ଧାମରା: ଜାଗୁଳା ପଂଚାୟତ ଅର୍ନ୍ତଗତ ବଳଭଦ୍ରପ୍ରସାଦ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ଚୋରା କୋଇଲା ନେଇ ଯାଉଥିବା ବେଳେ ଧାମରା ସାମୁଦ୍ରିକ ଥାନାଧିକାରୀଙ୍କ ଦ୍ୱାରା ଜବତ ହୋଇଛି।
ଘଟଣାରୁ ଜଣାଯାଇଛି, ପ୍ରତିଦିନ ଧାମରା-ଭଦ୍ରକ ରେଳପଥରେ ଯାତାୟତ କରୁଥିବା ସମସ୍ତ କୋଇଲା ମାଲବାହୀ ରେଳରୁ ଆଙ୍କୁଶି ସାହାଯ୍ୟରେ କୋଇଲା ବାହାର କରାଯାଇଥାଏ। ଏହି ସମସ୍ତ କୋଇଲା ଟ୍ରାକ୍ଟର, ଟ୍ରକ, ପିକଅପ ଏବଂ ଅଟୋ ସାହାଯ୍ୟରେ ଦଲାଲମାନେ ନେଇ ବେପାର କରନ୍ତି। ଏହି ଅଂଚଳରେ ଥିବା ସମସ୍ତ ଥାନା, ଫାଣ୍ଡି ଅଧିକାରୀମାନଙ୍କୁ ମାସିକିଆ ଚାନ୍ଦା ଦେଇ ଏହି ବେପାର କରିଆସୁଥିବା ବେଳେ ଗତକାଲି ଏହି ଟ୍ରାକ୍ଟର ଜବତ ହୋଇଛି। ସଂପୃକ୍ତ ଚାଳକ ନିଜର ଟ୍ରାକ୍ଟର ଛାଡି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଥାନାଧିକାରୀ କୋଇଲା ବୋଝେଇ ହୋଇଥିବା ଟ୍ରାକ୍ଟରକୁ ଧାମରା ସାମୁଦ୍ରିକ ଥାନାକୁ ଆଣିଥିବା ବେଳେ ଏହି ଟ୍ରାକ୍ଟରର କୌଣସି କାଗଜପତ୍ର ନଥିବା ଜଣାଯାଇଛି। ଏନେଇ ଅଧିକ ତଦନ୍ତ ଜାରୀ ରହିଥିବା ବେଳେ ସଂପୃକ୍ତ ଚୋରା କୋଇଲା ନେଇ ଯାଉଥିବା ଟ୍ରାକ୍ଟରକୁ ଖସାଇ ନେବା ପାଇଁ ବହୁ ନେତାଙ୍କ ଭିଡ ଧାମରା ସାମୁଦ୍ରିକ ଥାନାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା।



