ସମ୍ବଲପୁର : ଦିନକୁ ଦିନ ଅପରାଧୀ ମାନେ ବିଭିନ୍ନ ପ୍ରକାରର ହାଇଟେକ୍ ଉପାୟ କରି ସାଇବର କ୍ରାଇମ, ଏଟିଏମ ଆଦି ଲୁଟ କରୁଥିବା ବେଳେ ସାମାନ୍ୟ ବ୍ୟାଙ୍କର ଏଟିଏମରେ ହାତ ରଖି ଏବଂ ବ୍ୟାଙ୍କର ତ୍ରୁଟି ମେସେଜ ଜରିଆରେ ଅଭିନବ ଉପାୟରେ ଲୁଟ କରିବାର ଏକ ଘଟଣା ସମ୍ବଲପୁରରେ ସମ୍ମୁଖକୁ ଆସିଛି। ଶୁକ୍ରବାର ଦ୍ୱିପହରରେ ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଟଙ୍କା ଲୁଟର ରହସ୍ୟ ଉନ୍ମୋଚନ କରିଛନ୍ତି ସମ୍ବଲପୁର ଏସପି ବାଟ୍ଟୁଲା ଗଙ୍ଗାଧର। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଗତ ଦିନରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଜିଲା ମଧ୍ୟରେ ରହିଥିବା ସେମାନଙ୍କର ଏଟିଏମରୁ ଅଭିନବ ଉପାୟରେ ଟଙ୍କା ଲୁଟ କରାଯାଉଥିବାର ଅଭିଯୋଗ ମିଳିଥିଲା। ଏହି ଲୁଟ ଜିଲାରେ ଲାଗିଥିବା କିଛି ପୁରୁଣା ମଡେଲର ଏଟିଏମ ମେସିନ ମାନଙ୍କରୁ ହେଉଥିବାର ମଧ୍ୟ ବ୍ୟାଙ୍କ ପୁଲିସକୁ ସୂଚନା ଦେଇଥିଲେ। ଫଳରେ ସାରା ଜିଲାରେ ପୁଲିସ ତନାଘନା ଚଳାଇବା ସହିତ ପୁରୁଣା ମଡେଲର ମେସିନ ଲାଗିଥିବା ଏଟିଏମ ଗୁଡିକ ଉପରେ ପୁଲିସ କଡା ନଜର ରଖିଥିଲା। ଏଭଳି ସମୟରେ ମହୁଲପାଲି ଥାନାଅଞ୍ଚଳର ଏକ ଏଟିଏମରୁ ଲୁଟ କରିବା ସମୟରେ ପୁଲିସ ୩ ଜଣ ଲୁଟେରା, ଉତ୍ତର ପ୍ରଦେଶର କାନପୁର ଜିଲା ରାମାଦେବୀ ଥାନା ଅର୍ନ୍ତଗତ ପ୍ରିନ୍ସ କୁମାର (୨୩), ଆଦିତ୍ୟ ସିଂହ (୨୨) ଏବଂ ଜଲାଉନ ଜିଲା କଲପି ଥାନା ନିବାସୀ ବାବଲୁ ଲାଲ ସିଂହ(୨୫)ଙ୍କୁ ଧରିଛି। ସେମାନଙ୍କ ନିକଟରୁ ପୁଲିସ ୧ ଲକ୍ଷ ୫୫ ହଜାର ନଗଦ ଟଙ୍କା, ଏକ ହୋଣ୍ଡା କ୍ରେଟା ଦାମି କାର, ୪ଟି ମୋବାଇଲ ଫୋନ୍ ଏବଂ ବିଭିନ୍ନ ବ୍ୟାଙ୍କର ୧୨ଟି ଏଟିଏମ କାର୍ଡ ଜବତ କରିଛି।

ଏସପି କହିଛନ୍ତି ଯେ, ଏହି ଲୁଟେରା ମାନେ ବିନା କୌଣସି ମେସିନ କିମ୍ବା ଟୁଲର ସାହାର୍ଯ୍ୟରେ ଏଟିଏମ ମେସିନରୁ ଟଙ୍କା ବାହାର କରିବା ସମୟରେ ତା’ର ଟଙ୍କା ଡିସପେନସରକୁ ହାତରେ ଅଟକାଇ ଟଙ୍କା ଗୁଡିକୁ ନେଇ ଯାଉଥିଲେ। ସେମାନେ ଭଲ ଭାବରେ ଏଟିଏମ ମେସିନରେ ଟଙ୍କା ଗଣିବା, ବାହାରିବା ଆଦି ଶବ୍ଦକୁ ଶୁଣି ଠିକଣା ସମୟରେ ଟଙ୍କା ମେସିନ ଉପରକୁ ଡିସପେନସ ହେବା ସମୟରେ ଏହାର କବାଟକୁ ହାତ ଦେଇ ଅଟକାଇ ଦେଉଥିଲେ। ଟଙ୍କା ଦେବା ପରେ ସାଧାରଣତଃ ଟଙ୍କା ଡିସପେନସରଟି ଆପେ ଆପେ ବନ୍ଦ ହୋଇଯାଉଥିବା ବେଳେ ସେମାନେ ଏହାକୁ ହାତରେ ଅଟକାଇ ରଖୁଥିବାରୁ ତାହା ତୁରନ୍ତ ବନ୍ଦ ହୋଇ ପାରୁ ନ ଥିଲା। ଏଣୁ ଏଟିଏମରେ କାରବାର ଫେଲ ମାରିଥିବା ନେଇ ଏକ ଏରର ମେସଜେ ଗ୍ରାହକର ମୋବାଇଲକୁ ଟ୍ରାନଜେକ୍ସନ ଆଡି ସହିତ ଆସୁଥିଲା। ଏହା ପରେ ଲୁଟିଆ ମାନେ ତୁରନ୍ତ ସେହି ବ୍ୟାଙ୍କର ଗ୍ରାହକ ସେବାକୁ ଫୋନ୍ କରି ସେମାନେ ଟଙ୍କା ଉଠାଣ ସମୟରେ ଏରର ମେସେଜ ଆସିବା ସହିତ ଟଙ୍କା ବାହାରି ନ ଥିବା ବେଳେ ସେମାନଙ୍କର ଆକାଉଣ୍ଟରୁ ଟଙ୍କା କଟି ଯାଇଥିବାର ସୂଚନା ଦେଇ ଟଙ୍କା ଫେରସ୍ତ କରିବାକୁ କହୁଥିଲେ। ଏଣୁ ବ୍ୟାଙ୍କ ତରଫରୁ ଯାଞ୍ଚ କରାଯାଇ ସେମାନଙ୍କର ଆକାଉଣ୍ଟକୁ ଟଙ୍କା ଫେରସ୍ତ କରି ଦିଆଯାଉଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ଠକେଇ ସର୍ମ୍ପକରେ ବ୍ୟାଙ୍କକୁ ଜଣାପଡୁଥିଲା।
ଏହା ଏକ ଯୋଜନାବଦ୍ଧ ଅପରାଧ ଅଟେ ଏବଂ ଏଥିରେ ରାଜଧାନୀ ନୂଆଦିଲ୍ଲୀ ଓ ଆଖପାଖ ଅଞ୍ଚଳର ବ୍ୟକ୍ତି ମାନେ ସଂପୃକ୍ତ ରହୁଥିବାର ଦେଖାଯାଉଛି। ସେମାନେ ଓଡିଶା ଆସି ଏଭଳି କାଣ୍ଡ ଭିଆଇ ଫେରାର ମାରୁଛନ୍ତି। ଏହି ଘଟଣାରେ ଏପ୍ରିଲ ୧ ତାରିଖରେ ୧୮ଟି ଟ୍ରାନଜେକ୍ସନ ଜରିଆରେ ୧ ଲକ୍ଷ ୭୪ ହଜାର ୫ ଶହ ଟଙ୍କା ଓ ୬ ତାରିଖରେ ୧୬ଟି ଟ୍ରାନଜେକ୍ସନ ଜରିଆରେ ୧ ଲକ୍ଷ ୫୫ ହଜାର ଟଙ୍କା ସମେତ ସମୁଦାୟ ୩ ଲକ୍ଷ ୩୦ ହଜାର ଟଙ୍କାର ଲୁଟ ହୋଇଛି। ଏଥି ମଧ୍ୟରୁ ୧ ଲକ୍ଷ ୭୪ ହଜାର ୫ ଶହ ଟଙ୍କା ଜବତ ହେବାର ବାକି ରହିଛି। ଲୁଟିଆ ମାନେ ଅନ୍ୟ ବ୍ୟକ୍ତିଙ୍କ ଏଟିଏମ କାର୍ଡ, କ୍ଲୋନ କାର୍ଡ, ନକଲି କାର୍ଡ ଆଦି ବ୍ୟବହାର ସହିତ ଟଙ୍କା ଆକାଉଣ୍ଟକୁ ଫେରସ୍ତ ହେବା ପରେ ତାକୁ ଡିଜିଟାଲ ମାଧ୍ୟମରେ ସେହି ଟଙ୍କାକୁ ଅନ୍ୟତ୍ର ଟ୍ରାନ୍ସଫର କରି ଦେଉଥିଲେ। ଏହି ମାମଲାରେ ମହୁଲପାଲି ଥାନାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି ବୋଲି ଏସପି ଗଙ୍ଗାଧର କହିଛନ୍ତି।



