ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ରେ ପରିବର୍ତ୍ତନ କରିଛି ଯାହା ଫଳରେ ଏଣିକି ଯାନ ମାଲିକାନା ସ୍ଥାନାନ୍ତର ସହଜ ହେବ। ଏହି ପରିବର୍ତ୍ତନ ଅନୁଯାୟୀ, ଯାନ ପଞ୍ଜୀକରଣ ପ୍ରମାଣପତ୍ରରେ ମାଲିକ ଜଣେ ବ୍ୟକ୍ତିଙ୍କୁ ମନୋନୀତ କରିପାରିବେ। ଯାହା ଫଳରେ ପ୍ରକୃତ ମାଲିକଙ୍କ ମୃତ୍ୟୁ କ୍ଷେତ୍ରରେ ମୋଟର ଯାନକୁ ପଞ୍ଜୀକୃତ କିମ୍ବା ଅନ୍ୟ ନାମକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିବ।
ଏବେ ଗାଡି ପଞ୍ଜୀକରଣ ସମୟରେ ମାଲିକ ନୋମିନିଙ୍କ ନାମ ରଖିପାରିବେ କିମ୍ବା ପରେ ଏକ ଅନଲାଇନ୍ ଆବେଦନ ମାଧ୍ୟମରେ ମଧ୍ୟ ଯୋଡିପାରିବେ। ମନ୍ତ୍ରାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଗାଡିର ମାଲିକ ନାମାଙ୍କନପତ୍ରର ପରିଚୟ ପ୍ରମାଣପତ୍ର ଦାଖଲ କରିବେ।
ବିସ୍ତୃତ ସୂଚନା ଅନୁଯାୟୀ, ଯଦି ଏକ ମୋଟର ଯାନର ମାଲିକଙ୍କର ମୃତ୍ୟୁ ହୁଏ, ସେ କ୍ଷେତ୍ରରେ ପଞ୍ଜୀକରଣ ପ୍ରମାଣପତ୍ରରେ ଗାଡି ମାଲିକଙ୍କ ଦ୍ୱାରା ମନୋନୀତ ହୋଇଥିବା ବ୍ୟକ୍ତି ତିନିମାସ ପର୍ଯ୍ୟନ୍ତ ସମ୍ପୃକ୍ତ ଗାଡ଼ିଟିକୁ ନିଜ ଗାଡି ଭଳି ବ୍ୟବହାର କରିପାରିବେ। ମାଲିକଙ୍କ ମୃତ୍ୟୁର ୩୦ ଦିନ ମଧ୍ୟରେ ମନୋନୀତ ବ୍ୟକ୍ତି ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କୁ ମାଲିକଙ୍କ ମୃତ୍ୟୁ ଓ କେଉଁ ଉଦ୍ଦେଶ୍ୟରେ ଗାଡି ବ୍ୟବହାର କରିବେ ତାହା ଜଣାଇବେ। ଏଥି ସହିତ ମୃତ୍ୟୁର ୩ ମାସ ମଧ୍ୟରେ ୩୧ ନମ୍ବର ଫର୍ମରେ ମାଲିକାନା ହସ୍ତାନ୍ତର ପାଇଁ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ। ଅନ୍ୟପକ୍ଷରେ ଛାଡପତ୍ର କିମ୍ବା ସମ୍ପତ୍ତି ଭାଗ ଭଳି ପରିସ୍ଥିତିରେ ନାମାଙ୍କନ ପରିବର୍ତ୍ତନ ପାଇଁ ମଧ୍ୟ ଆବେଦନ କରାଯାଇ ପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ନାମାଙ୍କନ କରାଯାଇ ନ ଥିଲେ ଗାଡିକୁ ଆଇନଗତ ଉତ୍ତରାଧିକାରୀଙ୍କ ନିକଟକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା କୁହାଯାଇଛି।



