ଭୁବନେଶ୍ବର: ଓଡ଼ିଶାରେ ପୁଞ୍ଜି ନିବେଶ କରିବ ଫ୍ରାନ୍ସ । ଏନେଇ ଶନିବାର ଦିନ ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ବିଶେଷକରି ହୋଟେଲ, ଇସ୍ପାତ୍, ବୈଦ୍ୟୁତିକ ଉପକରଣ , ଶକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ଫ୍ରାନ୍ସର ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ଆଗାମୀ ନଭେମ୍ବର ମାସରେ ଭୁବନେଶ୍ବରରେ ହେବାକୁ ଥିବା ମେକ୍-ଇନ୍-ଓଡିଶା କନକ୍ଲେଭରେ ଫ୍ରାନ୍ସର ବିଭିନ୍ନ କମ୍ପାନୀ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଓଡିଶାରେ ପ୍ରାନ୍ସ କମ୍ପାନୀ ପୁଞ୍ଜି ନିବେଶ କରିବା ଦ୍ବାରା ଭାରତ ଓ ଫ୍ରାନ୍ସ ମଧ୍ୟରେ ବ୍ୟାପକ ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କ ସ୍ଥାପିତ ହୋଇପାରିବ । ଓଡିଶା ଏକ ଖଣି ସମୃଦ୍ଧ ରାଜ୍ୟ । ଦେଶର ମୋଟ ଆଲୁମିନିୟମ ଉତ୍ପାନର ୫୪ ପ୍ରତିଶତ ଉତ୍ପାଦନ କରି ଓଡିଶା ଦକ୍ଷିଣ ଏସିଆର ଆଲୁମିନିୟମ କ୍ୟାପିଟାଲ ଭାବେ ପରିଗଣିତ ହେଉଛି । ସେହିପରି ଦେଶର ଇସ୍ପାତ ଉତ୍ପାଦନର ୧୫ ପ୍ରତିଶତ ଓଡିଶାରେ ଉତ୍ପାଦିତ ହେଉଛି ବୋଲି ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ଏୟାରକ୍ରାପ୍ଟ, ବୈଦ୍ୟୁତିକ ଉପକରଣ, ମେଡିକାଲ ଯାନ୍ତ୍ରିକ ଉପକରଣ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଓଡିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ମୁମ୍ବଇ ଓ ପରେ ଦିଲ୍ଲୀରେ ନିବେଶକ ସମ୍ମିଳନୀ ଓ ରୋଡ୍ ସୋ କରିଥିଲେ । ଏଇ ମାସ ଶେଷ ସପ୍ତାହରେ ଚେନ୍ନାଇରେ ମଧ୍ୟ ରୋଡ୍ ସୋ’ ଆୟୋଜନ ହେବ ବୋଲି ସୂଚନା ମିଳିଛି।



