ନଭେମ୍ବର ୧ରୁ୧୦ ଦିଲ୍ଲୀରେ ବ୍ୟାୟାମ କରିବା ଓ ଦୌଡିବା ମନା
ନୂଆଦିଲ୍ଲୀ . – କଥାଟା ଶୁଣିଲେ ଟିକିଏ ଅଡୁଆ ଲାଗୁଥିବା । ହେଲେ ଏହା ସତ । ଆପଣ ଭାବୁଥିବେ ଦିଲ୍ଲୀରେ କ’ଣ ପାଇଁ ନଭେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ବ୍ୟାୟାମ କରିବା ଓ ଦୌଡିବା ମନା କରାଯାଇଛି । ମାତ୍ର ଲୋକଙ୍କ ଭଲ ପାଇଁ ଏହା ପରାମର୍ଶ ଦିଆଯାଇଛି । ଗାଡି ମଟର ସାଙ୍ଗକୁ ବିଭିନ୍ନ ଉଦ୍ୟୋଗରୁ ବାହାରୁଥିବା ଧୂଆଁ ଓ ଧୂଳି ଯୋଗୁଁ ଦିଲ୍ଲୀର ପରିବେଶ ଅତ୍ୟନ୍ତ ଦୂଷିତ ହୋଇଯାଇଛି । କେବଳ ସେତିକି ନୁହେଁ ଶୀତ ଋତୁ ଆରମ୍ଭରୁ ବାୟୁମଣ୍ଡଳ ଥଣ୍ଡା ରହିଥିବାରୁ ଏହାର ତଳ ଅଂଶରେ ଧୂଳି ଓ ଧୂଆଁ ରହୁଛି ।
ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ଯେତିକି ରହିବା କଥା ଦିଲ୍ଲୀରେ ତାହା ଯଥେଷ୍ଟ ଅଧିକ ରହିଛି । ଏହି କାରଣରୁ ଦିଲ୍ଲୀ ପ୍ରଦୂଷଣ ବୋର୍ଡ ନଭେମ୍ବର ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ବାହାରେ ବ୍ୟାୟାମ ନ କରିବା ସହ ଦୌଡିବା ଓ ଅନ୍ୟ ଶାରିରୀକ ପରିଶ୍ରମ ଅଧିକ ନ କରିବା ପାଇଁ ପରାମର୍ଶ ଦେଇଛି । ଏହା ସହ ବାହରକୁ ବାହାରିବା ସମୟରେ ମୁଖା ପିନ୍ଧିବା ପାଇଁ କୁହାଯାଇଛି । ଦୀପାବଳି ପୂର୍ବରୁ ପଞ୍ଜାବ ଓ ହରିଆନାରେ ଜମିରେ ପଡି ରହୁଥିବା କୁଟା ଓ ଅନ୍ୟ ଅଂଶକୁ ଜାଳି ଦିଆଯାଉଛି । ଏହା ସହ ଦୀପାବଳି ସମୟରେ ପ୍ରଦୂଷଣ ମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଦିଲ୍ଲୀରେ ଏବେ ବାୟୁର ମାନ ସାରଣୀ ଅନୁସାରେ ଗୁରୁବାରରେ ୩୬୧ ରହିଛି । ଯାହା ଅତି ପ୍ରଦୂଷଣର ନିକଟତର । ବାୟୁର ମାନ ଅତି ଖରାପ । ବାୟୁରେ ପ୍ରଦୂଷଣ କରୁଥିବା ପିଏମ୍୧୦ ଓ ପିଏମ୍ ୨.୫ ଅତି ମାତ୍ରାରେ ବୃଦ୍ଧି ପାଇଛି । ପିଏମ୍ ୧୦ ର ରମାତ୍ରା ୧୦୦ ଏମ୍ଜି/ମି୩ ରହିବା କଥା, ମାତ୍ର ଏହା ୩୮୪ ଏମ୍ଜି/ମି୩ ରହିଛି । ପିଏମ୍ ୨.୫ ର ମାତ୍ରା ୬୦ ଏମ୍ଜି/ମି୩ ରହିବା କଥା ଏହା ବୃଦ୍ଧି ପାଇ ୧୯୪ ଏମ୍ଜି/ମି୩ରେ ପହଞ୍ଚିଛି । ନଭେମ୍ବର ୧ରୁ ପବନର ଗତି ପଶ୍ଚିମରୁ ପୂର୍ବକୁ ହେବାକୁ ଥିବାରୁ ପଞ୍ଜାବ ଓ ହରିଆଣାର ବିଭିନ୍ନ ଜମିରେ କୁଟା ଓ ଅନ୍ୟ ଅଂଶ ପୋଡିବାରୁ ବାହାରୁଥିବା ଧୂଆଁ ଦିଲ୍ଲୀ ବାୟୁମଣ୍ଡଳରେ ପ୍ରବେଶ କରିବା ସହ ପ୍ରଦୂଷଣ ମାତ୍ରା ଆହୁରି ବୃଦ୍ଧି ପାଇବ ।