ବୌଦ୍ଧ: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ଲହରୀର ମୁକାବିଲା ଶୀର୍ଷକ ଏକ ତାଲିମ ଶିବିର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ସ୍ଵାଗତ ଭାଷଣ ପରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ସାଧନ କର୍ମୀ ଭାବରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ତହସିଲଦାର, ବୌଦ୍ଧ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ବୌଦ୍ଧ ବ୍ଲକ ଶିକ୍ଷା ଅଧିକାରୀ, ହରଭଙ୍ଗା, ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଓ.ଏସ.ଡି.ଏମ.ଏ.) ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅବନୀକାନ୍ତ ସାହୁ ପାଣିପାଗ ପରିବର୍ତ୍ତନ, ଗ୍ରୀଷ୍ମ ଲହରୀ ଉପରେ ଆଲୋଚନା କରିଥିଲେ ।
ଅବିନାଶ ପାଣ୍ଡିଆ, ତହସିଲଦାର, ବୌଦ୍ଧ ପ୍ରକୃତ ଭାବରେ ଅଧିକ ପ୍ରଭାବିତ ହେଉଥିବା ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ । ପ୍ରଦୋଷ ମହାପାତ୍ର, ଜନ ସ୍ୱାସ୍ଥ୍ୟ ଅଧିକାରୀ, ବୌଦ୍ଧ ଗ୍ରୀଷ୍ମ ଲହରୀର ଲକ୍ଷଣ ଓ ଚିକିତ୍ସା ଉପରେ ବିଷଦ ଆଲୋଚନା କରିଥିଲେ । ଦେବରାଜ ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗ୍ରୀଷ୍ମ ଲହରୀ ସମୟରେ ପାଠପଢାର ସମୟ ନିର୍ଘଣ୍ଟ ତଥା ଶିକ୍ଷା ଅନୁଷ୍ଠାନର ଛାତ୍ର, ଛାତ୍ରୀ ମାନଙ୍କ ପାଇଁ ସୁବିଧା ସୁଯୋଗ ବିଷୟରେ ଆଲୋଚନା ଜାରି ରଖିଥିଲେ ।
ଅଶୋକ କୁମାର ରଥ (ଡି.ପି.ଓ.) ସମସ୍ତ ଅଧିକାରୀ ମାନଙ୍କର ଦାୟିତ୍ଵ ଓ କାର୍ୟ୍ୟସୂଚୀ ଉପରେ ଆଲୋଚନା କରିଥିଲେ । ସମସ୍ତ ଜିଲ୍ଲା ଅଧିକାରୀ ମାନେ ପ୍ରତ୍ୟକ୍ଷ ଭାବରେ ଆଲୋଚନାରେ ଅଂଶ ଗ୍ରହଣ କରି ସରକାରଙ୍କର ଏହି କାର୍ଯ୍ୟକ୍ରମ କିପରି ସଫଳ ହେବ ଓ ବୌଦ୍ଧରେ ଗ୍ରୀଷ୍ମ ଲହରୀକୁ ସଠିକ ଭାବରେ ମୁକାବିଲା କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲା ।



