www.samajalive.in
Tuesday, December 9, 2025
17.1 C
Bhubaneswar

ଅଢ଼େଇ ଲକ୍ଷ କୋଟି ନିବେଶ, ୩୦ ଲକ୍ଷଙ୍କୁ ନିଯୁକ୍ତି

ଭୁବନେଶ୍ୱର:ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀଠାରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ନିବେଶକ ସମ୍ମିଳନୀ ଏବଂ ରୋଡ୍‍ ଶୋ’। ଏହି ଅବସରରେ ନୂଆଦିଲ୍ଲୀଠାରେ ଆଜି ବିଭିନ୍ନ ରାଷ୍ଟ୍ରର ବାଣିଜ୍ୟ ଏବଂ ଦୂତାବାସ ପ୍ରତିନିଧିଙ୍କୁ ଭେଟିଛନ୍ତି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ। ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ ୨୦୧୮କୁ ବିଭିନ୍ନ ରାଷ୍ଟ୍ରରୁ ନିବେଶକଙ୍କୁ ଆକୃଷ୍ଟ କରିବା ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‍ ଶୀଘ୍ର କଲକାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ଏଭଳି ନିବେଶକ ସମ୍ମିଳନୀର ଆୟୋଜନ କରାଯିବ ବୋଲି ଓଡ଼ିଶା ଶିଳ୍ପ ପ୍ରୋତ୍ସାହନ ଏବଂ ନିବେଶ ନିଗମ (ଇପିକଲ୍‍)ପକ୍ଷରୁ କୁହାଯାଇଛି। ତେବେ ଭିଜନ୍‍ ୨୦୨୫ ଅନୁଯାୟୀ ରାଜ୍ୟ ସରକାର ଅଢେଇ ଲକ୍ଷ କୋଟି ଟଙ୍କାର ନିବେଶ ଆକୃଷ୍ଟ ଏବଂ ୩୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ ଲକ୍ଷ୍ୟ ରଖିଥିବା ଜଣାଯାଇଛି।
ନିବେଶକ ସମ୍ମିଳନୀରେ ଆଜି ନୂଆଦିଲ୍ଲୀଠାରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ଏବଂ ବିଭିନ୍ନ ରାଷ୍ଟ୍ରର ବାଣିଜ୍ୟ ଓ ଦୂତାବାସ ପ୍ରତିନିଧିଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଉପସ୍ଥିତ ରହି ପ୍ରତିନିଧିମାନଙ୍କୁ ଓଡ଼ିଶାରେ ଉପଲବ୍‍ଧ ନିବେଶ ସୁବିଧାସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଶ୍ରୀ ଚୋପ୍ରା କହିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ରଖାଯାଇଥିବା ଭିଜନ୍‍ ୨୦୨୫ ଅନୁଯାୟୀ, ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ଆକୃଷ୍ଟ ଲକ୍ଷ୍ୟ ରଖିଛି। ଏହାଦ୍ୱାରା ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଏଥିରେ ଧାତବର ଆନୁଷଙ୍ଗିକ କ୍ଷେତ୍ର, ରସାୟନ, ପ୍ଲାଷ୍ଟିକ ଏବଂ ପେଟ୍ରୋକେମିକାଲ୍ସ, ଇଲେକ୍‍ଟ୍ରୋନିକ୍ସ ମାନୁଫାକ୍‍ଚରିଂ ଏବଂ ଆଇଟି, କୃଷି ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି। ସକ୍ରିୟ ଏବଂ ପ୍ରଗତିଶୀଳ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ଓଡ଼ିଶା ପୂର୍ବ ଭାରତର ଏକ ଅଭିବୃଦ୍ଧିିକାରୀ ‘ମାନୁଫାକଚରିଂ ହବ୍‍’ (ନିର୍ମାଣ ପୁଞ୍ଜ)ରେ ପରିଣତ ହୋଇଛି। ଓଡ଼ିଶାରେ ଅଭିବୃଦ୍ଧି ନିରନ୍ତର ରହିଥିବାବେଳେ ଏହାର ଜଡିପି ହାର ଜାତୀୟ ହାରଠାରୁ ଅଧିକ। ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟବସାୟ ଅନୁକୂଳ ପରିବେଶ ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ବ୍ୟବସ୍ଥା ବିଶ୍ୱରେ ନିବେଶକଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ହାସଲ କରିଥିବା ସେ କହିଛନ୍ତି।
ଏହି ଅବସରରେ ଶ୍ରୀ ଚୋପ୍ରା ରାଜ୍ୟ ସରକାରଙ୍କ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ୍‍, କମ୍‍ ଖର୍ଚ୍ଚରେ ବ୍ୟବସାୟ, ଉତ୍ସର୍ଗୀକୃତ କ୍ଷେତ୍ରଭିତ୍ତିକ କ୍ଲଷ୍ଟର ଏବଂ ଶିଳ୍ପ ପାଇଁ ଏକ ଲକ୍ଷ ଏକରର ଜମି ବ୍ୟାଙ୍କ ଏବଂ ଆହୁରି କେତେକ ସୁବିିଧାସୁଯୋଗ ସମ୍ପର୍କରେ ବ୍ୟବସାୟିକ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ। ତେବେ ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀରେ ଏକ ସହଯୋଗୀ ରାଷ୍ଟ୍ର ଭାବେ ଅଂଶୀଦାର ହେବା ଲାଗି ରାଜ୍ୟ ସରକାର ୟୁରୋପୀୟ ସଂଘ (ଇୟୁ)ର ବିଭିନ୍ନ ରାଷ୍ଟ୍ରକୁ ଆମନ୍ତ୍ରଣ କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀର ଦ୍ୱିତୀୟ ପର୍ଯ୍ୟାୟ ଚଳିତବର୍ଷ ନଭେମ୍ବର ୧୧ରୁ ୧୫ ଯାଏ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories