କଟକ : ପ୍ରସିଦ୍ଧ ଔପନ୍ୟାସିକା ପଦ୍ମଶ୍ରୀ ପ୍ରତିଭା ରାୟ ଭାରତୀୟ ଜ୍ଞାନପୀଠ ମନୋନୟନ ପରିଷଦର ନୂତନ ଅଧ୍ୟକ୍ଷ ହୋଇଛନ୍ତି। ଧର୍ମ ଓ ଜାତିଭେଦ ବିରୋଧରେ ଲେଖନୀ ଚାଳନା କରି ଚର୍ଚ୍ଚିତ ଶ୍ରୀମତୀ ରାୟଙ୍କ ଜନ୍ମ ଜଗତସିଂହପୁର ଜିଲାର ଆଲାବୋଲ ଗ୍ରାମରେ ୧୯୪୩ ଜାନୁଆରୀ ୨୧ ତାରିଖରେ। ଶିକ୍ଷକତାରୁ ଚାକିରି ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ରାୟ ବିଭିନ୍ନ ମହାବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ତାଙ୍କ ରଚିତ ପ୍ରଥମ ଉପନ୍ୟାସ ‘ବର୍ଷା ବସନ୍ତ ବୈଶାଖ’ ୧୯୭୪ରେ ପ୍ରକାଶିତ ହୋଇ ସର୍ବାଧିକ ବିକ୍ରୟ ପୁସ୍ତକର ମାନ୍ୟତା ପାଇଥିଲା। ଆଶାବରୀ, ଅରଣ୍ୟ, ମେଘମେଦୁର, ଆଦିଭୂମି, ନିଷିଦ୍ଧ ପୃଥିବୀ, ପରିଚୟ, ଅୟମାରମ୍ଭ ଭଳି ଏକାଧିକ ଉପନ୍ୟାସର ରଚୟିତା ଶ୍ରୀମତୀ ରାୟଙ୍କ ଦ୍ୱାରା ୧୯୮୩ରେ ରଚିତ ସାହିତ୍ୟ ପୁସ୍ତକ ‘ଶୀଳାପଦ୍ମ’ ୧୯୮୫ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲା। ତାଙ୍କର ସର୍ବାଧିକ ଚର୍ଚ୍ଚିତ ପୁସ୍ତକ ‘ଯାଜ୍ଞସେନୀ’ (୧୯୮୪ରେ ରଚିତ) ପାଇଁ ଶ୍ରୀମତୀ ରାୟଙ୍କୁ ୧୯୯୧ରେ ମିଳିଥିଲା ମୂର୍ତ୍ତି ଦେବୀ ସମ୍ମାନ। ୧୯୯୦ରେ ଶାରଳା
ସମ୍ମାନରେ ସମ୍ମାନିତ ଶ୍ରୀମତୀ ରାୟ ପ୍ରଥମ ଓଡ଼ିଆ ମହିଳା ଏବଂ ଚତୁର୍ଥ ଓଡ଼ିଆ ଭାବେ ୨୦୧୧ରେ ‘ଜ୍ଞାନପୀଠ’ ସମ୍ମାନ ଲାଭ କରିଥିଲେ। ତାଙ୍କ ପୂର୍ବରୁ ୧୯୭୩ରେ ଗୋପୀନାଥ ମହାନ୍ତି, ୧୯୮୬ରେ ସଚ୍ଚିଦାନନ୍ଦ ରାଉତରାୟ ଏବଂ ୧୯୯୩ରେ ସୀତାକାନ୍ତ ମହାପାତ୍ର ଭାରତୀୟ ସାହିତ୍ୟର ଏହି ସର୍ବୋଚ୍ଚ ସମ୍ମାନ ଲାଭ କରିଛନ୍ତି।
ସୂଚନାଯୋଗ୍ୟ, ସାହିତ୍ୟ ଜଗତକୁ ଉଲ୍ଲେଖନୀୟ ଅବଦାନ ରଖିଥିବା ସମ୍ବିଧାନରେ ସ୍ଥାନିତ ଯେକୌଣସି ଭାଷା ସାହିତ୍ୟର ଭାରତୀୟ ପ୍ରତିଭାଧରଙ୍କୁ ୧୯୬୧ ମସିହାରୁ ପ୍ରତିବର୍ଷ ଜ୍ଞାନପୀଠ ସମ୍ମାନ ପ୍ରଦାନ କରାଯାଇଆସୁଅଛି।
ପ୍ରତିଭା ରାୟ ଜ୍ଞାନପୀଠ
ପ୍ରତିଭା ରାୟ ଜ୍ଞାନପୀଠ ମନୋନୟନ ପରିଷଦ ଅଧ୍ୟକ୍ଷ
Popular Categories



