ଗୋଟିଏ ଗାଁ; ଭିନ୍ନ ଭାଷା କହନ୍ତି ପୁରୁଷ ଓ ମହିଳା

ଉବାଙ୍ଗ: ଆମ ପୃଥିବୀରେ ଭରିରହିଛି ଅନେକ ବୈଚିତ୍ର୍ୟ। ଗୋଟିଏ ପଟେ ସୂର୍ଯ୍ୟ ଉଦୟ ହେଉଥିବାବେଳେ ଅନ୍ୟପଟେ ଅସ୍ତ ହୁଅନ୍ତି। ବିବିଧତାରେ ଭରପୂର ଏହି ଦୁନିଆଁରେ ଏବେ ଆଉ ଏକ ବୈଚିତ୍ର୍ୟ ସର୍ବସମ୍ମୁଖକୁ ଆସିଛି। ଲକ୍ଷ ଲକ୍ଷ ଗାଁ ଭଳି ରହିଛି ଗୋଟିଏ ଗାଁ। ସେଠାରେ ବାସ କରନ୍ତି ପୁରୁଷ, ମହିଳା, ପିଲାଙ୍କ ଠାରୁ ନେଇ ବୟସ୍କ ଲୋକ। କିନ୍ତୁ ଏହି ଗାଁର ଏକ ସ୍ୱତନ୍ତ୍ରତା ରହିଛି। ଏଠାରେ ପୁରୁଷ ଓ ମହିଳାମାନେ ଭିନ୍ନ ଭିନ୍ନ ଭାଷାରେ କଥା ହୁଅନ୍ତି। ଏହି ଗାଁ ରହିଛି ନାଇଜେରିଆରେ। ଦକ୍ଷିଣ ନାଇଜେରିଆରେ ରହିଛି ଉବାଙ୍ଗ ନାମକ ଏହି ଗାଁ। ଏଠାରେ ବାସ କରୁଥିବା ଲୋକମାନେ ମୁଖ୍ୟତଃ କୃଷକ ସମୁଦାୟର। ଗାଁରେ ପୁରୁଷ ଓ ମହିଳାମାନେ ପୃଥକ ପୃଥକ ଭାଷାରେ କଥା ହୁଅନ୍ତି। ଏହା ସେମାନଙ୍କ ପାଇଁ ଭଗବାନଙ୍କର ଏକ ଆଶୀର୍ବାଦ ବୋଲି ଗ୍ରାମବାସୀ ମନେ କରୁଛନ୍ତି। ଉଦାହରଣସ୍ୱରୂପ ନାଇଜେରିଆର ମୁଖ୍ୟ ଖାଦ୍ୟଶସ୍ୟ ୟାମକୁ ମହିଳାମାନେ ‘ଇରୁଲି’ ବୋଲି କହୁଥିବାବେଳେ ପୁରୁଷମାନେ ତାହା ‘ଇତୋଙ୍ଗ’ ବୋଲି କହିଥାନ୍ତି। ସେହିଭଳି ପୋଷାକକୁ ମହିଳାମାନେ ‘ଆରିଗା’ କହୁଥିବାବେଳେ ପୁରୁଷମାନେ ‘ଏନକି’ କହନ୍ତି। ତେବେ ପୁରୁଷ ଓ ମହିଳାମାନେ ସେମାନଙ୍କ ନିତିଦିନିଆ ଜୀବନରେ କେତେ ଶବ୍ଦ ଅଲଗା ଅଲଗା କହିଥାନ୍ତି, ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ। ଅବଶ୍ୟ ଏହିଭଳି ଅନେକ ଶବ୍ଦ ରହିଛି, ଯାହା ପୁରୁଷ ଓ ମହିଳାମାନେ ସମାନ ଉଚ୍ଚାରଣ କରିଥାନ୍ତି। କିନ୍ତୁ ଲିଙ୍ଗ ଭେଦ ନିର୍ବିଶେଷରେ ସେମାନେ ଆଉ ଅନେକ ଶବ୍ଦକୁ ସଂପୂର୍ଣ୍ଣ ଭାବରେ ଅଲଗା ଅଲଗା ଭାବରେ ଉଚ୍ଚାରଣ କରିଥାନ୍ତି। କିନ୍ତୁ ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ହେଉଛି, ପୁରୁଷ ଓ ମହିଳାମାନେ ଭିନ୍ନ ଶବ୍ଦ ବ୍ୟବହାର କରୁଥିଲେ ମଧ୍ୟ ସେମାନେ ପରସ୍ପର ପରସ୍ପରର ଶବ୍ଦକୁ ବୁଝିପାରନ୍ତି। କିଛି ବିଶେଷଜ୍ଞଙ୍କ ମତରେ ପୁଅ ପିଲାମାନେ ବାଲ୍ୟକାଳ ମା’ମାନଙ୍କ ନିକଟରେ କଟାଉଥିବାବେଳେ ମା’ମାନେ କହୁଥିବା ଶବ୍ଦ ସମ୍ପର୍କରେ ସେମାନେ ପରିଚିତ ଥାଆନ୍ତି। ସେଥିପାଇଁ ସେମାନେ ବଡହେଲେ ମହିଳାଙ୍କ ଶବ୍ଦ ବୁଝିବାରେ ଅସୁବିଧା ହୁଏନାହିଁ। ପୁଅମାନେ ୧୦ ବର୍ଷ ବୟସର ହେବାବେଳକୁ ପୁରୁଷମାନଙ୍କ ଭାଷା କହିବାକୁ ପଡିଥାଏ। ଆଉ ମଧ୍ୟ ଏହି ଭାଷା ଲିଖିତ ଭାବରେ ନାହିଁ। କେବଳ ପିଢି ପରେ ପିଢି ତାହାକୁ ଶିଖି କହିଥାନ୍ତି।

Comments are closed.