ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କାରନାମାକୁ ନେଇ ଚର୍ଚ୍ଚାରେ ସାରା ରାଜ୍ୟ। ତାଙ୍କ ଘର ପ୍ରତିଷ୍ଠା ଦିବସରେ ହେଭିୱେଟ ନେତା କାଟୁଥିଲେ ଫିତା। ଅର୍ଚ୍ଚନାଙ୍କ ସହ ଫଟୋ ଉଠାଉଥିଲେ ପ୍ରତିଷ୍ଠିତ ବ୍ୟକ୍ତି। ଏମିତିକି ତାଙ୍କ ପ୍ରେମ ଜାଲରେ ଜଣେ ଜଣାଶୁଣା ତାରକା ହୋଟେଲର ମାଲିକ ମଧ୍ୟ ପଡ଼ିଛନ୍ତି। ନେତା, ମନ୍ତ୍ରୀ, ବ୍ୟବସାୟୀ ଓ ଚଳଚ୍ଚିତ୍ର ପ୍ରଯୋଜକ ତାଙ୍କ ମାୟାଜାଲରେ ଫସିଛନ୍ତି। ଲେଡି ବ୍ଲାକମେଲରଙ୍କ ଡାଏରୀରରୁ ଗୋଟିଏ ପରେ ଗୋଟିଏ ଫର୍ଦ ଖୋଲିବାରେ ଲାଗିଛି ପୁଲିସ। ରହସ୍ୟମୟୀ ମହିଳାଙ୍କ ଡାଏରୀରେ ଥିବା ନାଁ ଦେଖି ପୁଲିସ ତାଜୁବ ହୋଇଯାଇଛି।
ଅର୍ଚ୍ଚନା ଗିରଫ ପରେ ପୁଲିସ ହାତରେ ଯେଉଁ ସବୁ ତଥ୍ୟ ଲାଗୁଛି, ତାହା ପାୱାର କରିଡରରେ ବି ହଇଚଇ ସୃଷ୍ଟି କରିଛି। ଡାଏରୀ ପରେ ଅର୍ଚ୍ଚନାଙ୍କ ଇ-ମେଲରେ ୬୪ଜଣ ନେତା, ମନ୍ତ୍ରୀ, ବଡ଼ବଡ଼ିଆ, ଅଳଙ୍କାର ବ୍ୟବସାୟୀ, ଫିଲ୍ମ ପ୍ରଯୋଜକଙ୍କ ଅଶ୍ଳୀଳ ଫଟୋର ପ୍ରମାଣ ପୁଲିସ ହାତରେ ଲାଗିଛି। ଏଭଳି ଏକ ସାଂଘାତିକ କାରନାମା ସାମ୍ନାକୁ ଆସିବା ପରେ ପୁଲିସ ଅର୍ଚ୍ଚନାଙ୍କ ଲିଙ୍କ୍ରେ ଥିବା ବଡ଼ବଡ଼ିଆଙ୍କ ମୁଖା ଖୋଲିବ ନା ଏହି ଘଟଣାକୁ ଚପାଇ ଦେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଘଟଣା ସମ୍ପର୍କରେ ରବିବାର ପୁଲିସ ଉପାୟୁକ୍ତ ପ୍ରତୀକ ସିଂହ କହିଛନ୍ତି ଯେ, ଅର୍ଚ୍ଚନାଙ୍କ ନାମରେ ୨ଟି ମାମଲା ରୁଜୁ ହୋଇଛି। ଗୋଟିଏ ଖଣ୍ଡଗିରି ଓ ଅନ୍ୟଟି ନୂଆପଲ୍ଲୀ ଥାନାରେ ରହିଛି। ତାଙ୍କ ସହ ଏହି ମାମଲାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି। ଅକ୍ଟୋବର ୨ରେ ଜଣେ ମହିଳା ଖଣ୍ଡଗିରି ପୁଲିସର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ସହ ଅର୍ଚ୍ଚନା ଘନିଷ୍ଠତା ବଢ଼ାଇବା ପରେ କିଛି ନଗ୍ନ ଫଟୋ ହାତେଇ ଥିଲେ । ସେହି ଫଟୋକୁ ନେଇ ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ୍ କରିଥିଲେ। ଫିଲ୍ମ ପ୍ରଯୋଜକଙ୍କୁ ଯୋଜନାବଦ୍ଧ ଭାବେ ଫସାଇବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଆଣି ଦେବାକୁ କହୁଥିଲେ। ଏହାକୁ ପାଇବା ପରେ ଅର୍ଚ୍ଚନା ସେମାନଙ୍କୁ ବ୍ଲାକମେଲ୍ କରି ଟଙ୍କା ମାଗୁଥିଲେ। ଏଭଳି କରିବାକୁ ମନାକଲେ ବିଭିନ୍ନପ୍ରକାର ଭୟ ଦେଖାଉଥିଲେ। ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଚଳାଇଥିଲା।
ଅର୍ଚ୍ଚନାଙ୍କୁ ଗିରଫ କରାଯିବା ପରେ ତାଙ୍କ ଘରକୁ ପୁଲିସ ଯାଞ୍ଚ କରି ମୋବାଇଲ, ଟାବ୍, ଲାପ୍ଟପ୍, ପେନ୍ଡ୍ରାଇଭ ପ୍ରଭୃତି ବୈଦ୍ୟୁତିକ ଯନ୍ତ୍ରପାତି ଜବତ କରିଥିଲା। ଜବତ ଜିନିଷ ଯାଞ୍ଚ ପାଇଁ ଲାବୋରେଟୋରୀ ପଠାଯାଇଛି। ତାଙ୍କ ପାସ୍ ବୁକ୍ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଜବତ କରାଯାଇଛି। ତାଙ୍କୁ ପଚରାଉଚରା ପାଇଁ ଜିମାରେ ଅଣାଯିବ। ତାଙ୍କ ବ୍ୟାଙ୍କ ଓ ସମ୍ପତ୍ତିର ଯାଞ୍ଚ କରାଯିବ। ବ୍ୟାଙ୍କ କାରବାର, ଫିକ୍ସଡ ଡିପୋଜିଟ୍ ପ୍ରଭୃତି ବାବଦରେ ତଥ୍ୟ ଦେବାକୁ ଆର୍ବିଆଇକୁ ଚିଠି କରାଯାଇଛି। ତାଙ୍କ ନାମରେ କମ୍ପାନୀ ରହିଛି ବୋଲି ସୂଚନା ମିଳିଛି। ଏ ବାବଦରେ ତଥ୍ୟ ଦେବାକୁ ରେଜିଷ୍ଟର ଅଫ୍ କମର୍ସକୁ ଚିଠି କରାଯାଇଛି। ଜମିଜମା ତଥ୍ୟ ଜାଣିବାକୁ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ା ଯାଇଛି। ତାଙ୍କ ସ୍ୱାମୀଙ୍କୁ ହାଜର ହେବାକୁ ନୋଟିସ୍ କରାଯାଇଛି। ଖଣ୍ଡଗିରି ଥାନା ଆଇଆଇସି ନିଜେ ଘଟଣାର ତଦନ୍ତ କରୁଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି।
ହନିଟ୍ରାପ୍ ମାମଲାରେ ଖୋଲୁଛି ନୂଆ ନୂଆ ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି। ଲେଡି ବ୍ଲାକ୍ମେଲର ଅର୍ଚ୍ଚନାଙ୍କ ଡାଏରୀ ଓ ଇ-ମେଲରୁ ଜଣେ ମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିଛି। ଅର୍ଚ୍ଚନାଙ୍କ ଇ-ମେଲ୍ରେ ସମ୍ପୃକ୍ତ ମନ୍ତ୍ରୀଙ୍କ ନାଁ ଓ ଫଟୋ ରହିଛି। ସେହି ମନ୍ତ୍ରୀ ଦକ୍ଷିଣ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା ବୋଲି ଚର୍ଚ୍ଚା ହେଉଛି। ତେବେ ସେ ପ୍ରତିକ୍ରିୟାରେ କହିଛନ୍ତି, ଏ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। ସେହିପରି ପଶ୍ଚିମ ଓଡ଼ିଶାର ଜଣେ ପୂର୍ବତନ ସାଂସଦଙ୍କର ଫଟୋ ବି ରହିଛି। ଅର୍ଚ୍ଚନାଙ୍କ ଇ-ମେଲରେ ଦେଖି ତାଜୁବ ହୋଇଛି ତଦନ୍ତକାରୀ ଦଳ। ଜଣେ ନେତାଙ୍କ ଅସଂଯତ ଫଟୋ ବି ରହିଛି ଇ-ମେଲରେ। ୨୦୨୦ ନଭେମ୍ବର ୨୫ରେ ଏନେଇ କ୍ୟାପିଟାଲ ଥାନାରେ ଏକ ମାମଲା ହୋଇଥିବା ଜଣାପଡ଼ିଛି। ଜଣେ ତହସିଲଦାରଙ୍କ ଅସଂଯତ ଫଟୋ ଥିବା ପୁଲିସ ଦେଖିବାକୁ ପାଇଛି। ରାଜଧାନୀର ଜଣେ ପ୍ରତିଷ୍ଠିତ ଅଳଙ୍କାର ବ୍ୟବସାୟୀଙ୍କୁ ମଧ୍ୟ ରହସ୍ୟମୟୀ ମହିଳା ଫସାଇଥିବା ଜଣାପଡ଼ିଛି।



