ନୂଆଦିଲ୍ଲୀ : ଆଧାର ଏନ୍ରୋଲ୍ମେଣ୍ଟସ୍ ସପ୍ଟୱେୟାର୍କୁ ସହଜରେ ହାକ୍ କରାଯାଇ ପାରିବ ବୋଲି ପ୍ରକାଶିତ ଖବରଗୁଡ଼ିକୁ ୟୁଆଇଡିଏଆଇ ପକ୍ଷରୁ ଖଣ୍ଡନ କରାଯାଇଛି। ଏଭଳି ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ଦାୟିତ୍ୱ ହୀନତାର ପରିଚୟ ବୋଲି ୟୁଆଇଡିଏଆଇ କହିଛି। ୟୁଆଇଡିଏଆଇ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଲୋକମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ଜାଣିଶୁଣି ଉଦ୍ୟମ କରୁଛନ୍ତି ଏବଂ ଏଭଳି କରିବା ଅନୁଚିତ।
ସେହିପରି ଜାଲିଆତି କରାଯାଇ ବହୁ ସଂଖ୍ୟକ ଆଧାରକାର୍ଡ ତିଆରି କରାଯାଇ ପାରିବ ବୋଲି ଯେଉଁସବୁ ଖବର ପ୍ରକାଶ ପାଇଛି ତାହା ମଧ୍ୟ ସମ୍ପୂର୍ଣ୍ଣ ଅମୂଳକ ବୋଲି ଏହି ବିବୃତ୍ତିରେ କୁହାଯାଇଛି। ବାସସ୍ଥାନ ସଂକ୍ରାନ୍ତୀୟ ତଥ୍ୟ ଏବଂ ଏଥିରେ କିଭଳି ଜାଲିଆତି କରାଯାଇ ନ ପାରିବ, ଫିଜିକାଲ୍ ସିକ୍ୟୁରିଟି, ଆଧାର ଜାଲିଆତି ନିରୋଧ ବ୍ୟବସ୍ଥା ଏବଂ ନେଟ୍ୱର୍କ ନିରାପତ୍ତା ଭଳି ପଦକ୍ଷେପଗୁଡ଼ିକ ନିଆଯାଇଥିବାରୁ ସେହି ବ୍ୟକ୍ତି ନିଜେ ବାୟୋମେଟ୍ରିକ୍ ନଦେଲା ପର୍ଯ୍ୟନ୍ତ ଆଧାର ଅପ୍ଡେଟ୍ ହେଇପାରିବ ନାହିଁ। ଏଣୁ ଆଧାର ଡାଟାବେସ୍ ଭିତରକୁ କେହି ଜାଲିଆତି କରି ପ୍ରବେଶ କରିପାରିବେ ନାହିଁ। ୟୁଆଇଡିଏଆଇ ପକ୍ଷରୁ ଜନସାଧାରଣଙ୍କ ପାଇଁ ଜାରି କରାଯାଇଥିବା ପରାମର୍ଶରେ କୁହାଯାଇଛି, ବ୍ୟାଙ୍କ୍ ଶାଖା, ଡାକଘର ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱୀକୃତିପ୍ରାପ୍ତ ଆଧାର ପଞ୍ଜୀକରଣ କେନ୍ଦ୍ରଗୁଡ଼ିକରେ ସେମାନେ ନିଜ ନିଜର ଆଧାର ପଞ୍ଜୀକରଣ ଅପ୍ଡେଟ୍ କରି ପାରିବେ।
ଆଧାର ସପ୍ଟୱେୟାର୍କୁ ସହଜରେ ହାକ୍ କରାଯାଇ ପାରିବ ନାହିଁ : ୟୁଆଇଡିଏଆଇ
Popular Categories



