ଖାଦ୍ୟ ବିଶେଷଜ୍ଞ ରୁଜୁତା ଦିୱେକରଙ୍କ ମତରେ ଚକାଚକ ଦିଶୁଥିବା ଓପ୍ୟାକେଜିଂ ହୋଇଥିବା ଖାଦ୍ୟ ପଛରେ ନ ଧାଇଁ ବରଂ ଘରେ ଗରମାଗରମ ଖାଦ୍ୟ ତିଆରି କରି ଖାଇବା ହିଁ ସୁସ୍ଥତା ଓ ଦୀର୍ଘାୟୁର ରହସ୍ୟ। ରୁଜୁତା ଏବେ ବିଶ୍ବସ୍ତରରେ ଜଣେ ନାମୀ ଖାଦ୍ୟ ବିଶେଷଜ୍ଞ। ବଲିଉଡ ତାରକା କରୀନା କପୁର, କରିସ୍ମା କପୁର, ଅନୁପମ ଖେର୍, ସୈଫ୍ ଅଲୀ ଖାନ୍, ବରୁଣ ଧୱନ୍ ଓ ଆଲିୟା ଭଟ୍ଟଙ୍କ ବ୍ୟକ୍ତିଗତ ପରାମର୍ଶଦାତା ଭାବେ ସେ କାର୍ୟ୍ୟ କରୁଛନ୍ତି। ଗତ ୧୨ ବର୍ଷ ମଧ୍ୟରେ ସେ ସଂଖ୍ୟାଧିକ ଲୋକଙ୍କ ଓଜନ ନିୟନ୍ତ୍ରିତ କରାଇ ପାରିବା ସହ ଏକ ସୁସ୍ଥ ଜୀବନଶୈଳୀରେ ଅନେକଙ୍କୁ ସାମିଲ କରାଇପାରିଛନ୍ତି।
ଭାତ ଦିନକୁ ଦୁଇଥର ଦ୍ବିପହର ଭୋଜନ ଓ ରାତ୍ରି ଭୋଜନରେ ଖାଇଲେ ମଧ୍ୟ ତାହା କାରଣରୁ ଓଜନ ବଢ଼େନାହିଁ। ଭାତ ଏପରି ଏକ ଖାଦ୍ୟ ଯାହା ଖୁବ୍ ସହଜରେ ହଜମ ହୋଇଥାଏ। ଏଣୁ ଏହି ଭୟରୁ ପ୍ରତ୍ୟେକ ବର୍ଗର ଲୋକ ବାହାରି ଆସିବା ଉଚିତ୍ ଯେ ଭାତ ଖାଇଲେ ଓଜନ ବଢ଼େ।
ସିନେତାରକାମାନେ ତାଙ୍କର ଏହି ପରାମର୍ଶ ମାନି ଆଜି ନିଜକୁ ଫିଟ୍ ରଖିପାରିଛନ୍ତି। କରିସ୍ମା କପୁର ଏକ ସାକ୍ଷାତକାରରେ କହିଥିଲେ, ଦୈନିକ ରାତିରେ ସେ ଭାତ ଓ ମାଛ ତରକାରୀ ଖାଇଥାନ୍ତି। ଭୋଜନ ପୂରା ପେଟ କରିବା ସହ ଏମାନେ ୱାର୍କ-ଆଉଟ୍ ମଧ୍ୟ କରନ୍ତି।
ଆମ ଭାରତୀୟ ଟେଲିଭିଜନ ଜଙ୍କ୍ ଫୁଡ୍ ବିଜ୍ଞାପନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଦରକାର ବୋଲି ରୁଜୁତାଙ୍କ ମତ। ପଲଉ, ବିରିୟାନୀ ଅବା କୌଣସି ତରକାରି ଘିଅରେ ପ୍ରସ୍ତୁତ କରି ଖାଆନ୍ତୁ। ଶୁଦ୍ଧ ଦେଶୀ ଘିଅ ଆବଶ୍ୟକ ମାତ୍ରାରେ ଉପଯୋଗ କଲେ ଓଜନ କିମ୍ବା କୋଲେଷ୍ଟରଲ୍ ଆଦୌ ବଢ଼େନାହିଁ ବୋଲି ସେ କହିଛନ୍ତି।
ଫ୍ୟାଟ୍ ଫ୍ରି କୌଣସି ଖାଦ୍ୟ ନ ଖାଇ ବରଂ ନିଜ ପାରମ୍ପରିକ ଭୋଜନକୁ ଖାଇବାର ଅଭ୍ୟାସ କରନ୍ତୁ। ସେସବୁ ଖାଦ୍ୟ ଖାଇ ଆମ ପୂର୍ବପୁରୁଷମାନେ ଏକ ସୁସ୍ଥ ଜୀବନଶୈଳୀ ଅତିବାହିତ କରୁଥିଲେ।
ସୁସ୍ଥତାର ପ୍ରମୁଖ ନିୟମ ହେଲା, ଲୁହା କଡ଼େଇରେ ରାନ୍ଧନ୍ତୁ। ପ୍ରତ୍ୟହ କାଜୁ ଖାଇଲେ ନିଦ ଭଲ ହେବା ସହ ପେଟର ଚର୍ବି ହ୍ରାସ ପାଏ।
ସୁଗାର ଫ୍ରି ବଦଳରେ ଦୈନିକ ଅଳ୍ପ ଚିନି ଖାଆନ୍ତୁ। ଯେପରି ଚା’ ପିଉଥଲେ ସେଥିରେ ଅଧ ଛୋଟ ଚାମଚ ଚିନି ବ୍ୟବହାର କରିପାରିବେ। ଏହା ଓଜନ ବଢ଼ାଇବ ନାହିଁ ବୋଲି ରୁଜୁତା ସ୍ପଷ୍ଟ କରିଛନ୍ତି।



