ଗୁଗୁଲ-ପେ ନାମରେ ଏନପିସିଆଇ ପାଖରେ ଫେରାଦ ହେଲା ପେଟିଏମ୍
ବେଙ୍ଗାଲୁରୁ: ହ୍ୱାଟ୍ସଆପ୍ ପେମେଣ୍ଟ ପ୍ରକ୍ରିୟା ଉପରେ ଆପତ୍ତି ଆଣିଥିବା ପେଟିଏମ୍ ଏଣିକି ଗୁଗୁଲ-ପେର ନେଣଦେଣ ପ୍ରକ୍ରିୟାକୁ ନେଇ ଫେରାଦ ହୋଇଛି। ଗୁଗୁଲ-ପେ ମାଧ୍ୟମରେ ନେଣଦେଣ କରୁଥିବା ବ୍ୟକ୍ତିଙ୍କ ବିବରଣୀ ଅନୁବନ୍ଧିତ କମ୍ପାନୀ ଓ ଅନ୍ୟାନ୍ୟ କମ୍ପାନୀଙ୍କ ସହ ଗୁଗୁଲ ସେୟାର କରୁଛି ବୋଲି ପେଟିଏମ୍ ଅଭିଯୋଗ ଆଣିଛି। ଗୁଗୁଲ-ପେର ପ୍ରାଇଭେସି ପଲିସିକୁ ପ୍ରମାଣ ଭାବେ ପେଟିଏମ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ନିକଟରେ ଉପସ୍ଥାପନ କରି ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ୍ ଅଭିଯୋଗ କରିଛି।
ଗୁଗୁଲ-ପେ ଆପ୍ଲିକେସନଟି ସମ୍ପୂର୍ଣ୍ଣ ରୂପେ ଭାରତ ସରକାରଙ୍କ ନିୟନ୍ତ୍ରଣାଧୀନ ହୋଇ ନଥିବାରୁ ଭବିଷ୍ୟତରେ ଏଥିରେ ହେଉଥିବା ନେଣଦେଣ ସମ୍ପର୍କିର୍ତ ଅଭିଯୋଗ ଉପରେ ସରକାର ପଦକ୍ଷେପ ଗ୍ରହଣ କରିବା ଅସମ୍ଭବ ହେବ। ତେଣୁ ଏ ଦିଗରେ ସମୟ ଥାଉଥାଉ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ପେଟିଏମ୍ ପକ୍ଷରୁ ଅଭିଯୋଗ କରାଯାଇଛି। ଅପରପକ୍ଷରେ ଗୁଗୁଲ ପରି କମ୍ପାନୀ ନିକଟରେ ଗଚ୍ଛିତ ଥିବା ତଥ୍ୟାବଳୀକୁ ଅନ୍ୟାନ୍ୟ କମ୍ପାନୀ ସହ ସେୟାର କରାଯାଉଛି। ଫଳରେ ଗ୍ରାହକଙ୍କ ଡାଟା ଅନ୍ୟାନ୍ୟ କମ୍ପାନୀମାନଙ୍କ ନିକଟରେ ପହଞ୍ôଚବାର ସମ୍ଭାବନା ଦେଖା ଦେଇଛି। ଗ୍ରାହକଙ୍କ ଡାଟା ଗୁଗୁଲ ତା’ର ଅନୁବନ୍ଧିତ କମ୍ପାନୀଗୁଡ଼ିକ ସହ ସେୟାର କରିବା ସହ ବିଦେଶୀ ସର୍ଭର ମାଧ୍ୟମରେ ଅନ୍ୟାନ୍ୟ କମ୍ପାନୀକୁ ମଧ୍ୟ ସେୟାର ହେବାର ସମ୍ଭାବନା ରହିଛି।
ନିକଟରେ ହ୍ୱାଟ୍ସଆପ୍ ନାମରେ ଅନୁରୂପ ଅଭିଯୋଗ ହେବାରୁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ଥିଲା। ହ୍ୱାଟ୍ସଆପ୍ ପେମେଣ୍ଟ ସର୍ଭିର୍ସର ଡାଟାକୁ ହ୍ୱାଟ୍ସଆପର ମୂଳ କମ୍ପାନୀ ସହ ସେୟାର କରିବାକୁ ସରକାର ମନା କରିଦେଇଥିଲେ। ଏହି ନିୟମ ଅନୁଯାୟୀ ଗୁଗୁଲ ପେ ମଧ୍ୟ ବ୍ୟବହାରକାରୀଙ୍କ ତଥ୍ୟ ଗୁଗୁଲ ଗ୍ରୁପ୍ ପାଖରେ ସେୟାର କରିବା ପ୍ରକ୍ରିୟା ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ ବୋଲି ପେଟିଏମ ଯୁକ୍ତି ଦର୍ଶାଇଛି।
ପେଟିଏମ୍ର ଯୁକ୍ତିର ଉତ୍ତର ରଖିଛି ଗୁଗୁଲ। ଗୁଗୁଲ ପେ ସର୍ଭିସ କେବଳ ଗୁଗୁଲ ଉପଭୋକ୍ତା ହିଁ ବ୍ୟବହାର କରିପାରିବେ। ଗୁଗୁଲ ଆଇଡି ଦ୍ୱାରା ଉପଭୋକ୍ତାଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଉଛି। ଏହା ଦ୍ୱାରା ଅନଲାଇନ ନେଣଦେଣ ସୁରକ୍ଷିତ ହେବା ସହ ଠକେଇର ସମ୍ଭାବନା କମ। ତେଣୁ ଗୁଗୁଲ-ପେ ସର୍ଭିସକୁ ଗୁଗୁଲ ସର୍ଭରରୁ ଅଲଗା କରିବା ସମ୍ଭବ ନୁହେଁ ବୋଲି ଗୁଗୁଲ ସ୍ପଷ୍ଟ କରିଦେଇଛି। ଅପରପକ୍ଷରେ ଗୁଗୁଲ କୌଣସି ଉପଭୋକ୍ତାଙ୍କ ନେଣଦେଣ ତଥ୍ୟ ଗଚ୍ଛିତ ରଖୁ ନାହିଁ। ଯାହାକିଛି ନେଣଦେଣ ଗୁଗୁଲ ଉପଭୋକ୍ତା ଓ ବ୍ୟାଙ୍କ ମଧ୍ୟରେ ହେଉଛି ବୋଲି ଗୁଗୁଲ୍ କହିଛି।
ଅପରପକ୍ଷରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ(ୟୁପିଇ) ମାଧ୍ୟମରେ ଭାରତୀୟ କମ୍ପାନୀଙ୍କୁ ଗ୍ରାହକ ଓ ବ୍ୟାଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ ଓ ନେଣଦେଣ ପ୍ରକ୍ରିୟା ଚଲାଇବାକୁ ଏନପିସିଆଇ ନିର୍ଦେଶ ଦେଇଛି। ଅପରପକ୍ଷରେ ଏନପିସିଆଇ ବିଦେଶୀ କମ୍ପାନୀଙ୍କୁ ମଧ୍ୟ ଭାରତରେ କ୍ୟାସଲେସ ନେଣଦେଣକୁ ପ୍ରୋତ୍ସାହିତ କରିବାକୁ ସମ୍ମତି ପ୍ରଦାନ କରିଛି। ଯେଉଁ ବିଦେଶୀ କମ୍ପାନୀ ଏହି ପ୍ରକ୍ରିୟାରେ ସାମିଲ ହେଉଛନ୍ତି ସେମାନେ ନିଜସ୍ୱ ସର୍ଭର ଓ ମାଧ୍ୟମ ଦ୍ୱାରା ଗ୍ରାହକ ଚିହ୍ନଟ ଓ ନେଣଦେଣ ପ୍ରକ୍ରିୟା ଜାରି ରଖିଛନ୍ତି। ଫଳରେ ଭାରତୀୟ କମ୍ପାନୀ(ଯଥା ପେଟିଏମ୍) ୟୁପିଆଇ ମାଧ୍ୟମରେ ନେଣଦେଣ ପ୍ରକ୍ରିୟା କରୁଥିବାବେଳେ ଗୁଗୁଲ, ହ୍ୱାଟ୍ସଆପ୍ ପରି ବିଦେଶୀ କମ୍ପାନୀ ଭିନ୍ନ ସର୍ଭର ଓ ମାଧ୍ୟମ ଦ୍ୱାରା ବ୍ୟଙ୍କିଙ୍ଗ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଛନ୍ତି। ଫଳରେ ଭାରତୀୟ ଓ ବିଦେଶୀ କମ୍ପାନୀ ମଧ୍ୟରେ ଅନଲାଇନ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି।
ହ୍ୱାଟ୍ସଆପ ପରି କମ୍ପାନୀ ଯାହା ପାଖରେ ସର୍ବାଧିକ ଭାରତୀୟ ଉପଭୋକ୍ତା ରହିଛି ସେ ମଧ୍ୟ ଫେବୃୟାରୀ ସୁଦ୍ଧା କିଛି ନିଦ୍ଦିଷ୍ଟ ଗ୍ରାହକଙ୍କୁ ହ୍ୱାଟ୍ସଆପ୍ ପେମେଣ୍ଟ ସୁବିଧା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି। ପେଟିଏମ୍ ମାଲିକ ବିଜୟ ଶେଖର ଶର୍ମା ଏନପିସିଆଇର ଏଭଳି ଭିନ୍ନଭିନ୍ନ ନିୟମକୁ ନେଇ ଆପତ୍ତି ଉଠାଇଛନ୍ତି। ଖୁବ୍ ଶୀଘ୍ର ଟ୍ରୁ-କଲର ନାମକ ଆଉ ଏକ ଲୋକପ୍ରିୟ ବିଦେଶୀ କମ୍ପାନୀ ମଧ୍ୟ ଅନ ଲାଇନ କ୍ୟାସଲେସ ନେଣଦେଣରେ ପ୍ରବେଶ କରିଛି। ତେବେ ଏହି ବ୍ୟବସ୍ଥା ଭାରତରେ ଏତେ ମାତ୍ରାରେ ଲୋକପ୍ରିୟ ହୋଇପାରି ନାହିଁ।
ଫୋନ-ପେ ନାମକ ଭାରତୀୟ କମ୍ପାନୀ ମଧ୍ୟ ଉପଭୋକ୍ତାଙ୍କ ତଥ୍ୟ କର୍ପୋରେଟସ୍ତରରେ ସେୟାର କରୁଥିବା ସ୍ୱୀକାର କରୁଛି। ହେଲେ ପେଟିଏମ, ଫ୍ଲିକଆର୍ଟ ପରି କମ୍ପାନୀ ଉପଭୋକ୍ତାଙ୍କ ଡାଟା କେବଳ କମ୍ପାନୀ ଉପଭୋକ୍ତାଙ୍କୁ ଜାଣିବା ପାଇଁ ବ୍ୟବହାର କରୁଛି ବୋଲି ପ୍ରକାଶ କରିଛନ୍ତି। ଏହି ପ୍ରକ୍ରିୟା ମଧ୍ୟ ଗ୍ରାହକଙ୍କ ଅନୁମତି ନେବା ପରେ କରାଯାଉଛି। ଯେପରି କି ଗ୍ରାହକଙ୍କ କାର୍ଡ଼ ନମ୍ବର ସେଭ କରିବା ପରି ବ୍ୟବସ୍ଥା ମାଧ୍ୟମରେ। ଗୁଗୁଲ-ପେ ପରି ବିଦେଶୀ କମ୍ପାନୀ ସିଧାସଳଖ ବ୍ୟାଙ୍କ ଓ ଗ୍ରାହକଙ୍କ ସହ ଯୋଡ଼ି ହୋଇ ରହୁଥିବାବେଳେ ରିଜର୍ଭ ବ୍ୟାଙ୍କ ଆଫ ଇଣ୍ଡିଆ ସହ ଗୁଗୁଲ କୌଣସି ତଥ୍ୟ ସେୟାର କରୁ ନାହିଁ। ଅପରପକ୍ଷରେ ପେଟିଏମ, ଫୋନ-ପେ, ଡିଜିଟାଲ ୱାଲେଟ ଓ ଭାରତୀୟ ବ୍ୟାଙ୍କ ସିଧାସଳଖ ରିଜର୍ଭ ବ୍ୟାଙ୍କ ଆଫ ଇଣ୍ଡିଆ ନିୟନ୍ତ୍ରଣରେ ରହିଛି।