ବ୍ରହ୍ମପୁର : ଥରେ ଯିଏ ସୈନିକ ସାଜିଲା, ସେ ଶେଷ ନିଃଶ୍ବାସ ଯାଏଁ ସୈନିକ ହୋଇ ରୁହେ । ତାଙ୍କ ପାଇଁ ଛୁଟି ନ ଥାଏ କି ନଥାଏ ଅବସର। ଏକଥାକୁ ପ୍ରମାଣିତ କରିଛନ୍ତି ବ୍ରହ୍ମପୁରର ସୀମାଞ୍ଚଳ ବାରିକ ଓରଫ କାଳିଆ ଭାଇନା। ସେନାରେ ଭର୍ତ୍ତି ହୋଇ ୨୦ ବର୍ଷ ଦେଶମାତୃକାର ସେବା କରିବା ପରେ ଅବସର ନେଇଥିଲେ। ଆଉ ଏବେ ସେ ମାଗଣାରେ ଯୁବକ ଯୁବତୀଙ୍କୁ ସେନାରେ ନିଯୁକ୍ତି ପାଇଁ ତାଲିମ୍ ଦେଉଛନ୍ତି। ‘କାଳିଆ ଭାଇନା’ ନାଁରେ ପରିଚିତ ସୀମାଞ୍ଚଳ ୟୁଟ୍ୟୁବ୍ରେ ମଧ୍ୟ ଭିଡ଼ିଓ ମାଧ୍ୟମରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରଶିକ୍ଷଣ ଦେଉଛନ୍ତି। ୟୁଟ୍ୟୁବ୍ରେ ତାଙ୍କର ପ୍ରାୟ ସାଢ଼େ ୫ ଲକ୍ଷ ଅନୁଗାମୀ ଅଛନ୍ତି।
ବ୍ରହ୍ମପୁର ରାମନଗର ବାସିନ୍ଦା ସୀମାଞ୍ଚଳ। ବାପା ପିତାମ୍ବର ଏବଂ ମା’ ଗୁରୁବାରୀଙ୍କ ୬ ସନ୍ତାନ ମଧ୍ୟରେ ପଞ୍ଚମ ସନ୍ତାନ ହେଉଛନ୍ତି ସୀମାଞ୍ଚଳ। ପିଲାଟି ଦିନରୁ ସେନାରେ ସାମିଲ ହେବାକୁ ତାଙ୍କର ସ୍ବପ୍ନ ରହିଥିଲା। ସେଥିପାଇଁ କଠିନ ପରିଶ୍ରମ କରିଥିଲେ। ପଡ଼ିଆକୁ ଯାଇ ସୁନ୍ଦର ସ୍ବାସ୍ଥ୍ୟ ଗଠନ କଲେ। ତାଙ୍କର ଏହି ପରିଶ୍ରମ ଫଳପ୍ରଦ ହେଲା। ବ୍ରହ୍ମପୁର ସିଟି ମହାବିଦ୍ୟାଳୟରେ ଯୁକ୍ତଦୁଇ ପଢ଼ିବା ସମୟରେ ୨୦୦୦ ମସିହାରେ ସେନାରେ ନିଯୁକ୍ତି ପାଇଲେ। ଶାରୀରିକ ପ୍ରଶିକ୍ଷଣ ପାଇଁ ତାଙ୍କର ଆଗ୍ରହ ଥିଲା। ଏଣୁ ସେଥିରେ ସେ ତାଲିମ ଗ୍ରହଣ କଲେ। ପରେ ଶାରୀରିକ ପ୍ରଶିକ୍ଷଣ ବିଶେଷଜ୍ଞ ଭାବେ ହିଁ ସେନାରେ କାର୍ଯ୍ୟ କଲେ। ସେନାର କନିଷ୍ଠ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କୁ ବ୍ୟାୟାମ ଏବଂ ଅନ୍ୟାନ୍ୟ ତାଲିମ୍ ଦେଉଥିଲେ। ପ୍ରାୟ ୨୦ ବର୍ଷ ପରେ ଗତ ୨୦୨୦ ଜୁଲାଇ ୩୧ ତାରିଖରେ ସେନାରୁ ସେ ନେଲେ ଅବସର।
ଚାକିରିରୁ ସିନା ଅବସର ନେଲେ, ହେଲେ ଶରୀରରେ ରହିଯାଇଥିଲା ଜଣେ ସୈନିକର ମନ। ଦିନରାତି ସେ ସେନା ବାହିନୀ କଥା ଭାବୁଥିଲେ। ନିଜେ ଅବସର ନେଇଥିଲେ ମଧ୍ୟ ପରବର୍ତ୍ତୀ ପୀଢୀକୁ ସେନା ବାହିନୀ ପାଇଁ ପ୍ରସ୍ତୁତ କରିବାକୁ ମନସ୍ଥ କରିଥିଲେ। କିଛି ମାସର ଯୋଜନା ପରେ ଆରମ୍ଭ କରିଥିଲେ ବ୍ରହ୍ମପୁର ଫିଜିକାଲ ଏକାଡେମୀ। ପ୍ରଥମେ ପ୍ରଥମେ ସେ ୟୁଟ୍ୟୁବ୍ରେ ଭିଡ଼ିଓ ପୋଷ୍ଟ କରୁଥିଲେ। ମୁଖ୍ୟତଃ ହିନ୍ଦୀ ଭାଷାରେ ଥିବା ଏହି ଭିଡ଼ିଓଗୁଡ଼ିକରେ ସୀମାଞ୍ଚଳ ଓଜନ ହ୍ରାସ, ବିଭିନ୍ନ ପ୍ରକାର ବ୍ୟାୟାମ ସହିତ ସନ୍ତରଣ ଏବଂ ଅନ୍ୟାନ୍ୟ ବିଷୟରେ ତାଲିମ୍ ଦେଉଥିଲେ। ଧିରେ ଧିରେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଅନୁଗାମୀଙ୍କ ସଂଖ୍ୟା ବଢ଼ିଲା। ଭିଡ଼ିଓ ଦେଖିବା ପରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ତାଙ୍କ ପାଖକୁ ତାଲିମ୍ ନେବା ପାଇଁ ଆସିଲେ। ଖଲିକୋଟ ବିଶ୍ବ ବିଦ୍ୟାଳୟ ପଡ଼ିଆ ଏବଂ ମେଡ଼ିକାଲ ପଡ଼ିଆରେ ତାଲିମ୍ ଦେବା ଆରମ୍ଭ କଲେ। ବର୍ତ୍ତମାନ ତାଙ୍କ ଦ୍ବାରା ସ୍ଥାପିତ ଫିଜିକାଲ ଏକାଡେମୀରେ ଶତାଧିକ ଯୁବକଯୁବତୀ ସେନା ବାହିନୀରେ ନିଯୁକ୍ତି ପାଇଁ ତାଲିମ୍ ନେଉଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଏମିତି ମଧ୍ୟ ଅଛନ୍ତି, ଯେଉଁମାନେ କେବଳ ସୁନ୍ଦର ସ୍ବାସ୍ଥ୍ୟ ଗଠନ ଏବଂ ବ୍ୟାୟାମ କରିବାକୁ ଆସୁଛନ୍ତି। ସୀମାଞ୍ଚଳଙ୍କ ତାଲିମ୍ ପ୍ରଦାନର ଶୈଳୀ ଅନେକଙ୍କୁ ପସନ୍ଦ ଆସିବାରେ ଲାଗିଛି। ମାତ୍ର ଗୋଟିଏ ବର୍ଷ ଏବଂ କିଛି ମାସ ଭିତରେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ରେ ୫ଲକ୍ଷ ୪୩ହଜାରରୁ ଅଧିକ ଅନୁଗାମୀ ଅଛନ୍ତି। ଏପିରିକି ଚ୍ୟାନେଲ ଆରମ୍ଭ କରିବାର ମାତ୍ର ତିନି ମାସ ଭିତରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ଏକ ଲକ୍ଷ ହୋଇଯାଇଥିବା ଯୋଗୁ ୟୁଟ୍ୟୁବ୍ ତରଫରୁ ସିଲଭର୍ ପ୍ଲେ ବଟନ୍ ମିଳିଥିଲା। ଭିଡ଼ିଓଗୁଡ଼ିକର ଦର୍ଶକଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ତାଙ୍କ ରୋଜଗାରେ ମଧ୍ୟ ବଢ଼ିଛି। ସୀମାଞ୍ଚଳ ୪ଶହରୁ ଅଧିକ ଭିଡ଼ିଓ ପୋଷ୍ଟ କରିଛନ୍ତି। ୟୁଟ୍ୟୁବ୍ ପକ୍ଷରୁ ପ୍ରଥମେ ୮ହଜାର ଟଙ୍କା ତାଙ୍କୁ ମିଳିଥିବା ବେଳେ ବର୍ତ୍ତମାନ ସେ ମାସକୁ ୯୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କା କମାଉଛନ୍ତି।
ସୀମାଞ୍ଚଳଙ୍କ କହିବାନୁଯାୟୀ, ଭାରତୀୟ ସେନା ବାହିନୀରେ ଯୋଗଦେବା ପାଇଁ ବହୁ ଗରିବ ଶ୍ରେଣୀର ପିଲାମାନେ ସଠିକ୍ ତାଲିମ ପାଇପାରୁନାହାନ୍ତି। ଏଣୁ ୟୁଟ୍ୟୁବ୍ ମାଧ୍ୟମରେ ପିଲାଙ୍କୁ ସଠିକ୍ ତାଲିମ ବିଷୟରେ ଶିଖାଇବା ପାଇଁ ଏହି ଚ୍ୟାନେଲ ଖୋଲିବା ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ତାଙ୍କ ପାଖକୁ କେବଳ ବ୍ରହ୍ମପୁରର ନୁହେଁ ବରଂ ଗଞ୍ଜାମ ଜିଲା ଏପରିକି ରାଜ୍ୟ ବାହାରୁ ମଧ୍ୟ ପିଲା ଆସୁଛନ୍ତି। ଗରିବ ପିଲାଙ୍କୁ ସେ ମାଗଣା ତାଲିମ ଦେବା ସହ ସେମାନଙ୍କୁ ଗୋଟିଏ ତାଲିମ୍ କିଟ୍ ମଧ୍ୟ ଦେଉଛନ୍ତି।
ଏଯାଏଁ ତାଙ୍କ ଦ୍ବାରା ପ୍ରଶିକ୍ଷଣ ନେଉଥିବା ଶତାଧିକ ଯୁବକ ଯୁବତୀ ସେନା ସହ ଅନ୍ୟାନ୍ୟ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସେ ପ୍ରକାଶ କରିଛନ୍ତି।
‘କାଳିଆ ଭାଇନା’ଙ୍କ ମାଗଣା ସେନା ତାଲିମ
Popular Categories



