ଖଣ୍ଡଗିରି: ଭୁବନେଶ୍ୱର ଇମ୍ଫୋଭ୍ୟାଲି ଥାନା ଅନ୍ତର୍ଗତ କାଶିପୁର ଗ୍ରାମର ଅଲକର ମୌଜାରେ ଥିବା ଭଣ୍ଡାରି ନାଳ ନିକଟରୁ ପୁଲିସ ଆଜି ଜଣେ ଅଚିହ୍ନା ଯୁବକର ଗଳିତ ଶବ ଉଦ୍ଧାର କରିଛି। ମୃତ ଯୁବକର ପରିଚୟ ଜଣାପଡିନାହିଁ। ଇମ୍ଫୋଭ୍ୟାଲି ଥାନା ପୁଲିସ ଓ ବୈଜ୍ଞାନିକ ଦଳ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଶବ ଜବତ କରିବା ସହ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ପାରିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି।
ସୂଚନା ଅନୁସାରେ ଇମ୍ଫୋଭ୍ୟାଲି ଥାନା ଅନ୍ତର୍ଗତ କାଶିପୁର ଗ୍ରାମର ଅଲକର ମୌଜାରେ ଥିବା ଭଣ୍ଡାରି ନାଳ ନିକଟରେ ବୁଦିବୁଦିକିଆ ଘାସ ଭିତରେ ଜଣେ ଅପରିଚିତ ଯୁବକଙ୍କ ଶବ ଦେଖିବାକୁ ମିଳିଥିଲା। ଆଜି ଜଣେ ଗାଇ ଚରାଳି ମୃତ ଯୁବକଙ୍କ ଶବ ଦେଖି ଖବର ଦେଇଥିଲେ। ଇମ୍ଫୋଭ୍ୟାଲି ଥାନା ଓ ଯାଁଳା ଫାଣ୍ଡି ବୈଜ୍ଞାନିକ ଦଳ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ। ମୃତ ଯୁବକଙ୍କ ବୟସ ପ୍ରାୟ ୩୫/୪୦ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ଶବଟି ପ୍ରାୟ ୩/୪ ଦିନର ହେବ ବୋଲି ଜଣାପଡିଛି। ଯୁବକ ଜଣକ ବ୍ଲୁ ରଙ୍ଗର ସାର୍ଟ, ନାଲି ରଙ୍ଗର ସ୍ବେଟର ଓ କଳା ରଙ୍ଗର ପ୍ୟାଣ୍ଟ୍ ପିନ୍ଧିଛନ୍ତି। ମୃତକଙ୍କ ମୁହଁ ଅଂଶ ପୁରା ପଚିଯିବା ସହ ପୋକ ସାଲୁବାଲୁ ହୋଇଥିଲା। ତେଣୁ ଯୁବକଙ୍କ ପରିଚୟ ଜାଣିବା କଷ୍ଟକର ହୋଇଥିଲା। ମୃତ ଯୁବକଙ୍କ ନିକଟରୁ ପୁଲିସ ଦୁଇଟି ଗ୍ଲାସ୍ ଓ ମଦ ବୋତଲ ଜବତ କରିଛି। ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନା ପଠାଯାଇଛି।


