ସମ୍ବଲପୁର: ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ଓ ଏମ୍ସ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ‘ସମ୍ବଲପୁରୀ ଆଲୋଚନା ଚକ୍ର’ ଆୟୋଜିତ ହୋଇଯାଇଛି। ଶନିବାର ଅପରାହ୍ନରେ ସ୍ଥାନୀୟ ସମ୍ବଲପୁର ସହରର ଉପକଣ୍ଠସ୍ଥ ପରଧିଆପାଲି ସ୍ଥିତ ଏମ୍ସ ମହାବିଦ୍ୟାଳୟର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ସଦସ୍ୟ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ ସମ୍ମାନୀତ ବକ୍ତା ଓ ଡ. ଗୌରିଦାସ ପଧାନ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। ୧୮୯୧ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ସାଂସ୍କୃତିକ ପରିଚୟ, ସମ୍ବଲପୁରୀ ଉପରେ ପ୍ରକାଶିତ କବିତାରୁ ଆରମ୍ଭ କରି ସମ୍ବଲପୁରୀ ଶାଢ଼ୀକୁ ୟୁନିସ୍କୋ ଦ୍ୱାରା ମାନ୍ୟତା ଦେବା ଘଟଣା କ୍ରମ ଗୁଡିକ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସମ୍ବଲପୁରୀ ସାହିତ୍ୟ ତାର ସାଂସ୍କୃତିକ ପରିଚୟ ସୃଷ୍ଟି କରିବାକୁ କିପରି ସଂଘର୍ଷ କରିଛି ତାର ତଥ୍ୟ ଉପସ୍ଥାପନ କରିଥିଲେ।
ଅନ୍ୟତମ ବକ୍ତା ପ୍ରଶାନ୍ତ ପାଟ୍ଟଯୋଶୀ ନିଜସ୍ୱ ବକ୍ତବ୍ୟରେ ସମ୍ବଲପୁରୀ ଭାଷା ଓ ସଂସ୍କୃତି ଶହ ଶହ ବର୍ଷ ପୁରୁଣା ଭାଷା ଏବଂ ହୀରାଖଣ୍ଡା ସାମ୍ରାଜ୍ୟରେ ବସବାସ କରୁଥିବା ପ୍ରାୟ ୧.୭ କୋଟି ଲୋକ ଙ୍କ ଭାଷା ଅଟେ। ଏହି ଭାଷାରେ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ହେଉଥିବା ସହ ଆଜି ଏହାର ସଂସ୍କୃତି ଦେଶ ବାହାରକୁ ବ୍ୟାପ୍ତ। ତେବେ ପାଶ୍ଚାତ୍ୟ ସଭ୍ୟତାକୁ ଭଲ ପାଇବା ଦ୍ୱାରା ଆମର ଭାଷା କ୍ଷତିଗ୍ରସ୍ତ ହେଉଛି ବୋଲି ଶ୍ରୀ ପଟ୍ଟଯୋଶୀ କହିଥିଲେ। ସଭାର ପ୍ରାରମ୍ଭରେ ଛାତ୍ରମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଆଲୋଚନା ଚକ୍ରରେ ଏମ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀମନ୍ତ ପାତ୍ର ଙ୍କ ସମେତ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ପରିଷଦର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ହୋତା ଓ ସରୋଜ କୁମାର ଦାଶ ଉପସ୍ଥିତ ରହିଥିଲେ।



