ଦେଶର ଅଧିକ କରୋନା ସଂକ୍ରମଣ ଦେଖାଦେଇଥିବା ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ବୁଧବାର କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ରେମଡେସିଭର୍ ଔଷଧ ଯୋଗାଇ ଦେଇଛନ୍ତି। ସେହିସବୁ ରାଜ୍ୟଗୁଡ଼ିକରେ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ରେମଡେସିଭର୍ ଔଷଧ ଆବଶ୍ୟକତା ଥିବା ବେଳେ କିଛିଦିନ ହେବ ତାହା ପର୍ଯ୍ୟାପ୍ତ ଭାବେ ମିଳୁନଥିବା ଅଭିଯୋଗ ହୋଇଥିଲା। ଏହି ଅସୁବିଧାର ସମାଧାନ ପାଇଁ ତଥା ଆନ୍ତ – ରାଜ୍ୟ ଯୋଗାଣକୁ ସୁଗମ କରିବା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଫାର୍ମାସ୍ୟୁଟିକାଲ୍ସ ବିଭାଗ ମିଳିତ ଭାବେ ୧୯ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ ରେମଡେସିଭର ଔଷଧ ମଧ୍ୟବର୍ତ୍ତୀକାଳୀନ ଆବଶ୍ୟକତା ପୂରଣ ପାଇଁ ଆବଣ୍ଟନ କରିଛନ୍ତି।
ଏହି ଆବଣ୍ଟନ ଅନୁଯାୟୀ, ଦିଲ୍ଲୀକୁ ୬୧ ହଜାର ୯ ଶହ ଭାଏଲ ରେମଡେସିଭିର ଔଷଧ ଦିଆଯିବାକୁ ଥିବା ବେଳେ ଛତିଶଗଡକୁ ୪୮ ହଜାର ୨୫୦ ଭାଏଲ, ଗୁଜୁରାଟକୁ ୧ ଲକ୍ଷ ୬୩ ହଜାର ୫ ଶହ ଭାଏଲ, ହରିୟାଣାକୁ ୨୯ ହଜାର 5 ଶହ ଭାଏଲ, ଆନ୍ଧ୍ରପ୍ରଦେଶକୁ ୫୯ ହଜାର ଭାଏଲ, ମଧ୍ୟପ୍ରଦେଶକୁ ୯୨ହଜାର ଭାଏଲ, ମହାରାଷ୍ଟ୍ରକୁ ୨ ଲକ୍ଷ ୬୯ ହଜାର ୨ ଶହ ଭାଏଲ, ପଞ୍ଜାବକୁ ୧୩ ହଜାର ୪ ଶହ ଭାଏଲ, ରାଜସ୍ଥାନକୁ ୨୬ ହଜାର ୫ ଶହ ଭାଏଲ, ତାମିଲନାଡୁକୁ ୫୮ ହଜାର ୯ ଶହ ଭାଏଲ, ଉତ୍ତରପ୍ରଦେଶକୁ ୧ ଲକ୍ଷ ୨୨ ହଜାର ୮ ଶହ ଭାଏଲ, ଉତ୍ତରାଖଣ୍ଡକୁ ୧୩ ହଜାର ୫ ଶହ ଭାଏଲ, କର୍ଣ୍ଣାଟକକୁ ୨୫ ହଜାର 4 ଶହ ଭାଏଲ ଏବଂ କେରଳକୁ ୧୬ ହଜାର୧ ଶହ ଭାଏଲ ରେମଡେସିଭିର ଔଷଧ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି।
ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ଚେତାବନୀ ଦିଆଯାଇଛି ଯେ ଗୁରୁତର କରୋନା ରୋଗୀଙ୍କୁ ରେମଡେସିଭର୍ ଔଷଧ ଦିଆଯାଉଥିବାରୁ, ସେହି ରୋଗୀମାନଙ୍କୁ ଯେଭଳି ଅକ୍ସିଜେନ ସହାୟତା ମିଳିପାରିବ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ। ଅନ୍ୟପକ୍ଷରେ ଏହି ଔଷଧର ଯେଭଳି କଳାବଜାରୀ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟଗୁଡ଼ିକୁ ସତର୍କ କରାଇ ଦିଆଯାଇଛି।
ଇତି ମଧ୍ୟରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଫାର୍ମା କମ୍ପାନୀଗୁଡିକ ରେମଡେସିଭର୍ ଔଷଧ ମାସିକ ୩୮ ଲକ୍ଷ ଭାଏଲରୁ ୭୪ ଲକ୍ଷ ଭାଏଲକୁ ବୃଦ୍ଧି କରିବା ସହ ୨୦ଟି ଅତିରିକ୍ତ ସ୍ଥାନରେ ଏହାର ଉତ୍ପାଦନ ପାଇଁ ଅନୁମୋଦନ କରାଯାଇଛି। ଅନ୍ୟପକ୍ଷରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରେମଡେସିଭିର ରପ୍ତାନି ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି।



