ଗୁରୁଡିଝାଟିଆ: ଆଜି ଗୋବରା ପଞ୍ଚାୟତର ପାହାଡ ପର୍ବତ ଘେରା ଓରଦା ଓ ଭଗୁଆ ଜନଜାତି ଅଧ୍ୟୁଷିତ ଗାଁରେ କରୋନା ଟିକାକରଣ କରାଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସହିତ ଉଭୟ ଗାଁରେ ପହଞ୍ଚିଥିଲେ। ହେଲେ ଟିକା ନେବା ପାଇଁ ଲୋକମାନେ ଆଦୌ ରାଜି ହୋଇନଥିଲେ ଏବଂ ବିଭିନ୍ନ କାରଣ ଦର୍ଶାଇଥିଲେ। ଉପରୋକ୍ତ ଦୁଇ ଗାଁରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ସେ ଦୃଷ୍ଟିରୁ ଟିକା ନେବା ପାଇଁ ଲୋକମାନେ ରାଜି ହୋଇନଥିଲେ। ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ଦାସ ଟିକାର ଉପକାରିତା, ଟିକାନେଲେ କଣ ହେବ, ଟିକା କାହିଁକି ଦିଆଯିବ ଏବଂ କରୋନା ରୋଗ କିଭଳି ବ୍ୟାପୁଛି ଏହାର ଭୟାବହତା ସଂପର୍କରେ ଦୀର୍ଘ ସମୟ ଧରିବୁଝାଇ ସେମାନଙ୍କ ବିଶ୍ୱାସ ଭାଜନ ହେବା ପରେ ଉଭୟ ଗାଁରେ ମୋଟ ୩୪ଜଣଙ୍କୁ ୧ମ ପାନ ଟିକା ପ୍ରଦାନ କରାଯାଇଛି। ଓର୍ଦାରେ ୧୨ଜଣ ଓ ଭଗୁଆରେ ୨୨ଜଣଙ୍କୁ ସେମାନଙ୍କ ଗାଁ ସ୍କୁଲରେ ଟିକା ପ୍ରଦାନ କରାଯାଇଛି। ବ୍ଲକ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ, ପରିଦର୍ଶକ ନିର୍ମଳା କୁମାରୀ ଦାସଙ୍କ ସହିତ ସ୍ୱାସ୍ଥ୍ୟ କର୍ମଚାରୀମାନେ ଟିକାକରଣରେ ସାହାଯ୍ୟ କରିଥିଲେ।



