ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଲ୍ୟାମ୍ପ୍ସରେ ପରିଚାଳନାଗତ ତୃଟି। ଚାଷୀଙ୍କ ସମବାୟ ସମିତିକୁ କବଜା କରିନେଇଛନ୍ତି ଏଆରସିଏସ ଅଫିସ ଅଧିକାରୀଗଣ। ଚାଷୀଙ୍କୁ ସୁବିଧା ମିଳିବା ପରିବର୍ତ୍ତେ ଲାଲେ ଲାଲ ହେଉଛନ୍ତି ଅଧିକାରୀ ଓ ଦଲାଲ। ଦଲାଲଙ୍କ କବଜାରେ ଥିବା ଲ୍ୟାମ୍ପ୍ସ ଗୁଡିକୁ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଚାଷୀ। ମାତ୍ର କୌଣସି ପ୍ରକାରେ କଳେ ବଳେ କୌଶଳେ ଭଣ୍ଡୁର କରିବା ପାଇଁ ଲାଗିଛନ୍ତି ଅଧିକାରୀମାନେ। ତାହା ପୁଣି ରାଜନୈତିକ ନେତା ମନ୍ତ୍ରୀଙ୍କ ହାତ ବାରିସୀ ହୋଇ। ପ୍ରଚ୍ଛଦ ପଟରେ ମନ୍ତ୍ରୀ ରହି ଗୋଟି ଚାଳନା କରୁଥିବା ଏବଂ ତାଙ୍କ କଥାରେ ଅଧିକାରୀ ନାଚୁଥିବା ନେଇ ଅଭିଯୋଗ ହେଉଛି। ଠାକୁରମୁଣ୍ଡା ଏବଂ ମହୁଲଡିହା ଲ୍ୟାମ୍ପ୍ସ ନିର୍ବାଚନକୁ ଅନୁଧ୍ୟାନ କଲେ ତାହା ସ୍ପଷ୍ଟ ଜଣାପଡୁଛି।
ଘଟଣାରୁ ପ୍ରକାଶ ଯେ, ଠାକୁରମୁଣ୍ଡା ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ତବଗା ହୋ (ଶିକ୍ଷାଗତ ଯୋଗ୍ୟତା ଏମଏ)ଙ୍କୁ ନିର୍ବାଚନ ପରିଚାଳନାରେ ତୃଟି ଦର୍ଶାଇ ନିଲମ୍ବିତ କରି ମ୍ୟାଟ୍ରିକ ପାସ କରି ନଥିବା ପିଅନ ବୈକୁଣ୍ଠ ମହାନ୍ତଙ୍କୁ ଏମଡ଼ି ପଦବୀରେ ବସାଇ ଦିଆଯାଇଛି। ଫଳରେ ଏବେ ଏଆରସିଏସ ହୋଇଛନ୍ତି ଅସଲ ଏମ.ଡ଼ି। କୌଣସି ତୃଟି ବିଚ୍ୟୁତି ସମ୍ପର୍କରେ ଫୋନ କଲେ କେବେବି ଫୋନ ଧରୁନାହାନ୍ତି ଅଧିକାରୀ। ସାମ୍ବାଦିକ ଫୋନ କରି ଥକିଲେଣି ଅଥଚ ଥରଟିଏ ବି ଉତ୍ତର ମିଳିପାରିନି। ସମବାୟ ସମିତି ପୁନର୍ଗଠନ ପାଇଁ ନିର୍ବାଚନ ସରିବା ପରେ ଜୁନ ୨୧ ତାରିଖରେ ସଭାପତି ପଦବୀ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା। ଜୁଲାଇ ୪ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ଯାଞ୍ଚ ଏବଂ ୧୨ ତାରିଖରେ ନିର୍ବାଚନ ଧାର୍ଯ୍ୟ ହୋଇଥିଲା। ନାମାଙ୍କନ ଦାଖଲ ସମୟରୁ ବିବାଦ ଉଠିଲା। ଜଣେ ପ୍ରାର୍ଥୀ ସମୟ ସୀମା ୧୨ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଅନ୍ୟମାନେ ୧୨ଟା ପରେ ଆସିଥିଲେ ମଧ୍ୟ ପ୍ରତିବାଦ ସତ୍ତ୍ୱେ ନାମାଙ୍କନ ଗ୍ରହଣ କରାଗଲା। ସଙ୍ଗେ ସଙ୍ଗେ ନିର୍ବାଚନ ଅଧିକାରୀ ବଦଳାଇ ଦିଆଗଲା। ମନ୍ତ୍ରୀଙ୍କ ପ୍ରାର୍ଥୀନୀ ପାଇଁ ଭୋଟ ଯୋଗାଡ଼ ସମ୍ଭବ ହୋଇ ନପାରିବାରୁ ୧୨ ତାରିଖରେ ହେବାକୁ ଥିବା ନିର୍ବାଚନକୁ ୧୧ ତାରିଖ ରାତି ୧୧ଟା ପରେ ୨୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହା ଗଣତନ୍ତ୍ରର ହତ୍ୟା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ସିସି ଟିଭି ଲାଗିଥିବାରୁ ପ୍ରାର୍ଥୀପତ୍ର ଦାଖଲ ସମୟର ଯାଞ୍ଚ ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚାଷୀମାନେ। ମାତ୍ର କ୍ଷମତା ଯେଉଁ ମାନଙ୍କ ହାତରେ ସେମାନେ ଯଦି ଅନ୍ୟାୟ କରିବେ ତ ଗୁହାରି କାହାକୁ କରିବା ବୋଲି କହିଛନ୍ତି ଚାଷୀ। ସେହିପରି ଠାକୁରମୁଣ୍ଡା ବ୍ଲକର ଅନ୍ୟତମ ଲ୍ୟାମ୍ପ୍ସ ମହୁଲଡିହା ଲ୍ୟାମ୍ପ୍ସରେ ମଧ୍ୟ ତଦ୍ରୁପ ଅବସ୍ଥା। ଗତ ଶୁକ୍ରବାର ସଭାପତି ପଦବୀ ପାଇଁ ନାମାଙ୍କନ ଦାଖଲ ଏବଂ ଶନିବାର ଯାଞ୍ଚ ସମୟ ରହିଥିଲା। ମନ୍ତ୍ରୀଙ୍କ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରଖି ଅନ୍ୟ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର ନାକଚ କରାଯାଇଥିବା ଜଣାପଡିଛି। ନୋଟିସ ବୋର୍ଡରେ ଜଣଙ୍କ ନାମ ଥିବାରୁ ଏହା ସନ୍ଦେହ କରାଯାଉଛି। ନାକଚର କାରଣ ଜାଣିବା ପାଇଁ ନିର୍ବାଚନ ଅଧିକାରୀ ଏବଂ ଏଆରସିଏସଙ୍କୁ ଆମ ପ୍ରତିନିଧି ବାରମ୍ବାର ଫୋନ କରିଥିଲେ ମଧ୍ୟ୍ୟ ଜଣେ ହେଲେ ଉତ୍ତର ଦେଇନଥିଲେ। ଫଳରେ ଏଥିରେ ଚଞ୍ଚକତା କରାଯାଇଥିବା ସନ୍ଦେହ ଘନୀଭୂତ ହୋଇଛି। ମନ୍ତ୍ରୀଙ୍କ ବିପକ୍ଷ ଦଳ ଉଚ୍ଚ ଅଦାଲତକୁ ଯିବେ ବୋଲି ସୂଚନା ଦେଇଛନ୍ତି। ତେବେ ଲ୍ୟାମ୍ପ୍ସ ପରିଚାଳନା ଯେ ଗଣତାନ୍ତ୍ରିକ ଓ ନ୍ୟାୟିକ ଢଙ୍ଗରେ ଚାଲୁନାହିଁ ଏହା ସ୍ପଷ୍ଟ ହେଉଛି। କ୍ଷମତାରେ ଥିବା ଲୋକ ସମ୍ବିଧାନକୁ ସୁରକ୍ଷା ଦେବା ପରିବର୍ତ୍ତେ ହତ୍ୟା କରୁଛନ୍ତି ଏବଂ ପ୍ରତିକୂଳ ପରିସ୍ଥିତିରେ ଯାଇ କେତେ ଲଢେଇ କରିପାରିବା ବୋଲି ନିର୍ଦ୍ଦେଶକମାନେ ଦୁଃଖର ସହ ଜଣାଇଛନ୍ତି।



