଜ, ବାଟରେ ସୁଭଦ୍ରା ଓ କାଳିଆ ସାଆନ୍ତ

ଭକ୍ତ-ଭଗବାନଙ୍କ ମହାମିଳନ, ୧୦ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

prayash

ପୁରୀ : ଶ୍ରୀକ୍ଷେତ୍ରର ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ହୋଇଛି ମହାମିଳନ। ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ବଳିଆର ଭୁଜ; କାଳିଆ ସାଆନ୍ତଙ୍କୁ ଦେଖି ଭକ୍ତ ଯେତିକି ଭାବ ବିହ୍ୱଳ, ତିନି ଠାକୁର ମଧ୍ୟ ସେତିକି ଆନନ୍ଦିତ ଥିବା ମନେ ହେଉଥିଲା। ଚକ୍ରରାଜ ସୁଦର୍ଶନ, ବଡବାଡ ସାଆନ୍ତ ବଳଭଦ୍ର, ମହାମାୟା ସୁଭଦ୍ରା ଓ ଶ୍ରୀ କ୍ଷେତ୍ର ମଉଡମଣି ପ୍ରଭୁ ଜଗନ୍ନାଥ ମନ୍ଦିରରୁ ବାହାରକୁ ଆସି ଦର୍ଶନ ଦେଇଛନ୍ତି। ଏମିତି ତ ଶ୍ରୀକ୍ଷେତ୍ରରେ ବରଷକ ବାର ମାସ ଭିଡ଼ ଲାଗି ରହେ; କିନ୍ତୁ ସ୍ନାନପୂର୍ଣ୍ଣିମାଠାରୁ ଶ୍ରୀଜୀଉମାନଙ୍କ ଉତ୍ତରାୟଣୀ ଓ ଦକ୍ଷିଣାୟନ ଯାତ୍ରା ପ୍ରଥାର ପରମ୍ପରା ଓ ନୀତିକାନ୍ତି ନିଆରା। ଦେଶ ବିଦେଶର ଶ୍ରଦ୍ଧାଳୁ ପୁରୀରେ ଏକାଠିି। ମଙ୍ଗଳବାର ଶ୍ରୀଜୀଉମାନଙ୍କ ଉତ୍ତରାୟଣୀ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। ବଡଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଘୋଷଯାତ୍ରା କରିଛନ୍ତି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ। ରାତି ୭ଟା ୩୦ ପର୍ଯ୍ୟନ୍ତ ରଥଟଣା ହୋଇଥିଲା। ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ସମ୍ମୁୁଖରେ ପହଞ୍ଚିଛି। ସେଠାରୁ ଅଳ୍ପ ଦୂରରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକିଛି।
ସେହିପରି ବଳଗଣ୍ଡିଛକ ନିକଟରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଅଟକିଛି। ବୁଧବାର ସକାଳ ୯.୩୦ ପରେ ଏହି ରଥ ଦୁଇଟିକୁ ଟଣାଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ନିଆଯିବ। ସନ୍ଧ୍ୟାରେ ମହାପ୍ରଭୁ ଆଡ଼ପ ବିଜେ କରିବେ।
ସମଗ୍ର ପୁରୀ ସହର ଭକ୍ତମୟ ହୋଇଛି। ଜୟ ଜଗନ୍ନାଥ, ଶଙ୍ଖ, ହୁଳହୁଳି ଓ ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ। ମଙ୍ଗଳବାର ପ୍ରତ୍ୟୁଷରୁ ବଡଦାଣ୍ଡ ହୋଇଥିଲା ଲୋକାରଣ୍ୟ। ଜୀଉମାନଙ୍କ ମନ୍ଦିର ଭିତର ନୀତିକାନ୍ତି ପରେ ଦେଉଳ ପୁରୋହିମାନେ ରଥ ପ୍ରତିଷ୍ଠା କରିଥିଲେ। ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ। ପହଣ୍ଡି କରି ଠାକୁରମାନଙ୍କୁ ରଥ ଉପରକୁ ନିଆଯାଇଥିଲା। ପ୍ରବଳ ଉତ୍କଣ୍ଠାର ସହ ଲୋକେ ରଥ ଟାଣିଥିଲେ। ଏପଟେ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପ୍ରବଳ ଖରା ଏବଂ ଗୁଳୁଗୁଳି ସତ୍ତ୍ୱେ ରଥଯାତ୍ରା ଦେଖିବାକୁ ପୁରୀରେ ପ୍ରାୟ ୧୦ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟରେ ଶ୍ରୀ ଜୀଉମାନଙ୍କ ପହଣ୍ଡି ବିଜେ ନୀତି ଓ ରଥାରୂଢ଼ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆଷାଢମାସ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ନବଦିନ ବ୍ୟାପୀ ଘୋଷଯାତ୍ରା କରିବା ବିଧି ରହିଛି। ମଙ୍ଗଳବାର ସକାଳ ୫ଟା ୫୦ରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି କରାଯାଇଥିଲା। ସକାଳ ଧୂପରେ ପ୍ରଭୁଙ୍କୁ ଖେଚୁଡି ଭୋଗ କରାଯାଇଥିଲା। ୮ଟା ୫ରେ ରଥ ପ୍ରତିଷ୍ଠା କରାଯିବା ସହ ମଙ୍ଗଳାର୍ପଣ ହୋଇଥିଲା। ପୁଷ୍ପାଞ୍ଜଳି ଓ ଡୋର ଲାଗି ପରେ ସକାଳ ୮ଟା ୩୦ରେ ଅର୍ଥାତ୍‌ ପୂର୍ବ ନିର୍ଦ୍ଧାରିତ ସମୟର ୧ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ଝୁଲି ଝୁଲି ଭକ୍ତ ଓ ସେବକଙ୍କ ମେଳରେ ରଥରେ ବିଜେ କରିଥିଲେ। ବୀରକାହାଳୀ, ପଖଉଜ ଏବଂ ମିଳିତ ଘଣ୍ଟ ବାଦ୍ୟରେ ମୁଖରିତ ହୋଇଥିଲା ଶ୍ରୀମନ୍ଦିର। ଦିନ ୧୨ଟା ୫ରେ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଶେଷ ହୋଇଥିଲା। ଏହାପରେ ମଦନମୋହନ ଓ ରାମକୃଷ୍ଣ ରଥ ଉପରେ ବିଜେ କରିଥିଲେ। ଶ୍ରୀଜୀଉଙ୍କ ଶ୍ରୀମସ୍ତକରେ ଚିତା ଲାଗି କରାଯାଇଥିଲା। ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହଦେବ ସୁଦୃଶ୍ୟ ମେହେନାରେ ବସି ଶ୍ରୀନଅରରୁ ରଥ ନିକଟକୁ ବିଜେ କରିଥିଲେ। ତିନିରଥ ଉପରେ ସେ ଛେରାପହଁରା କରିବା ସହ ପ୍ରଭୁଙ୍କୁ କର୍ପୂର ଆଳତି କରିଥିଲେ। ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ଛେରା ପହଁରା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡା ଯୋଚା ଯାଇଥିଲା।
ଅପରାହ୍ଣ ୩ଟା ୫ରେ ପ୍ରଥମେ ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ଏହାପରେ ଶ୍ରଦ୍ଧାଳୁ ମାନେ ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ଏବଂ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣିଥିଲେ। ସନ୍ଧ୍ୟା ସୁଦ୍ଧା ୩ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଶୃଙ୍ଖଳିତ ଓ ସମୟାନୁବର୍ତ୍ତି ହୋଇଥିବାରୁ ରାଜ୍ୟ ସରକାର ଆଶ୍ୱସ୍ତ ହୋଇଛନ୍ତି। ଭକ୍ତଙ୍କ ଧନଜୀବନର ସୁରକ୍ଷା ପାଇଁ ସମଗ୍ର ପୁରୀ ସହର ପୁଲିସ ଛାଉଣୀରେ ପରିଣତ ହୋଇଯାଇଛି । ୧୭୦ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ରାପିଡ ଆକ୍ସନ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଆତଙ୍କବାଦ ନିରୋଧ ବାହିନୀ, ଏନ୍‍ଡିଆରଏଫ୍‍, ଓଡ୍ରାଫ୍‍, ଅଗ୍ନିଶମ ବାହିନୀ ରଥଯାତ୍ରାରେ ନିୟୋଜିତ ହୋଇଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡଃ ଏସ୍‍. ମୁରଲିଧର, କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପୁରୀ ଆସି ମହାପ୍ରଭୁଙ୍କ ରଥଯାତ୍ରା ଦେଖିଛନ୍ତି। ପରମ୍ପରା ଅନୁଯାୟୀ ରଥ ଉପରେ ଠାକୁରଙ୍କ ନୀତିକାନ୍ତି ଅନୁଷ୍ଠିତ ହେଉଛି।

Comments are closed.