ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପରିବେଶ; ନିଆଁରେ ଘିଅ ଢାଳୁଛି ବେଆଇନ ଇଟାଭାଟିର ଝାସ
ରେଙ୍ଗାଲି: ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଏବଂ ସରକାରୀ ନିୟମ କାନୁନକୁ ଖାତିର ନକରି ରେଙ୍ଗାଲି ତହସିଲ ଅଞ୍ଚଳରେ ଯିଏ ଯେଉଁଠି ପାରିଲା ଇଟାଭାଟି ସ୍ଥାପନ କରି ବ୍ୟବସାୟିକ ଭିତ୍ତିରେ ଇଟା ପ୍ରସ୍ତୁତ କରୁଛନ୍ତି। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଅଙ୍କୁଶ ଲଗାଉ ନଥିବା ଦେଖିବାକୁ ମିଳୁଛି। ଗୋଟିଏ ପଟେ ରଡ ନିଆଁ ଭଳି ତାତିରେ ଖଇ ଫୁଟିଯିବା ଭଳି ଅବସ୍ଥା ଯୋଗୁ ଜୀବଜଗତ ତ୍ରାହିତ୍ରାହି ଡାକ ଛାଡୁଥିବା ବେଳେ ଇଟାଭାଟିର ଝାସ ନିଆଁରେ ଘିଅ ଢାଳିଲା ଭଳି ଜନଜୀବନକୁ ଆହୁରି ଦୁର୍ବିିସହ କରିଦେଉଛି।
ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ମାଟି ତିଅରି ଇଟା ଭାଟିକୁ ସମ୍ପୂର୍ଣ୍ଣ ନିଷେଧ ବୋଲି ନିର୍ଦ୍ଦେଶ ଦେବା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିଜ୍ଞପ୍ତି ସଂଖ୍ୟା ଇଏନ୍ଭି/୧/୧୯/୨୦୧୪(ପିଟି) ୧୩୭୫/ଏଫ୍ଓଇ ତା.୧/୧/୨୦୧୬ ମାଧ୍ୟମରେ ରାଜ୍ୟରେ ମାଟି ତିିଆରି ଇଟା ଭାଟି ଉପରେ ନିଷେଧାଦେଶ ଜାରି କରାଯାଇଛିି। କେବଳ ଫ୍ଲାଇ ଆସ୍ରେ ଇଟା ନିର୍ମାଣକୁ ବୈଧ ବୋଲି ଟ୍ରିବ୍ୟୁନାଲ୍ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା ସରକାର ଘୋଷଣା କରିଛନ୍ତି। ଇଟାର ଚାହିଦା ମେଣ୍ଟାଇବା ପାଇଁ ଫ୍ଲାଇ ଆସ୍ରେ ଇଟା ନିର୍ମାଣକୁ ସରକାର ପ୍ରୋତ୍ସାହନ ଦେବାକୁ ସବୁଜ ସଙ୍କେତ ଦେଇଛନ୍ତି। ଏହା ପୂର୍ବରୁ ଜନବସତିରୁ ୧ କିଲୋମିଟର ଏବଂ ସର୍ବସାଧାରଣ ଯାତାୟତ କରୁଥିବା ରାସ୍ତାର ୫ ଶହ ମିଟର ମଧ୍ୟରେ ଇଟାଭାଟି ସ୍ଥାପନ ଉପରେ ସରକାର କଟକଣା ଜାରି କରି ଆଇନ ପ୍ରଣୟନ କରିଛନ୍ତି। କିନ୍ତୁ ରେଙ୍ଗାଲି ଅଞ୍ଚଳରେ ଏସବୁ ଆଇନ କାନୁନ୍ ଏବଂ ଗ୍ରୀନ ଟ୍ରିବ୍ୟୁନାଲ୍ ତଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଦେଶନାମାକୁ ଆଖିଠାର ମାରି ଜନବସତି ପାଖରେ ବଙ୍ଗଳା ଇଟାଭାଟି ଏବଂ ଅସ୍ଥାୟୀ ଚିମିନି ଥିବା ଇଟାଭାଟି ସ୍ଥାପନ କରି ବେପାର ଚାଲିଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଦୃଷ୍ଟିଗୋଚର ହେଉନାହିଁ। ଜିଲାସ୍ତରରେ ଥିବା ଅଧିକାରୀ ଏବଂ ରାଜସ୍ୱ ବିଭାଗର କର୍ମଚାରୀଙ୍କ ସହିତ ସଲାସୁତୁରା କରି ବେଧଡକ ଏଭଳି ଇଟାଭାଟି କାରବାର ଚାଲିଥିବା ଅଭିଯୋଗ ହେଉଛି। ରୟାଲଟି ଏବଂ ଜୋରିମାନା ଆଦାୟ କ୍ଷେତ୍ରରେ ମଧ୍ୟ ବ୍ୟାପକ ଚଞ୍ଚକତା କରି ଲକ୍ଷରୁ କୋଟି ସଂଖ୍ୟାରେ ଇଟାପ୍ରସ୍ତୁତ କରୁଥିବା ବ୍ୟବସାୟୀମାନଙ୍କ ସେହି ଅନୁପାତରେ ଜୋରିମାନା ରୟାଲଟି ଆଦାୟ କରାଯାଉନାହିଁ। ହାତଗୁଞ୍ଜା ନେଇ କମ୍ ଇଟା ପ୍ରସ୍ତୁତ ହେଉଛି ବୋଲି ଦର୍ଶାଇ କମ୍ ଜୋରିମାନା ଆଦାୟ ହେଉଥିବା ଅଭିଯୋଗ ହେଉଛି, ଯାହାକି ତଦନ୍ତ ସାପେକ୍ଷ।
ମାଟିରେ ଇଟା ତିଆରିକୁ ନିଷେଧ କରାଯାଇଥିବା ସତ୍ତ୍ବେ ବିନା ଅନୁମତିରେ ଚାଲିଥିବା ଇଟାଭାଟିରୁ ଧର୍ମକୁ ଆଖିଠାର ମାରିଲା ଭଳି ଜୋରିମାନା ଅସୁଲ କରି ସିଂହଭାଗ ବାଟମାରଣା ହେଉଥିବା ଚର୍ଚ୍ଚା ହେଉଛି। ଏହାଦ୍ୱାରା ଅସାଧୁ କର୍ମଚାରୀମାନେ ହାତ ଚିକ୍କଣ କରି ନିଜ ପକେଟ ଗରମ କରୁଥିବା ବେଳେ ସରାକରଙ୍କ ରାଜସ୍ୱ ହାନି ହେଉଛି। ଇଟାଭାଟି ପାଇଁ ରହିଥିବା ସରକାରୀ ଆଇନ ଠିକ୍ ଭାବରେ କାର୍ଯ୍ୟକାରୀ ହେଉ ନଥିବାରୁ ନଦୀ କୂଳ, ଗ୍ରାମ୍ୟ ଜଙ୍ଗଲ, ପତ୍ରାଜଙ୍ଗଲ ଥିବା ଜମିରେ ଇଟାଭାଟି ବେଧଡକରେ ଚାଲିଥିବାର ନଜିର ଦେଖିବାକୁ ମିଳୁଛି। ରୟିତି ଜମିରେ ଗଛଟିଏ ଥିଲେ କାଟିବାକୁ ଅନୁମତି ଦରକାର ପଡୁଥିବା ବେଳେ ବଡ ବଡ ଗଛ ଏବଂ ବୁଦା କାଟି ଅବାଧରେ ଇଟାଭାଟି ସ୍ଥାପନ ହେଉଥିବା ଚରମ ବିଡ଼ମ୍ବନାର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହାଦ୍ୱରା ବ୍ୟାପକ ଜଙ୍ଗଳକ୍ଷୟ ହୋଇ ପରେବେଶ ସନ୍ତୁଳନ ବିପର୍ଯ୍ୟସ୍ତ ହେବା ସହିତ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଉଛି। ଏହା ବ୍ୟତୀତ ରେଙ୍ଗାଲି ଅଞ୍ଚଳର ଜନସାଧାରଣଙ୍କ ଜୀବନରେଖା ରୂପେ ବିବେଚିତ ହେଉଥିବା ଭେଡେନ ନଦୀ ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଅବିଚାରିତ ଭାବରେ ଇଟାଭାଟି ସ୍ଥାପନ ହୋଇଥିବା ଦେଖିବାକୁ ମିଳୁଛି। ଯାହାକି ନଦୀର ଅସ୍ତିତ୍ୱ ପ୍ରତି ବିପଦ ବୋଲି ପରିବେଶବିତ୍ ମହଲରେ ଆଶଙ୍କା ପ୍ରକାଶ ପାଉଛି। ଏହାଦ୍ୱାରା ବ୍ୟାପକ ଜଙ୍ଗଲକ୍ଷୟ, ମୃତ୍ତିକାକ୍ଷୟ, ପରିବେଶ ପ୍ରଦୂଷଣ ଏବଂ ଉତ୍ତାପ ବୃଦ୍ଧି ଭଳି ଭୟଙ୍କର ସମସ୍ୟା ଦେଖାଦେଇ ପରିବେଶ ସନ୍ତୁଳନ ବିପର୍ଯ୍ୟସ୍ତ ହେଉଥିଲେ ମଧ୍ୟ ଅସାଧୁ କର୍ମଚାରୀ ଏବଂ ବେପାରୀଙ୍କ ଲାଭ ଓ ଲୋଭ ଆଗରେ ଏଭଳି ଗୁରୁତର ସମସ୍ୟା ମୂଲ୍ୟହୀନ ହେଲା ଭଲି ମନେ ହେଉଛି। ଖାଲି ସେତିକି ନୁହେଁ ଅନେକ ଇଟାଭାଟିରେ ଶ୍ରମ ଆଇନର ଖୋଲା ଉଲ୍ଲଂଘନ କରାଯାଇ ଶିଶୁ ଶ୍ରମିକ ନିୟୋଜିତ ହେଉଥିବା ବେଳେ ଲେବର ମାଇଗ୍ରେସନ୍ ଆକ୍ଟକୁ ଆଖିଠାର ମାରି ଜିଲା ବାହାରୁ ଏପରକି ରାଜ୍ୟ ବାହାରୁ ଶ୍ରମିକ ଆଣି ଇଟାଭାଟିରେ ନିୟୋଜିତ କରାଯାଉଛି। ହେଲେ ଶ୍ରମ ବିଭାଗର ଏଥିପ୍ରତି ନିଘା ନାହିଁ। ଏହାଦ୍ୱାରା ଶ୍ରମିକମାନଙ୍କର ସାମାଜିକ ନିରାପତ୍ତା କେତେ ଦୂର ସୁରକ୍ଷିତ ରହୁଛି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହେଉଛି।
Comments are closed.