ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ସ୍ଥିତ ଘଣା ଔଷଧାଳୟ ସମେତ ଏହା ସଂଲଗ୍ନ ଘରୋଇ ଡାକ୍ତରଖାନା, ଡାକ୍ତରୀ ପରୀକ୍ଷାକେନ୍ଦ୍ରକୁ ପାଟଣା ସ୍ବାସ୍ଥ୍ୟ ବିଭାଗ ଆଜି ତାଲା ମାରି ଜଉମୁଦ ଦେଇଛି। ଏଠାରେ ବିନା ସରକାରୀ ଅନୁମତିରେ କରୋନା ପରୀକ୍ଷା କରାଯାଉଥିବା ଖବର ମିଳିବା ପରେ ପାଟଣା ତହସିଲଦାର ତାପସ କୁମାର ଦେହୁରୀ, ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାୟକ, ବିପିଏମ ଦୀପକ କୁମାର ନାୟକ, ତୁରୁମୁଙ୍ଗା ଥାନାଧିକାରୀ ସୁଶାନ୍ତ ମଣି ମହାନ୍ତି, ଆରକ୍ଷୀ ଉପ ନିରୀକ୍ଷକ ବିଜୟ କୁମାର ଖଟୁଆ ପ୍ରମୁଖ ଘଣା ଔଷଧାଳୟରେ ଆଜି ଅପରାହ୍ନରେ ଚଢାଉ କରିବା ସମୟରେ ସେଠାରୁ ୩୩ ଟି କରୋନା କିଟ ମଧ୍ୟ ଜବତ କରାଯାଇଛି।
ଏନେଇ ପାଟଣା ତହସିଲଦାର ଶ୍ରୀ ଦେହୁରୀଙ୍କୁ ଯୋଗାଯୋଗ କରାଯିବାରେ ତାଙ୍କ ସୂଚନା ଅନୁଯାୟୀ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କ ନିର୍ଦ୍ଦେଶ ଆଧାରରେ ଘଣା ଔଷଧାଳୟ ବିରୋଧରେ ଜୋରିମାନା ଅଥବା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।



