ଭୁବନେଶ୍ୱର : ପଶ୍ଚିମା ଝଡ଼ ଯୋଗୁଁ ବଙ୍ଗୋପ ସାଗର ମଧ୍ୟରୁ ଓଡ଼ିଶା ଭିତରକୁ ଉଷ୍ଣ ଜଳୀୟବାଷ୍ପ ବାୟୁ ପ୍ରବାହ ଦ୍ବାରା ଗୁରୁବାର ଏବଂ ୪ ତାରିଖରେ ରାଜ୍ୟର କିଛି ଜିଲାରେ ବର୍ଷା ହୋଇପାରେ। କେତେକ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହୋଇପାରେ। ଭୁବନେଶ୍ବର ପାଣିପାଗ ବିଜ୍ଞାନକେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ଏବଂ ଉତ୍ତର ଉପକୂଳ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନ ଏବଂ ନୂଆପଡା, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ବଜ୍ରପାତ ନେଇ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।
ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁହୁଡି ହୋଇପାରେ । ଗୁରୁବାର ଭୋରୁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ଏବଂ ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟ ଏବଂ କଳାହାଣ୍ଡି ଜିଲାର କିଛି ସ୍ଥାନରେ କୁହୁଡି ଦୃଶ୍ୟମାନର ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ ଏବଂ କନ୍ଧମାଳ ଜିଲାର କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷେ ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି ପାଇବା ହେତୁ ଶୀତ ପ୍ରକୋପ କମିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ୯.୫ ଡିଗ୍ରୀ ଏବଂ ଦାରିଙ୍ଗବାଡିରେ ୧୦.୫ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ୧୬ ଡିଗ୍ରୀ ଏବଂ କଟକରେ ୧୪.୫ ଡିଗ୍ରୀ ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୫ ତାରିଖରୁ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ, ଫଳରେ ଶୀତ ବଢ଼ିବ। ଘନ କୁହୁଡି, ବର୍ଷା ଓ କୁଆପଥର ମାଡକୁ ନେଇ ସତର୍କ ରହିବାକୁ ସମସ୍ତ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ (ଏସଆରସି) ପରାମର୍ଶ ଦେଇଛନ୍ତି।
ଆଜିଠୁ ଦୁଇଦିନ ବର୍ଷା ; ବଜ୍ରପାତ ନେଇ ୭ ଜିଲାକୁ ସତର୍କ ସୂଚନା
Popular Categories



