ଭୁବନେଶ୍ବର: ୨୦ ଲକ୍ଷରୁ ଅଧିକ ପୁରୁଣା ଗାଡ଼ି ରାସ୍ତାରୁ ହଟିବ। ରାଜ୍ୟରେ ୨୦ଲକ୍ଷ ୩୯ହଜାର ୫୦୦ଗାଡ଼ି ସ୍କ୍ରାପ ହେବ। ୧୫ବର୍ଷରୁ ଉର୍ଦ୍ଧ୍ବ ଏବଂ ଫିଟନେସ ନ ଥିବା ଗାଡ଼ିକୁ ସ୍କ୍ରାପିଂ କରାଯିବ। ଏଥିମଧ୍ୟରୁ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ମଟର ସାଇକେଲ ଓ ସ୍କୁଟର ରହିଛି । ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଏହି ଗାଡ଼ିଗୁଡ଼ିକୁ ସ୍କ୍ରାପ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଗୃହରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି।
ବିଜେପି ବିଧାୟିକା କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ରଖି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ଫିଟନେସ ନଥିବା ଗାଡ଼ିକୁ ସ୍କ୍ରାପ ପାଇଁ ରାଜ୍ୟ ସରକାର ସ୍କ୍ରାପ ପଲିସି ୨୦୨୨ର ପ୍ରଣୟନ କରିଛନ୍ତି। ସ୍କ୍ରାପିଂ ହେବାକୁ ଥିବା ଗାଡ଼ି ମଧ୍ୟରେ ସର୍ବାଧିକ ବାଇକ ଓ ସ୍କୁଟର ରହିଛି। ୧୨ ଲକ୍ଷ ୯୯ହଜାର ୩୫୧ଟି ବାଇକ/ସ୍କୁଟର ସ୍କ୍ରାପିଂ କରାଯିବ। ରାଜ୍ୟରେ ୮୦ଲକ୍ଷ ୨୦ହଜାର ୫୦୦ଗାଡ଼ିର ଫିଟନେସ ଅଛି ବୋଲି ସେ ପ୍ରକାଶ କରିଛନ୍ତି।



