www.samajalive.in
Sunday, December 7, 2025
15.1 C
Bhubaneswar

ଦୁଇ ଉଜ୍ଜ୍ୱଳ ଦୃଷ୍ଟାନ୍ତ

ବିଜେଡି ଓ ଜେଏମ୍‌ଏମ୍‌ର ଦୃଷ୍ଟାନ୍ତମୂଳକ ପଦକ୍ଷେପ ଅନ୍ୟ ରାଜନୈତିକ ଦଳଙ୍କୁ ମଧ୍ୟ ଅନୁପ୍ରାଣିତ କରୁ

ରାଜନୈତିକ ଦଳ ଓ ରାଜନେତା ଜନସେବା କରୁଛନ୍ତି ବୋଲି ଦେଖାଇ ହେଉଥିଲେ ହେଁ ସେମାନେ ପ୍ରକୃତରେ ଜନହିତ ପାଇଁ କମ୍‌, ନିଜ ହିତ ପାଇଁ ବେଶି ଚିନ୍ତା କରନ୍ତି ବୋଲି ସାଧାରଣରେ ଧାରଣା ଦୃଢ଼ ହେବାରେ ଲାଗିଛି। ଆପଣା ସ୍ବାର୍ଥସାଧନ ପାଇଁ ସେମାନେ ସରକାରୀ ନୀତିର ଉଲ୍ଲଙ୍ଘନ କରିବାକୁ ମଧ୍ୟ ପଛାଉନଥିବାବେଳେ ସରକାରରେ ଥିବା ଦଳ ନିଜକୁ ସୁହାଇଲା ପରି ଆଇନକାନୁନ ପ୍ରଣୟନ କରୁଥିବା ଦେଖିବାକୁ ମିଳୁଛି। ଏପରି ସମୟରେ ଦୁଇଟି ଆଞ୍ଚଳିକ ଦଳ ଏବେ ଯେଉଁ ଦୃଷ୍ଟାନ୍ତମୂଳକ ନିଷ୍ପତ୍ତି ନେଇଛନ୍ତି, ତାହା ନିଶ୍ଚିତ ପ୍ରଶଂସନୀୟ। ପ୍ରଥମଟି, ଓଡ଼ିଶାର ବିଜୁ ଜନତା ଦଳ(ବିଜେଡି)ର ନିର୍ବାଚନ ପ୍ରଚାର ପାଇଁ ସଭା ଶୋଭାଯାତ୍ରା ଆଦିରୁ ନିଜକୁ ନିବୃତ୍ତ କରିବାର ଘୋଷଣା ଏବଂ ଦ୍ବିତୀୟଟି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ଇଲେକ୍ଟୋରାଲ୍‌ ବଣ୍ଡ୍‌ ଜରିଆରେ ସଂଗୃହୀତ ଚାନ୍ଦାର ଦାତାଙ୍କ ନାମ ସର୍ବସାଧାରଣରେ ପ୍ରକାଶ।

- Advertisement -

ଭାରତରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ସରକାର କୋଭିଡ଼ ମାର୍ଗଦର୍ଶିକା ପାଳନ ପାଇଁ ବାଧ୍ୟ କରୁଛନ୍ତି; କିନ୍ତୁ ଏହାକୁ ନିର୍ବାଚନ ସଭା ଓ ଶୋଭାଯାତ୍ରାଗୁଡ଼ିକରେ ଆଦୌ ପାଳନ କରାଯାଉନଥିବା ଦେଖାଯାଉଛି। ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରଚାରବେଳେ ସମସ୍ତ ରାଜନୈତିକ ଦଳ ସବୁ ନିୟମକାନୁନକୁ ଜଳାଞ୍ଜଳି ଦେଇଥିବା ଦେଖାଯାଇଥିଲା। ଏପରିକି ନିୟମ ପ୍ରଣୟନ ଓ କାର୍ୟ୍ୟକାରୀ କରିବା ଯାହାର ଦାୟିତ୍ବ, ସେଇ ଶାସକ ଦଳର ନେତୃବୃନ୍ଦ ବାରମ୍ବାର ବିପୁଳ ଜନସମାଗମକୁ ଉତ୍ସାହିତ କରିଆସୁଛନ୍ତି। ଠିକ୍‌ ସେହି ସମୟରେ ବିଜୁ ଜନତା ଦଳର ମୁଖ୍ୟ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୧୩ରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ତାଙ୍କ ଦଳ କୋଭିଡ ମାର୍ଗଦର୍ଶିକାକୁ ପାଳନ କରି ସଭା ଶୋଭାଯାତ୍ରା ମାଧ୍ୟମରେ ପ୍ରଚାର କରିବ ନାହିଁ ବୋଲି ଘୋଷଣା କରିଛନ୍ତି। ଏଥିସହ ସେ ଅନ୍ୟ ରାଜନୈତିକ ଦଳ ତଥା ନିର୍ବାଚନ ଆୟୋଗକୁ ପ୍ରଚାର ଅବଧି ଓ ପଦ୍ଧତି ସମ୍ପର୍କରେ ପୁନର୍ବିଚାର କରିବାକୁ ନିବେଦନ କରିଛନ୍ତି।

କରୋନା ମହାମାରୀ ପରି ଏକ ଜାତୀୟ ସଙ୍କଟ ସମୟରେ ଗୋଟିଏ ରାଜନୈତିକ ଦଳ ଓ ନେତୃତ୍ବର କ’ଣ କର୍ତ୍ତବ୍ୟ ହେବା ଉଚିତ, ତାକୁ ସେ କାର୍ୟ୍ୟରେ କରି ଦେଖାଇବାକୁ ଯେଉଁ ଚେଷ୍ଟା କରିଛନ୍ତି ତାହା କ୍ଷମତା ନିଶାରେ ମତ୍ତ ଅନ୍ୟ ରାଜନୈତିକ ଦଳକୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ଆମେ ଆଶା କରିବା। ଏହା ପୂର୍ବରୁ ଅବଶ୍ୟ ପଶ୍ଚିମବଙ୍ଗ ନିର୍ବାଚନରେ ବଡ଼ ସଭା-ଶୋଭାଯାତ୍ରା କରିବେ ନାହିଁ ବୋଲି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ନେତା ରାହୁଳ ଗାନ୍ଧୀ ନିଷ୍ପତ୍ତି ନେଇଥିଲାବେଳେ ସେଠାରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଥିବା ବିଜେପି ପକ୍ଷରୁ ଏ ନେଇ ଚୁପ୍‌ ରହିଛି। ପିପିଲି ଉପନିର୍ବାଚନରେ ଏହି ଦଳ ମଇଦାନରେ ପ୍ରଚାର କରିବ ନା ଜନସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ବିଜେଡି ପରି ସଭା-ଶୋଭାଯାତ୍ରା କରିବ ନାହିଁ, ତାହା ଦେଖିବା କଥା। ଏପରି ଜନହିତକର ନିଷ୍ପତ୍ତି ନେବା ପାଇଁ ନିର୍ବାଚନ ଆୟୋଗ ତାଗିଦା କରିବା ପର୍ୟ୍ୟନ୍ତ ଅପେକ୍ଷା କରାଯିବା ଅବିବେକିତା ନିଶ୍ଚୟ। ବର୍ତ୍ତମାନର ବିକଟ ସ୍ଥିତିରେ ବିକଳ୍ପ ବ୍ୟବସ୍ଥାରେ ନିର୍ବାଚନ ପ୍ରଚାର କରିବା ଅଧିକ ସଂଗତ ହେବ।

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପ୍ରଚାରରେ ଯେଉଁ ଅଜସ୍ର ଅର୍ଥ ପାଣି ପରି ଖର୍ଚ୍ଚ କରିଥା’ନ୍ତି, ସେଗୁଡ଼ିକ ସେମାନଙ୍କୁ ଦାନ ସୂତ୍ରରେ ମିଳିଥାଏ। ତେବେ ଅନୈତିକ ଭାବେ ଅର୍ଜିତ ଅର୍ଥ ଅର୍ଥାତ୍‌ କଳାଟଙ୍କା ମଧ୍ୟ ଏଥିରେ ଥିବା ଅଧିକ ସମ୍ଭବ। ୨୦୧୭ ବଜେଟରେ ମୋଦୀ ସରକାର ଇଲେକ୍‌ଟୋରାଲ୍‌ ବଣ୍ଡ୍‌ ଜରିଆରେ ଚାନ୍ଦା ଆଦାୟ କରିବାର ବ୍ୟବସ୍ଥା ଘୋଷଣା କରିବା ସହ ଅର୍ଥ ଆଇନରେ ସଂଶୋଧନ ଆଣିଲେ, ଯେପରି କି ରାଜନୈତିକ ଦଳଗୁଡ଼ିକୁ ଏହା ମାଧ୍ୟମରେ ସଂଗୃହୀତ ଚାନ୍ଦା ସମ୍ପର୍କରେ ସର୍ବସାଧାରଣରେ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ ନାହିଁ; ଅର୍ଥାତ୍‌ ସେମାନେ ଯେତେ ଚାନ୍ଦା ଆଦାୟ କଲେ ମଧ୍ୟ ତାକୁ ସେମାନେ ଗୋପନୀୟ ରଖିପାରିବେ; ଏପରି କି ସେସବୁର ଉତ୍ସ କ’ଣ, ତାହା ମଧ୍ୟ ଜନସାଧାରଣ ଜାଣିବାର ଉପାୟ ନାହିଁ। ରାଜନୈତିକ ଦଳଗୁଡ଼ିକ ଇଲେକ୍‌ଟୋରାଲ୍‌ ବଣ୍ଡ୍‌ ଜରିଆରେ ହଜାରହଜାର କୋଟି ଟଙ୍କାର ଚାନ୍ଦା ଗ୍ରହଣ କରୁଥିଲେ ହେଁ ସେ ସମ୍ପର୍କରେ କୌଣସି ତଥ୍ୟ ଦେଉନାହାନ୍ତି। ଏସବୁ ବିପୁଳ ଅର୍ଥକୁ ସେମାନେ ନୈତିକ-ଅନୈତିକ ଭାବେ ନିର୍ବାଚନ ପ୍ରଚାରବେଳେ ବ୍ୟବହାର କରିଆସୁଛନ୍ତି। ଏହି ଅର୍ଥରେ ସେମାନେ ଘୋଡ଼ାବେପାର ରାଜନୀତି ମଧ୍ୟ କରୁଥିବା ଅଭିଯୋଗ ହୋଇଆସୁଛି। ନିର୍ବାଚନ ସମୟରେ ସେମାନଙ୍କଠାରୁ କୋଟିକୋଟି ଟଙ୍କା ଓ ଉପହାର ଜବତ ହେବା ଏହାର ଅନ୍ୟତମ ପ୍ରମାଣ।

ଏହି କାରଣରୁ ଇଲେକ୍‌ଟୋରାଲ୍‌ ବଣ୍ଡ୍‌ ବ୍ୟବସ୍ଥାକୁ ହଟାଇଦେବା ନିମନ୍ତେ ‘ଆସୋସିଏସନ ଅଫ୍‌ ଡେମୋକ୍ରେଟିକ୍‌ ରାଇଟ୍ସ’ (ଏଡିଆର୍‌) ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଛି। ଚଳିତ ମାସ ପ୍ରଥମ ସପ୍ତାହରେ ଅଦାଲତ ଏହାର ଶୁଣାଣି କରି ଏହି ବ୍ୟବସ୍ଥାକୁ ସ୍ଥଗିତ କରିବାକୁ ମନା କରିଦେଇଥିଲେ; ତେବେ ଏଥିରୁ ପ୍ରାପ୍ତ ଅର୍ଥ ଉପଯୋଗ ଉପରେ ନିୟନ୍ତ୍ରଣ ଅଛି ନା ନାହିଁ ସେ ସମ୍ପର୍କରେ ସରକାରଙ୍କୁ ପ୍ରଶ୍ନ କରିବା ସହିତ ହିଂସାତ୍ମକ କାର୍ୟ୍ୟରେ ବ୍ୟବହାର ସଂପର୍କରେ ପ୍ରଶ୍ନ କରିଥିଲେ। ବଣ୍ଡ୍‌ ଅର୍ଥର ତଥ୍ୟ ପ୍ରଦାନ ପାଇଁ ରାଜନୈତିକ ଦଳଙ୍କ କୁଣ୍ଠା ଓ ଦୁରଭିସନ୍ଧି ଦୃଷ୍ଟିରୁ ଦେଖିଲେ ଜେଏମ୍‌ଏମ୍‌ର ପଦକ୍ଷେପ ଯେ ଅତୀବ ପ୍ରଶଂସନୀୟ, ସେଥିରେ ସନ୍ଦେହ ନାହିଁ। ଏହି ଦଳ କହିଛି ଯେ ତାକୁ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡଠାରୁ ଇଲେକ୍‌ଟୋରାଲ୍‌ ବଣ୍ଡ୍‌ ଜରିଆରେ ୧ କୋଟି ଟଙ୍କା ମିଳିଛି। ଆମର ଆଶା ଯେ ଜେଏମ୍‌ଏମ୍‌ର ଏହି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ଏପରି କରିବାକୁ ପ୍ରେରଣା ଦେବ। ସେଥିରେ ହିଁ ଦେଶର ମଙ୍ଗଳ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories