ମମିତା ମାଗୁଛି ‘ନ୍ୟାୟ’
ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲାକୁ ୧୨୦ ଦିନ ପୂରିଛି
ବଲାଙ୍ଗିର: ନା-ମମିତା ମେହେର। ବୟସ-୨୪। ଗାଁ ବଲାଙ୍ଗିର ଜିଲା ତୁରେକେଲା ବ୍ଲକ ଝରନି। ସୁଚେନ୍ଦ୍ର ମେହେର ଓ ତୁଲାସୀ ମେହେରଙ୍କ ଝିଅ ମମିତା ଗତ ଅକ୍ଟୋବର ୮ ତାରିଖରେ ଘରୁ ବାହାରିଥିଲେ। ବସ୍ରେ ଚାନ୍ଦୋତରା ଯାଏ ଆସିଥିଲେ। ଏହା ପରେ ଏକ କାର୍ରେ ସେ ବସିଥିଲେ। ବୁଲିବା ସହ ବିଭିନ୍ନ ସାମଗ୍ରୀ କିଣାକିଣି କରିଥିଲେ। କିନ୍ତୁ ଘରକୁ ଫେରି ନଥିଲେ। ଫୋନ୍ ବି ଲାଗି ନଥିଲା। ପରିବାର ଲୋକେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ମାମଲାକୁ ହାଲୁକା ଭାବେ ନେଇଥିଲା ପୁଲିସ। କିନ୍ତୁ ମମିତାଙ୍କ ରହସ୍ୟଜନକ ଭାବେ ଉଭାନ ହେବା ଘଟଣାରେ କଳାହାଣ୍ଡି ଓ ବଲାଙ୍ଗିର ପୁଲିସକୁ ନ୍ୟାୟ ଭିକ୍ଷା କରିଥିଲେ ବାପା-ମା। ଅକ୍ଟୋବର ୧୩ ତାରିଖରେ ସିନେ୍ଧକେଲା ଥାନାରେ ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ମମିତା ଚାକିରି କରୁଥିବା କଳାହାଣ୍ଡି ଜିଲା ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲର ପରିଚାଳନା ପରିଷଦ ସଭାପତି ଗୋବିନ୍ଦ ସାହୁଙ୍କ ଉପରକୁ ଆଙ୍ଗୁଳି ଉଠିଥିଲା। ଅକ୍ଟୋବର ୧୫ରେ ଗୋବିନ୍ଦଙ୍କୁ ଗିରଫ କରାଯାଇଥିଲା। ୨ ଦିନ ପୁଲିସ ହେପାଜତରେ ରହିବା ପରେ ସୁଯୋଗ ଦେଖି ଚମ୍ପଟ ମାରିଥିଲା ୧୭ ତାରିଖରେ। ବଲାଙ୍ଗିର ପୁଲିସ ମହାଲିଙ୍ଗ ସ୍ଥିତ ମହାଲିଙ୍ଗ କଲେଜର ମିନି ଷ୍ଟାଡିୟମରେ ଖୋଳାଯାଇଥିବା ଓ ମାଟି ପୋତା ଯାଇଥିବା ସ୍ଥାନରେ ଛାନବିନ କରିବା ପରେ ମମିତାଙ୍କ ଅର୍ଦ୍ଧଦଗ୍ଧ ଶବ ପାଇଥିଲା। ସେହିଦିନ ହିଁ ଗୋବିନ୍ଦ ଆଖୁ ବାଡିରେ ଲୁଚିଥିବା ବେଳେ ତାକୁ ପୁଲିସ କାବୁ କରିବାରେ ସକ୍ଷମ ହୋଇଥିଲା। ୨୦ ତାରିଖରେ ତାକୁ ନ୍ୟାୟାଳୟକୁ ପଠାଯାଇଥିଲା। ଜାମିନ ଖାରଜ ହେବା ପରେ ଜେଲ୍ ଯାଇଥିଲା ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଓ କାର୍ ଚାଳକ ରାଧେଶ୍ୟାମ ଚଣ୍ଡି। ଇତିମଧ୍ୟରେ ମମିତା ହତ୍ୟାକାଣ୍ଡକୁ ୪ ମାସ ବିତିଛି। ନିକଟରେ ସିନ୍ଧେକେଲା ପୁଲିସ ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି ନ୍ୟାୟାଳୟରେ ଚାର୍ଜସିଟ୍ ଦାଖଲ କରିଛନ୍ତି।
ମିଳିଲାନି ମୋବାଇଲ୍ ଓ ପେନ୍ ଡ୍ରାଇଭ୍
ମହାଲିଙ୍ଗ କଲେଜରେ ଦେହ କାରବାର ଚାଲିଥିଲା। ଏଭଳି ସାଂଘାତିକ ତଥ୍ୟ ଉପସ୍ଥାପିତ ହୋଇଥିଲା। ବହୁ ବଡବଡିଆ ଏହି କାରବାରରେ ସଂପୃକ୍ତ ଥିଲେ। ଯାହାର ଭିଡିଓ ଓ ପ୍ରମାଣ ମୃତା ମମିତାଙ୍କ ପାଖରେ ମହଜୁଦ ଥିଲା। ଏସଂପର୍କରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଜାଣିବା ପରେ ତାଙ୍କୁ ଭୁତାଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲା। ସଫଳ ନହେବା ପରେ ଅକ୍ଟୋବର ୮ ତାରିଖରେ କାର୍ରେ ହିଁ ହତ୍ୟା କରିଥିଲା ମମିତାଙ୍କୁ। ରାତିରେ ମିନି ଷ୍ଟାଡିୟମରେ ଜେସିବି ସହାୟତାରେ ଖାଲ ଖୋଳି ମମିତାଙ୍କ ଶବକୁ ପୋଡିଥିଲେ। ଏହାପରେ ମାଟି ପକାଇ ଦେଇଥିଲେ। ତେବେ ଏହି ମାମଲାରେ ବେଶ ଗୁରୁତ୍ୱପୂର୍ଣ୍ଣ ହେଉଛି ମୃତା ମମିତାଙ୍କ ମୋବାଇଲ୍ ଓ ପେନ୍ ଡ୍ରାଇଭ୍। ଏହାକୁ ଏପର୍ଯ୍ୟନ୍ତ ଠାବ କରାଯାଇ ପାରିନି। ଏହା ମିଳିଥିଲେ ବହୁ ଗୁମର ଉପରୁ ପର୍ଦ୍ଦା ହଟିଥାନ୍ତା। କିନ୍ତୁ ତାହା ହୋଇପାରିଲା ନାହିଁ।
ବାପା-ମା ଚୁପ୍, ସ୍ୱର ଉଠାଉଛନ୍ତି ବଡ ବାପା
ମୃତା ମମିତାଙ୍କ ବାପା ଓ ମା’ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ସ୍ୱର ଶାଣିତ କରିଥିଲେ। କାରଣ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଥିଲେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଅତ୍ୟନ୍ତ ଘନିଷ୍ଠ। ମନ୍ତ୍ରୀ ଓ ଗୋବିନ୍ଦଙ୍କ ଯୋଗୁଁ ବହୁ ମନ୍ତ୍ରୀ ଆସୁଥିଲେ ମହାଲିଙ୍ଗ କଲେଜକୁ। ହତ୍ୟାକାଣ୍ଡ ପଛରେ ମନ୍ତ୍ରୀଙ୍କ ହାତ ରହିଥିବା ଓ ଷଡଯନ୍ତ୍ର ରଚିଥିବା ଖୋଲାଖୋଲି କହୁଥିଲେ ମୃତା ମମିତାଙ୍କ ବାପା-ମା। ହେଲେ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ଦ୍ୱାହି ଦେଇ ତାଙ୍କର ସଂପୃକ୍ତି ନଥିବା ମନ୍ତ୍ରୀ କହିବା ପରେ ମୋଡ ବଦଳିଥିଲା। ବାପା-ମା’ ନୀରବ ହୋଇଯାଇଥିଲେ। ପୁଲିସ ମମିତା ପିନ୍ଧିଥିବା ସୁନା ଓ ଅନ୍ୟାନ୍ୟ ଆଭୁଷଣ ପରିବାର ଲୋକଙ୍କୁ ଫେରାଇ ଦେଇଥିବା ବେଳେ ଏହାକୁ ତଦନ୍ତ ପରିସର କରାଯିବା କଥା ବୋଲି ଆଇନଜୀବୀମାନେ ମତ ଦେଉଛନ୍ତି। ତେବେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ରାଜ୍ୟରେ ଦାବି ଜୋର ଧରିଥିଲା। କଂଗ୍ରେସ-ବିଜେପି ସହ ଅନେକ ସ୍ବେଚ୍ଛାସେବୀ ଓ ନାରୀ ସଂଗଠନମାନେ ଆନ୍ଦୋଳନକୁ ଜୋରଦାର କରିଥିଲେ। ତେବେ ଏହି ମାମଲାରେ ମୃତା ମମିତାଙ୍କ ବଡ ବାପା କୌଶିକ ମେହେର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇବା ସହ ୨ଜଣଙ୍କୁ ଗିରଫ କରି ମାମଲାକୁ ପୁଲିସ ନିଜ ନିୟନ୍ତ୍ରଣକୁ ନେଇଯାଇଥିବା ପ୍ରକାଶ କରିଛନ୍ତି।
୨ହଜାର ପୃଷ୍ଠାର ଚାର୍ଜସିଟ
ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲାକୁ ୧୨୦ ଦିନ ପୂରିଛି। ତେବେ ପୁଲିସ ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି ନ୍ୟାୟାଳୟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଓ ରାଧେଶ୍ୟାମକୁ ହାଜର କରିଥିଲା। ଗତ ୬ ତାରିଖରେ ଜାମିନ ପାଇବା ପାଇଁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଆଇନଜୀବୀ ମୋହନଲାଲ ଶର୍ମା। ଆସନ୍ତା ୩ ସପ୍ତାହ ମଧ୍ୟରେ ଏହାର ଶୁଣାଣି ହେବ। କିନ୍ତୁ ସିନ୍ଧେକେଲା ପୁଲିସର ଚାର୍ଜସିଟ୍ ଦେବା ନେଇ ପ୍ରଶ୍ନ ଉଠିଥିଲା। ପୁଲିସ ସଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ନକଲେ ଅଭିଯୁକ୍ତ ୨ଜଣ ଜାମିନ ପାଇବାର ସମ୍ଭାବନା ରହିଥିଲା। ମିଳିଥିବା ତଥ୍ୟ ଅନୁସାରେ, ପୁଲିସ ପକ୍ଷରୁ ୨ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ୧୬୪ ଧାରାରେ ୧୩ଜଣଙ୍କ ବୟାନ, ୧୬୧ ଧାରାରେ ଶହେ ଜଣଙ୍କ ବୟାନ ସହ ଫରେନସିକ୍, ସାଇଣ୍ଟିଫିକ୍ ତଥା ଅନ୍ୟାନ୍ୟ ସୂଚନା ପୁଲିସ ପକ୍ଷରୁ ଦିଆଯାଇଛି।
କଳା କୋଟ୍ ପିନ୍ଧିବେ ନରସିଂହ!
ବଲାଙ୍ଗିର ବିଧାୟକ ତଥା ପୂର୍ବ ଆଇନ ମନ୍ତ୍ରୀ ନରସିଂହ ମିଶ୍ର। ଆଇନ ସଂପର୍କରେ ବିଧାୟକ ଶ୍ରୀ ମିଶ୍ରଙ୍କ ଅନେକ ଅଭିଜ୍ଞତା। ମମିତା ହତ୍ୟାକାଣ୍ଡ ମାମଲାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାରଙ୍କୁ ନେଇ ବିଧାୟକ ଶ୍ରୀ ମିଶ୍ର ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯାଇଥିଲେ ତାଙ୍କ ପରିବାରକୁ ଭେଟିବା ପାଇଁ। ସେତେବେଳେ କଂଗ୍ରେସ ପ୍ରତିନିଧି ଦଳ ସମ୍ମୁଖରେ ମୃତା ମମିତାଙ୍କ ପରିବାର ଲୋକେ ସାଂଘାତିକ ତଥ୍ୟ ରଖିଥିଲେ। ପରବର୍ତ୍ତୀ ସମୟରେ ନୀରବତା ଭିନ୍ନ କଥା କହୁଛି କହନ୍ତି କଂଗ୍ରେସ ନେତାଏ। ତେବେ ମୃତ ମମିତାଙ୍କ ପାଇଁ ଜନସ୍ୱାର୍ଥ ମାମଲା ଦାୟର୍ କରିବା ସହ ପୁଣିଥରେ କଳା କୋଟ୍ ପିନ୍ଧିବେ ବୋଲି କହିଛନ୍ତି ନରସିଂହ। ଆବଶ୍ୟକ ଦସ୍ତାବିଜ ସଂଗ୍ରହ ଚାଲିଥିବା ବେଳେ ମାମଲା ପାଇଁ ପ୍ରସ୍ତୁତି ହେଉଥିବା କହିଛନ୍ତି ବିଧାୟକ।
Comments are closed.