www.samajalive.in
Monday, December 8, 2025
27.1 C
Bhubaneswar

ଭକ୍ତଙ୍କୁ ସତର୍କ କଲା ପୁଲିସ ; ଜାଲ୍‌ କରୋନା ରିପୋର୍ଟ କିଣନାହିଁ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଶୁକ୍ରବାର ସତର୍କ କରାଇଛି ପୁରୀ ପୁଲିସ। ଟଙ୍କା ଦେଇ ଦଲାଲଙ୍କଠାରୁ ଜାଲ୍‌ କରୋନା ପରୀକ୍ଷା ବିବରଣୀ (ରିପୋର୍ଟ) ନକିଣିବାକୁ ପରାମର୍ଶ ଦିଆଯାଇଛି। ଜାଲ୍‌ କରୋନା ବିବରଣୀ ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଉଦ୍ୟମ ଅଭିଯୋଗରେ ଏପର୍ଯ୍ୟନ୍ତ ୪ଜଣ ପର୍ଯ୍ୟଟକଙ୍କ ସମେତ ଜଣେ ପର୍ଯ୍ୟଟନ ବ୍ୟବସ୍ଥାପକ (ଟ୍ରାଭେଲ ଏଜେଣ୍ଟ) ଏବଂ ୭ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ଏଭଳି ଠକେଇ ଦଳକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଚଳାଇଛି। କରୋନା ପରୀକ୍ଷା ବିବରଣୀ ଗୁଡିକୁ ଭଲଭାବେ ଯାଞ୍ଚ କରାଯାଉଛି। ତେଣୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଯିବାବେଳେ ଦୁଇଟି କରୋନା ଟିକା ନେଇଥିବା ପ୍ରମାଣପତ୍ର କିମ୍ବା ୯୬ଘଣ୍ଟା ପୂର୍ବରୁ କରୋନାରେ ସଂକ୍ରମିତ ହୋଇନଥିବା ଡାକ୍ତରୀ ପରୀକ୍ଷା ଚିଠା ସମେତ ଫଟୋ ପରିଚୟପତ୍ର ସାଥୀରେ ନେବାକୁ କୁହାଯାଇଛି। ପୁରୀର କେତେକ ଯାତ୍ରୀ ଗୁମାସ୍ତା, ଦଲାଲ ଏବଂ ଟ୍ରାଭେଲ ଏଜେଣ୍ଟ ପର୍ଯ୍ୟଟକଙ୍କୁ ଜାଲ୍‌ କରୋନା ପରୀକ୍ଷାବିବରଣୀ ସମେତ ଦୁଇଟି ଟିକା ନେଇଥିବା ପ୍ରମାଣପତ୍ର ବିକ୍ରିକରି ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି। ପୁଲିସ ତଦନ୍ତରୁ ଏଥିନେଇ ବଳିଷ୍ଠ ତଥ୍ୟ ପ୍ରମାଣ ହସ୍ତଗତ ହୋଇଛି। ଠକେଇ ଏବଂ ଜାଲିଆତି ଅଭିଯୋଗରେ ମଧ୍ୟପ୍ରଦେଶର ୨ଜଣ, ଛତିଗଡର ଜଣେ ଏବଂ ଅନୁଗୋଳର ଜଣେ ପର୍ଯ୍ୟଟକଙ୍କୁ ଗିରଫ କରାଯାଇଛି। ଏଥିନେଇ ସିଂହଦ୍ବାର ଥାନାରେ ଅଗଷ୍ଟ ୨୭ତାରିଖରେ ଗୋଟିଏ ମୋକଦ୍ଦମା ରୁଜୁ କରାଯାଇଥିଲା। ଚଳିତମାସ ୬ତାରିଖ ଦିନ କୁମ୍ଭାରପଡା ଥାନାରେ ଆଉ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ୮ତାରିଖରେ ସିଂହଦ୍ବାର ଥାନା ପୁଲିସ ଏକ ମୋକଦ୍ଦମା ପଞ୍ଜୀକରଣ କରି ୪ଜଣଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ପର୍ଯ୍ୟଟକ ଏବଂ ଦଲାଲମାନେ ଏବେ ବିଚାର ବିଭାଗୀୟ ‌େ‌ଜଲ୍‌ ହାଜତରେ ରହିଛନ୍ତି। ତେଣୁ ଦଲାଲଙ୍କଠାରୁ ଜାଲ୍‌ କରୋନା ବିବରଣୀ ନକିଣି ସ୍ଥାନୀୟ ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନାରେ ନିଜେ କରୋନା ପରୀକ୍ଷା କରାଇବାକୁ କିମ୍ବା ପୁରୀ ଆସିବା ବେଳେ ସାଥୀରେ କରୋନା ବିବରଣୀ ନେଇ ଆସିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି। ଏଭଳି ଜାଲିଆତି ଘଟଣା ବୃଦ୍ଧି ପାଉଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ବ୍ୟକ୍ତିଙ୍କ କରୋନା ଟିକା ପ୍ରମାଣପତ୍ର ଏବଂ ସଂକ୍ରମିତ ହୋଇନଥିବା ଡାକ୍ତରୀ ଚିଠା ଭଲଭାବେ ଯାଞ୍ଚ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ପୁଲିସକୁ କୁହାଯାଇଛି। ତେଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ବ୍ୟକ୍ତିମାନେ ଦଲାଲଙ୍କଠାରୁ ଦୂରେଇ ରହିବା ସହ ଜାଲ୍‌ କରୋନା ବିବରଣୀ ନକିଣିବାକୁ ଆରକ୍ଷୀ ଅଧୀକ୍ଷକ ଡ. କନୱର ବିଶାଲ ସିଂହ ଅନୁରୋଧ କରିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories