www.samajalive.in
Monday, December 8, 2025
27.1 C
Bhubaneswar

୫୦ ବର୍ଷ ମଧ୍ୟରେ ବାତ୍ୟା ପ୍ରଭାବ ୩ ଗୁଣା ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାର ୨୬ ଜିଲା ବାତ୍ୟା, ବନ୍ୟା, ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏହାଦ୍ୱାରା ଏସବୁ ଜିଲାରେ ବାସ କରୁଥିବା ପ୍ରାୟ ୩୬ ନିୟୁତ ଲୋକ ପ୍ରଭାବିତ ହେଉଛନ୍ତି। ଏନେଇ ଶକ୍ତି, ପରିବେଶ ଓ ଜଳ ପରିଷଦ (ସିଇଇଡବ୍ଲ୍ୟୁ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଆଦି ଉପକୂଳବର୍ତ୍ତୀ ଜିଲା ବାତ୍ୟାର ହଟସ୍ପଟ ଭାବେ ଚିହ୍ନଟ ହୋଇଥାନ୍ତି। ଗତ ୫୦ ବର୍ଷ ମଧ୍ୟରେ ଏଠାରେ ବାତ୍ୟାର ପ୍ରଭାବ ୩ ଗୁଣା ବୃଦ୍ଧି ହୋଇଛି। ସେହିପରି ବନ୍ୟା ପ୍ରଭାବ ରାଜ୍ୟରେ ୭ଗୁଣା ବୃଦ୍ଧି ପାଇଛି। ପ୍ରତିବର୍ଷ ରାଜ୍ୟର କଟକ, ଗଜପତି, ଯାଜପୁର, ଖୋର୍ଦ୍ଧା, ରାୟଗଡ଼ା ଆଦି ଜିଲାର ୧୨.୬ ନିୟୁତ ଲୋକ ବନ୍ୟା ଯୋଗୁଁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ମାଇକ୍ରୋ-କ୍ଲାଇମେଟିକ୍ ସିଫ୍ଟ ଯୋଗୁଁ ଭାରତର ପୂର୍ବ ଉପକୂଳରେ ବଙ୍ଗୋପସାଗର ପ୍ରଭାବରେ ବାତ୍ୟା, ଅତ୍ୟଧିକ ବର୍ଷା ଏବଂ ବନ୍ୟା ସ୍ଥିତି ବଢ଼ିବାରେ ଲାଗିଛି।

ସିଇଇଡବ୍ଲ୍ୟୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅରୁଣଭା ଘୋଷଙ୍କ ମତରେ ମହାମାରୀ ସଙ୍କଟ ସମୟରେ ଭାରତରେ ତାଉତେ ଏବଂ ୟସ ଦୁଇଟି ବାତ୍ୟା ଦେଖାଦେଇଛି। ଏପରି ସ୍ଥଳେ ଭାରତ ପକ୍ଷରୁ ସ୍ଥିତିର ମୁକାବିଲା ଲାଗି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ପ୍ରଥମତଃ ନ୍ୟାସନାଲ କ୍ଲାଏମେଟ୍ ରିସ୍କ୍ କମିସନ ଗଠନ କରାଯିବା ଉଚିତ। ଏହା ମାଧ୍ୟମରେ ନିର୍ଦିଷ୍ଟ ସମୟ ଅନ୍ତରରେ ଜଳବାୟୁ ସମ୍ପର୍କିତ ତଥ୍ୟ ପ୍ରକାଶ କରାଯିବା ଆବଶ୍ୟକ। ଦ୍ୱିତୀୟତଃ କ୍ଷମତା ଏବଂ ଗୁରୁତର ପାଣିପାଗ ସଙ୍କଟର ସୂଚନାର ବିକେନ୍ଦ୍ରୀକରଣ ସ୍ଥାନୀୟ କ୍ଷେତ୍ରରେ କରାଯିବା ଉଚିତ। ଏହା ସହିତ ନୂତନ ବୀମା ଯୋଜନା ପ୍ରଣୟନ ଦ୍ୱାରା ଜଳବାୟୁ ପରିବର୍ତ୍ତନ ସ୍ଥଳେ ଜୀବନଜୀବିକା କ୍ଷେତ୍ରକୁ ସୁରକ୍ଷିତ କରାଯିବା ଆବଶ୍ୟକତା ରହିଛି। ସେହିପରି ଓଡ଼ିଶା ଭଳି ଉପକୂଳବର୍ତ୍ତୀ ରାଜ୍ୟଗୁଡିକ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର। ସିଇଇଡବ୍ଲ୍ୟୁ ଅନୁସାରେ ୨୦୦୫ ପରେ ଭାରତୀୟ ଉପକୂଳ ଜିଲାରେ ବାତ୍ୟା ପ୍ରଭାବ ୩ ଗୁଣା ବୃଦ୍ଧି ପାଇଥିବାବେଳେ ବାତ୍ୟା ଦୁଇଗୁଣା ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ୨୫୮ ଜିଲା ବାତ୍ୟାରେ ପ୍ରଭାବିତ ହୋଇଛି। ଗତ ୫୦ ବର୍ଷ ମଧ୍ୟରେ ବାତ୍ୟା ଅନୁଭୂତ ହେବା ପ୍ରକ୍ରିୟା ୧୨ ଗୁଣା ବୃଦ୍ଧି ପାଇଛି।

- Advertisement -

ଏହା ସହିତ ଅତ୍ୟଧିକ ବର୍ଷା, ବନ୍ୟା, ସମୁଦ୍ର ସ୍ତର ବୃଦ୍ଧି ଏବଂ ବଜ୍ରପାତ ଘଟଣା ମଧ୍ୟ ବୃଦ୍ଧି ପାଇଛି। ସିଇଇଡବ୍ଲ୍ୟୁ କାର୍ଯ୍ୟକ୍ରମ ଅଧିକାରୀ ଅବିନାଶ ମହାନ୍ତିଙ୍କ ମତରେ ବାତ୍ୟା ଶୀଘ୍ର ଭୟଙ୍କର ରୂପ ଗ୍ରହଣ କରୁଛି। ସେଥିପାଇଁ ଲୋକ ପ୍ରତିନିଧି ତଥା ଆପଦକାଳୀନ ଉଦ୍ଧାରକାରୀ ଦଳଙ୍କ ପାଖରେ ଲୋକଙ୍କ ସୁରକ୍ଷା ପାଇଁ କମ୍‌ ସମୟ ରହୁଛି। ତେବେ ପୂର୍ବପ୍ରସ୍ତୁତି ଦ୍ୱାରା ସତର୍କ ସୂଚନା ପୂର୍ବରୁ ଜାରି କରି ଧନଜୀବନ ତଥା ଭିତ୍ତିଭୂମିର ସୁରକ୍ଷା କରାଯାଇପାରିବ। ଓଡ଼ିଶାରେ ଏବେ ୨୮୦ କିଲୋମିଟର ବେଗରେ ପ୍ରବାହିତ ହେଉଥିବା ପବନକୁ ସହ୍ୟ କରିବା ଭଳି ଗୃହ ନିର୍ମାଣ କରାଯାଇଛି। ଏହା ସହିତ ସିଟି-ଲେବୁଲ ବିପର୍ଯ୍ୟୟ ପ୍ରାଧିକରଣ ଗଠନ ଦ୍ୱାରା ପ୍ରଭାବିତ ଗୋଷ୍ଠୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ।

ବାତ୍ୟା ସହିତ ଓଡ଼ିଶାରେ ଗତ ୧୦ ବର୍ଷ ମଧ୍ୟରେ ମରୁଡ଼ି ୪ ଗୁଣା ବୃଦ୍ଧି ହୋଇଛି। ଅନୁଗୋଳ, ଗଜପତି, କନ୍ଧମାଳ, ସୁନ୍ଦରଗଡ଼ ଆଦି ଜିଲା ମରୁଡ଼ି ଅଞ୍ଚଳଭାବେ ପରିଚିତି ହାସଲ କରିଛି। ଅନିୟମିତ ଘଟଣା, ମରୁଡି ଏବଂ ଅନାବୃଷ୍ଟି ଇତ୍ୟାଦି ରାଜ୍ୟର ଅଧାରୁ ଅଧିକ ଜିଲାକୁ କ୍ଷତିଗ୍ରସ୍ତ କରୁଛି। ଗତ ୧୦ ବର୍ଷ ମଧ୍ୟରେ ବନ୍ୟା ପ୍ରବଣ ଅନୁଗୋଳ, କଟକ, ଢ଼େଙ୍କାନାଳ, ଗଜପତି, କଳାହାଣ୍ଡି ଏବଂ ନୟାଗଡ଼ ଜିଲାରେ ମରୁଡ଼ି ସମସ୍ୟା ବଢ଼ିବାରେ ଲାଗିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories