www.samajalive.in
Sunday, December 7, 2025
13.1 C
Bhubaneswar

କୋଭିଡ ନିୟମର ଅନୁପାଳନକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ଜିଲାପାଳ ଓ ଏସ୍‌.ପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ମହାମାରୀର ସମ୍ଭାବ୍ୟ ଦ୍ବିତୀୟ ସଂକ୍ରମଣର ମୁକାବିଲା ସଂପର୍କରେ ସମୀକ୍ଷା କରି ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେତେକ ରାଜ୍ୟରେ ପରିସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ ଲାଗିଛି। ଏବେଠାରୁ ତୁରନ୍ତ ପ୍ରତିରୋଧମୂଳକ ପଦକ୍ଷେପ ନ ନେଲେ, ଆମ ରାଜ୍ୟ ମଧ୍ୟ ଘୋର ବିପଦର ସମ୍ମୁଖୀନ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟରେ କୋଭିଡ ଯୁଦ୍ଧର ଏକ ବର୍ଷ ପୂରଣ ହୋଇଯାଇଛି। ତେବେ ଆମର ଡାକ୍ତର, ପାରାମେଡିକ୍, ଆଗଧାଡିର ଯୋଦ୍ଧା, ପ୍ରଶାସନ, ପଞ୍ଚାୟତ ପ୍ରତିନିଧି ଓ ପୋଲିସ-ଏ ସମସ୍ତଙ୍କର ନିସ୍ବାର୍ଥପର ସେବା ଓ ତ୍ୟାଗ ଯୋଗୁ ଆମେ ଏପର୍ଯ୍ୟନ୍ତ ଭୂତାଣୁର ମୁକାବିଲାରେ ସଫଳ ହୋଇଛୁ। ରାଜ୍ୟ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ କୋଭିଡ ମୁକାବିଲା ପାଇଁ ସ୍ବୀକୃତି ହାସଲ କରିଛି ବୋଲି ସେ କହିଥିଲେ। ଏବେ ଯେତେବେଳ ରୋଗ ନିୟନ୍ତ୍ରଣ, ଜୀବିକା ସୃଷ୍ଟି ଓ ଅର୍ଥନୀତି କ୍ଷେତ୍ରରେ ରାଜ୍ୟ ସ୍ବାଭାବିକ ପରିସ୍ଥିତିକୁ ଫେରିଆସୁଛି, ସେତେବେଳେ ଆମ ଦେଶ ସହିତ ବିଶ୍ବର ଅନେକ ଦେଶରେ କୋଭିଡର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଆମ ଦେଶରେ ଦ୍ବିତୀୟ ସଂକ୍ରମଣ ଆରମ୍ଭ ହେବା ପରି ପରିସ୍ଥିତି ଲକ୍ଷ୍ୟ କରାଯାଉଛି। ତେଣୁ ଏଭଳି ପରିସ୍ଥିତିରେ ଦ୍ବିତୀୟ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର ଓ ହାତଧୁଆ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବା ଜରୁରୀ। ବିଶେଷକରି ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାରର ଦୃଢ ଅନୁପାଳନକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।


ସମସ୍ତ ଜିଲାଗୁଡିକ ନିଜ ନିଜ ଅଞ୍ଚଳର ସ୍ଥାନୀୟ ନେତୃବୃନ୍ଦ, ପଞ୍ଚାୟତ ପ୍ରତିନିଧି ଓ ଧାର୍ମିକ ସଂସ୍ଥା ଆଦି ବିଭିନ୍ନ ଆବଶ୍ୟକ ବ୍ୟକ୍ତି ଓ ସଂସ୍ଥା ମାନଙ୍କ ସହିତ ସଚେତନତା ଓ ସମନ୍ବୟ ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନେକ ଦେଶରେ କୋଭିଡର ଦ୍ବିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ଭୟଙ୍କର ହେଉଛି। ଏସବୁ ଦେଶ ପୁଣି ଲକ୍‌ଡାଉନ ପରିସ୍ଥିତିକୁ ଫେରୁଛନ୍ତି। ଆମ ପକ୍ଷରେ ପୁଣି ଥରେ ଲକ୍‌ଡାଉନକୁ ଫେରିବା ବହୁତ କ୍ଷତିକାରକ ହେବ। ତେଣୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଥିଲେ ଯେ ଆମ ସମସ୍ତେ ଆତ୍ମ ସଂଯମତା ପାଳନ କରିବା ସହିତ ରାଜ୍ୟର ସବୁସ୍ଥାନରେ କୋଭିଡ ନିୟମାବଳୀର ଅନୁପାଳନକୁ ସୁନିଶ୍ଚିତ କରିବା ଦ୍ବିତୀୟ ଲହର ନ ହେବା ପାଇଁ ରାଜ୍ୟ ପ୍ରଶାସନ ନୂତନ ଉତ୍ସାହ ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ସମସ୍ତେ ସତର୍କ ରହିବା ଏବଂ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରତିରୋଧମୂଳକ ପଦକ୍ଷେପକୁ କାର୍ଯ୍ୟକାରୀ କରିବା। ପରିସ୍ଥିତି ଉପରେ ସତର୍କ ନଜର ରଖିବା ସହ ନିୟମିତ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଥିଲେ। ଜିଲାପାଳ ଓ ଏସ୍‌.ପି ମାନେ ନିଜ ନିଜ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଏହି ଅନୁପାଳନକୁ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ସେହିପରି ସ୍ବାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ବ୍ୟାପକ ପ୍ରଚାର ଓ IEC campaign ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରିମର୍ଶ ଦେଇଥିଲେ। ଗାଁ, ସାପ୍ତାହିକ ହାଟ ଓ ଭିଡ ପରିଲକ୍ଷିତ ହେଉଥିବା ମାର୍କେଟରେ ଡାକବାଜି ଯନ୍ତ୍ର ଜରିଆରେ ସମସ୍ତ ନିୟମାବଳୀ ଓ ଜରୁରୀ ସୂଚନା ସଂପର୍କରେ ତୁରନ୍ତ ଘୋଷଣା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳମାନେ ନିଜ ନିଜ ଅଞ୍ଚଳରେ ସର୍ଭେଲାନସ୍‌ ଓ ଟେଷ୍ଟିଂ କାର୍ଯ୍ୟକ୍ରମକୁ କଡାକଡି ଭାବରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସମଗ୍ର ପ୍ରଶାସନିକ କଳକୁ ପରିସ୍ଥିତିର ଗମ୍ଭୀରତା ଅନୁଭବ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତେ ନିଜ ନିଜକୁ କୋଭିଡ ଯୁଦ୍ଧରେ ପୁଣିଥରେ ନିଷ୍ଠାର ସହ ସାମିଲ କରିବା ପାଇଁ ନିବେଦନ କରିଥିଲେ।

- Advertisement -


ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ନିୟମକୁ ଅଧିକ କଡାକଡି ଭାବରେ ପାଳନ କରାଯିବ। ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଅଧିକ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବର୍ତ୍ତମାନର ସ୍ଥିତି ସଂପର୍କରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ। ଗତ କିଛି ଦିନ ହେଲା କୋଭିଡ ପଜିଟିଭ କେସ୍‌ରେ ସାମାନ୍ୟ ବୃଦ୍ଧି ଆସିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ରାଜ୍ୟର ସୁନ୍ଦରଗଡ, ମୟୁରଭଞ୍ଜ, କଟକ ଓ ଖୋର୍ଦ୍ଧା-ଏହି ୪ ଗୋଟି ଜିଲ୍ଲାରେ ରାଜ୍ୟରେ ବାହାରୁଥିବା ପଜିଟିଭ ସଂଖ୍ୟାର ୪୦ ପ୍ରତିଶତ ଥିବାବେଳେ ନୟାଗଡ ଓ ମାଲକାନଗିରିରେ କେହି ଜଣେ ବି ପଜିଟିଭ ନାହାନ୍ତି ବୋଲି ସେ କହିଥିଲେ। ବର୍ତ୍ତମାନ ରାଜ୍ୟରେ ୮୯୮ ଜଣ ସକ୍ରିୟ ରୋଗୀ ଥିବାବେଳେ, ୧୦୬ ଜଣ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ରାଜ୍ୟର କୋଭିଡ ଭିତ୍ତିଭୂମି ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ। RT-PCR ଟେଷ୍ଟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ଓ ରେଡ୍‌ ଫ୍ଲାଗ୍‌ ରାଜ୍ୟ ଗୁଡିକରୁ ଆସୁଥିବା ଲୋକମାନଙ୍କୁ କଡାକଡି ଯାଂଚ କରାଯାଉଛି। ଟିକାକରଣ ସଂପର୍କରେ ଆଲୋକପାତ କରି ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮.୮୧ ଲକ୍ଷ ଲୋକଙ୍କୁ ଟୀକା ଦିଆଯାଇସାରିଛି। ଅଧିକ ୨୫ ଲକ୍ଷ ଡୋଜ୍‌ ଟୀକା ପଠାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ସେ କହିଥିଲେ। ରାଜ୍ୟରେ ଟୀକା ନଷ୍ଟ ପରିମାଣ ୦.୨୪ ପ୍ରତିଶତ ରହିଛି, ଯାହାକି ସମଗ୍ର ଦେଶରେ ସବୁଠାରୁ କମ୍‌ ବୋଲି ସେ କହିଥିଲେ।  ପୁଲିସ ମହାନିର୍ଦେଶକ  ଅଭୟ କହିଥିଲେ ଯେ କୋଭିଡ ନିୟମର କଡା ଅନୁପାଳନ ପାଇଁ ପୋଲିସ ପ୍ରଶାସନକୁ ଦୃଢ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟେସନ ଓ ବିମାନ ବନ୍ଦର ଗୁଡିକରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖାଯିବା ସହିତ ସେମାନଙ୍କ ଟେଷ୍ଟିଂ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ପି.କେ ଜେନା, କୃଷି ଉତ୍ପାଦନ କମିଶନର ଆର୍‌. କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories