ଚଳିତ ବର୍ଷ ବିଦେଶରେ ଡାକ୍ତରୀ ପଢ଼ିବା ପାଇଁ ନିଟ୍ ବାଧ୍ୟତାମୂଳକ ନୁହେଁ
ନୂଆଦିଲ୍ଲୀ: ବିଦେଶରେ ଡାକ୍ତରୀ ପଢ଼ିବା ପାଇଁ ଉଦ୍ଦିଷ୍ଟ ବାଧ୍ୟତାମୂଳକ ନିଟ୍ ପରୀକ୍ଷା ସର୍ତ୍ତକୁ ଚଳିତ ବର୍ଷ ପାଇଁ କୋହଳ କରାଯାଇଛି। ଅର୍ଥାତ୍ ନିଟ୍ ପରୀକ୍ଷା ଦେଇ ନଥିବା କିମ୍ବା ସେଥିପାଇଁ ପଞ୍ଜିକରଣ କରି ନଥିବା ଛାତ୍ରଛାତ୍ରୀଙ୍କୁ ବିଦେଶରେ ପଢ଼ିବାକୁ ଅନୁମତି ମିଳିବ। ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ(ଏମ୍ସିଆଇ) ସହିତ ଆଲୋଚନା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଉପରୋକ୍ତ ନିଷ୍ପତ୍ତି ନେଇଛି।
ଗତ ଶୁକ୍ରବାର ଏମ୍ସିଆଇ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୨୦୧୮ ଶିକ୍ଷାବର୍ଷରେ ଯେଉଁମାନେ ନିଟ୍ ପରୀକ୍ଷା ଦେଇ ନଥିବେ ସେମାନେ ବିଦେଶରେ ଡାକ୍ତରୀ ପଢ଼ିବା ପାଇଁ ସ୍ୱାଧୀନ ଭାବେ ଆବେଦନ କରିପାରିବେ। କିନ୍ତୁ ଯେଉଁ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେଇଥିବେ ଅଥଚ ର୍ୟାଙ୍କ ପାଇବାରେ ବିଫଳ ହୋଇଥିବେ ସେମାନଙ୍କୁ ବିଦେଶ ଯିବା ପାଇଁ ଅନୁମତି ମିଳିବନି। ବିଦେଶରେ ପଢ଼ିବା ପାଇଁ ଯିବା ପୂର୍ବରୁ ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏକ ଲିଖିତ ସ୍ୱୀକାରୋକ୍ତି ଏମ୍ସିଆଇ ନିକଟରେ ଦାଖଲ କରିବେ। ସେଥିରେ ସେମାନେ ନିଟ୍ ପରୀକ୍ଷା ଦେଇ ନଥିବା କିମ୍ବା ପଞ୍ଜିକରଣ କରି ନଥିବା ଉଲ୍ଲେଖ କରିବେ। ଯଦି ପରବର୍ତ୍ତୀ ସମୟରେ ସ୍ୱୀକାରୋକ୍ତି ଭୁଲ୍ ଥିବା ଜଣାପଡ଼େ ତେବେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବିଦେଶରେ ଡାକ୍ତରୀ ପଢ଼ିବାକୁ ନିଟ୍ ବାଧ୍ୟତାମୂଳକ ସର୍ତ୍ତ ଉଚ୍ଛେଦ ପାଇଁ କେତେକ ଛାତ୍ରଛାତ୍ରୀ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନ ଉପରେ ଶୁଣାଣି କରି ଗତ ଅଗଷ୍ଟ ୩ ତାରିଖରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ। ବିନା ନିଟ୍ରେ ବିଦେଶରେ ଡାକ୍ତରୀ ପଢ଼ିବା ପାଇଁ ଥରେ ମାତ୍ର ରିହାତି ପାଇଁ ଏମ୍ସିଆଇର ଅନୁମତି ଆଣିବାକୁ ଆବେଦନକାରୀଙ୍କୁ ହାଇକୋର୍ଟ କହିଥିଲେ। ଏହି ମାମଲାରେ ଏମ୍ସିଆଇ ଚଳିତ ବର୍ଷ ପାଇଁ ଏହି କୋହଳ ବ୍ୟବସ୍ଥା କରିଛନ୍ତି।
ପୂର୍ବରୁ ବିଦେଶରେ ଡାକ୍ତରୀ ପଢ଼ିବା ପାଇଁ ଦ୍ୱାଦଶ ଶ୍ରେଣୀରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ଓ ପ୍ରାଣୀ ବିଜ୍ଞାନରେ ଅନ୍ୟୁନ ୫୦% ନମ୍ବର ରଖିବା ଆବଶ୍ୟକ ବୋଲି ନିୟମ ଥିଲା। କିନ୍ତୁ ଗତ ମାର୍ଚ୍ଚ ୮ ତାରିଖରେ ଏହି ନିୟମରେ ପରିବର୍ତ୍ତନ କରି ବିଦେଶରେ ଡାକ୍ତରୀ ପାଇଁ ନିଟ୍ ବାଧ୍ୟତାମୂଳକ ବୋଲି ଏମ୍ସିଆଇ ବିଜ୍ଞପ୍ତି ଜାରି କରିଥିଲେ। ଏହି ବିଜ୍ଞପ୍ତି ବିରୋଧରେ ନିଟ୍ ଦେଇ ନ ଥିବା କିମ୍ବା ପଞ୍ଜିକରଣ କରି ନଥିବା ଛାତ୍ରଛାତ୍ରୀ କୋର୍ଟରେ ଆବେଦନ କରିଥିଲେ। ଜଣେ ଆବେଦନକାରୀ ଦର୍ଶାଇଥିଲେ ଯେ ବିଦେଶରେ ଡାକ୍ତରୀ ପାସ୍ କରି ଭାରତରେ ଚାକିରି କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ନିଟ୍ ସ୍ତରୀୟ ଏକ ସ୍କ୍ରନିଂ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ୁଛି। ତେଣୁ ବିଦେଶରେ ପଢ଼ିବାକୁ ଇଚ୍ଛୁକ ଜଣେ ଛାତ୍ର ବା ଛାତ୍ରୀ ଅଯଥାରେ କାହିଁକି ନିଟ୍ ପରୀକ୍ଷା ଦେବ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ।