www.samajalive.in
Tuesday, December 9, 2025
17.1 C
Bhubaneswar

ବିଶ୍ରାମଗାର ଓ ମଣ୍ଡି ବ୍ୟବସ୍ଥାର ପ୍ରଚଳନ ପାଇଁ କୃଷକ ସଂଗଠନର ଦାବିପତ୍ର

ରେଙ୍ଗାଲିକ୍ୟାମ୍ପ : ଅତାବିରା ନିୟନ୍ତ୍ରିତ ବଜାର ପରିସରରେ ଏକ ଚାଷୀ ବିଶ୍ରାମଗାର ପାଇଁ ଓ ମଣ୍ଡି ବ୍ୟବସ୍ଥାର ପ୍ରଚଳନ ପାଇଁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ସଭାପତି ହରଧନ୍ ପ୍ରଧାନଙ୍କ ନେତୃତ୍ୱରେ ସୋମବାର ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ଦାଶ ଓ ଆରଏମସି ସମ୍ପାଦକ ପ୍ରଦୀପ ବେସନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ଦିନ ହେଲା ସଂଗଠନ ଏଥିପାଇଁ ଦାବି କରି ଆସୁଛି । କାରଣ ଚାଷୀମାନେ ଧାନ ବିକ୍ରି ପାଇଁ ଆସି ମାର୍କେଟରେ ଧାନ ରଖୁଛନ୍ତି ତାହା ଉଠିବା ଯାଏ। ଧାନ ଉଠୁ ଉଠୁ ବେଳେ ବେଳେ ଦଶରୁ ପନ୍ଦର ଦିନ ମଧ୍ୟ ଲାଗିଥାଏ । ପ୍ରତିଦିନ ଆସି ଚାଷୀ ତାର ଧାନକୁ ଜଗିବ ବିକ୍ରି ହେବା ଯାଏ । ଖରା ହେଉ ବା ବର୍ଷା ଅବା ଶୀତ ଖୋଲା ଆକାଶ ତଳେ ଦିନ ଦିନ ଘଣ୍ଟା ଘଣ୍ଟା ଧରି ଚାଷୀମାନେ କଷ୍ଟ ସହୁଛନ୍ତି । କଥାରେ ଅଛି “ଡଙ୍ଗା ଭଡାଠାରୁ ବୁଡି ମରିବାର ଭଡା ଅଧିକ”। ଦିନରାତି ହାଡ଼ ଭଙ୍ଗା ପରିଶ୍ରମ କରି ଶସ୍ୟ ଅମଳ କରିବାରେ ଯେତିକି କଷ୍ଟ ସେ ସହୁଛି, ତା’ଠାରୁ ଅଧିକ କଷ୍ଟ ସହୁଛି ତାକୁ ବିକ୍ରି କରିବା ପାଇଁ। ଲୋକଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ କିଛି ସୁବିଧା କରୁଛନ୍ତି। ଏମିତିକି ଶ୍ମଶାନ ଘାଟରେ ମାତ୍ର ଦୁଇ କି ତିନି ଘଣ୍ଟା ପାଇଁ ଶବଦାହ କାର୍ଯ୍ୟ ପାଇଁ ଲୋକେ ଅପେକ୍ଷା କରିବା ପାଇଁ ସେଠାରେ ବିଶ୍ରାମଗାର ତିଆରି କରାଯାଇଛି, କିନ୍ତୁ ଚାଷୀମାନଙ୍କ ପାଇଁ ନାହିଁ। ଚାଷୀଙ୍କ ପାଇଁ ସରକାରଙ୍କ ଏମିତି ବୈମାତୃକ ମନୋଭାବ କାହିଁକି? ଚାଷୀଙ୍କୁ ସରକାର ଏମିତି ଅଣଦେଖା କରୁଥିବାରୁ ଆଜି ଚାଷୀ ସମସ୍ୟା ବଢ଼ି ବଢ଼ି ଚାଲିଛି। ଲୋକଙ୍କୁ ଅନ୍ନ ଯୋଗାଉଥିବା ଚାଷୀ ଆଜି ରାସ୍ତାର ଭିକାରୀ ସାଜୁଛି। ନିଜର ହକ ପାଇଁ ତାକୁ ଆନ୍ଦୋଳନ କରିବାକୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡୁଛି କାହିଁକି? ଅନ୍ନ ବିହୁନେ ଆୟୁଷ ହାନି ବୋଲି ଭାଗବତରେ ଉଲ୍ଲେଖ ରହିଛି, ହେଲେ ସରକାରଙ୍କ ତଥା କଥିତ ନୀତି ନିୟମ ଯୋଗୁ ଆଜି ଅନ୍ନ(ଧାନ) ରାସ୍ତାରେ ପଡ଼ି ଖତଗଦା ପାଲଟୁଛି। ତଥାପି ସରକାରଙ୍କ ଚେତା ପଶୁନି । ଅନେକ ଆଲୋଚନା, ସଭା ସମିତି, ଦାବି ପରେ ଚାଷୀଙ୍କ ପାଇଁ ଗୋଟିଏ ଅଡିଟୋରିୟମ ତିଆରି ହେଉଥିଲା, କିନ୍ତୁ ଆରମ୍ଭ ନ ହେଉଣୁ ତାର ପୂର୍ଣ୍ଣଛେଦ ପକେଇଦେଲେ ସ୍ୱାର୍ଥଲୋଭି ଠିକାଦାର ଓ ଯନ୍ତ୍ରୀମାନେ । ତଳିଆ ଏକ କର୍ମଚାରୀକୁ ଦୋଷୀ କରିଦେଇ ବଡ ବଡିଆ ସଂପୃକ୍ତ କର୍ମଚାରୀମାନେ ଠାଣି ମାରି ବୁଲୁଛନ୍ତି। ଦୀର୍ଘ ୧୯୭୨ ମସିହାରୁ ନିୟମ ଆଚରଣ ବିଧିକୁ ଉଲ୍ଲଂଘନ ନକରି ଚାଷୀଙ୍କ ପାଇଁ ଲଢେଇ କରି ଆସୁଥିବା ଏହି ସଂଗଠନ, ବିଶ୍ରାମଗାର ପାଇଁ ସରକାରଙ୍କ ପାଖରେ ଦାବି ଜଣାଇ ଆସୁଥିଲେ ମଧ୍ୟ ସରକାର ନ ଶୁଣିଲା ପରି ଚୁପ୍ ମାରି ବସିଥିବା ନେଇ ସଂଗଠନ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।

ଏହା ବ୍ୟତୀତ ଆରଏମସି ସମ୍ମୁଖରେ ନିର୍ମାଣ ହୋଇ ରହିଥିବା ଏକ କୋଠରୀକୁ ପାଚେରୀ ଦେଇ ଜୋର୍ ଜବରଦସ୍ତ ଭାବରେ ଚାଷୀ କାର୍ଯ୍ୟାଳୟ କରିବା ପାଇଁ କିଛି ଲୋକ ତାଲା ମାରିଥିଲେ । ଯାହାକୁ ନେଇ ଆରଏମସି ସମ୍ପାଦକ ବିରୋଧ କରି ଥିଲେ। କିନ୍ତୁ ସେମାନେ ନ ଶୁଣିବାରୁ ତାଙ୍କ ବିରୁଦ୍ଧରେ ଜବରଦଖଲ ନାମରେ କୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାକୁ ଭିତ୍ତି କରି ଗତ ୧୦ ତାରିଖ ଦିନ ଆରଏମସି ଅଧ୍ୟକ୍ଷ ଲଲାଟ କୁମାର ଲୁହା, ସ୍ଥାନୀୟ ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ଦାଶ, ସମ୍ପାଦକ ପ୍ରଦୀପ କୁମାର ବେସନ, ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ ସଦଳବଳେ ପହଞ୍ଚି ଜବର ଦଖଲ ଗୃହକୁ ସରକାର ଅକ୍ତିଆର କରି ତାଲା ଉପରେ ତାଲା ମାରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା କ୍ଷୋଭ ପ୍ରକାଶ କରିଥିଲା। ଚାଷୀଙ୍କ ସମସ୍ୟା ନୁହେଁ ବିଶ୍ରାମଗାର ଚାଷୀଙ୍କ ଅଧିକାର। ତଥାପି ସରକାର କେବଳ ପ୍ରତିଶ୍ରୁତି ଦେଇ ଦେଇ ଦିନ ଗଡ଼ାଇ ଚାଲିଛନ୍ତି । ହେଲେ ଫଳାଫଳ ଶୂନ । ଆହୁରି ମଧ୍ୟ ଚାଷୀମାନେ ଧାନ ବିକ୍ରି ସମୟରେ ଟୋକନ ବ୍ୟବସ୍ଥା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ ଶେଷରେ ଶାଗ ମାଛ ଦରରେ ବିକୁଛି କଷ୍ଟ ଅର୍ଜିତ ଧାନକୁ । ତେଣୁ ମଣ୍ଡି ବ୍ୟବସ୍ଥା ଲାଗୁ କରିବା ପାଇଁ ମଧ୍ୟ ସଂଗଠନ ଦାବି କରିଛି ଓ କରିଆସୁଛି । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ସଂଗଠନର ସମ୍ପାଦକ ଲୋକେଶ୍ୱର ପ୍ରଧାନ, ବରିଷ୍ଠ ନେତା ବସନ୍ତ ବାରିକ୍, ପଲଉ ମାଝୀ, ଜଗନ୍ନାଥ ସାହୁ, ହୃଷୀକେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଦେଖାଯାଉ ସରକାର ଏହି ଅନ୍ନଦାତାମାନଙ୍କ ପାଇଁ କେତେ ପ୍ରତିଶ୍ରୁତି ବଦ୍ଧ ?

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories