www.samajalive.in
Monday, December 8, 2025
27.1 C
Bhubaneswar

ଉତ୍ତର ଓଡ଼ିଶାର ୪ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପଶ୍ଚିମବଙ୍ଗ ତତ୍‍ସଂଲଗ୍ନ ଉତ୍ତର ଓଡ଼ିଶାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳରେ ୫.୮ କିମି ଯାଏଁ ବ୍ୟାପିଛି। ଏହାରେ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବାଲେଶ୍ୱର, ମୟୂରଭଞ୍ଜ, କଟକ, କେନ୍ଦୁଝର ଓ ସୁନ୍ଦରଗଡର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଯାଇଛି। ଆଗକୁ ଦୁଇଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବାରୁ ବଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ଜଳସ୍ତର ଫୁଲିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି।
ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବାବେଳେ ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ ଏବଂ କେନ୍ଦୁଝର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଏବଂ ଢେଙ୍କାନାଳ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ହଳଦିଆ ଚେତାବନୀ ଜାରି କରିଛି। ପାଣିପାଗ ବିଭାଗର ସତର୍କତାକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ୍‍ ଆୟୁକ୍ତ(ଏସଆରସି) ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ଅତି ପ୍ରବଳ ବର୍ଷା ଥିବାରୁ ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇପାରେ। ରାସ୍ତାପାର୍ଶ୍ବରେ ପାଣି ଜମିବା ସହ ଟ୍ରାଫିକ୍‍ ଭିଡ ପରିସ୍ଥିତି ଦେଖାଦେବା ସମ୍ଭାବନା ରହିଛି। ଏଥିପ୍ରତି ସତର୍କ ରହିବାକୁ ଏସଆରସି ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।
ଲଘୁଚାପ ଦ୍ୱାରା ଉତର ବଙ୍ଗୋପସାଗରରେ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କିମି ବେଗରେ ବହିବ। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ପ୍ରବେଶ ନକରିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛି ବିଭାଗ। ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରର ଜଳେଶ୍ୱରରେ ସର୍ବାଧିକ ବର୍ଷା ୨୧୭ ମିମି ରେକର୍ଡ କରାଯାଇ ଥିବାବେଳେ ରାଜଘାଟରେ ୧୩୫.୪ମିମି, ମୟୂରଭଞ୍ଜର ଚନ୍ଦନପୁରରେ ୧୩୪.୨ମିମି, ଜାମଶୋଳାଘାଟରେ ୧୧୦.୨ମିମି, କଟକର ବାଙ୍କିରେ ୧୧୦ ମିମି ବର୍ଷା ହୋଇଛି। ଆଜି ତାଳଚେରରେ ୪୦ ମିମି ବର୍ଷା ହୋଇଥିବାବେଳେ ପାରାଦ୍ୱୀପ, ବଲାଙ୍ଗୀର, ଚାନ୍ଦବାଲି, କଟକ, ବାରିପଦା, ହୀରାକୁଦ ଓ ସମ୍ବଲପୁର ଆଦି ଅଞ୍ଚଳରେ ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories