www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରେମଯୋଗ: ସକଳ ସିଦ୍ଧିର ମହାମାର୍ଗ

ମଣିଷ ପ୍ରେମରୁ ଆସିଛି, ପ୍ରେମରେ ରହିବ ଓ ପ୍ରେମକୁ ଚାଲିଯିବ। ଏହା ହିଁ ଜୀବନର ଲକ୍ଷ୍ୟ ଓ ପଥ; କିନ୍ତୁ ଅନେକ ହୁଅନ୍ତି ପ୍ରେମଚ୍ୟୁତ। ଅନେକ ଅପ୍ରେମକୁ ପ୍ରେମ ଭାବି ପଥଭ୍ରଷ୍ଟ ହୁଅନ୍ତି। ଅଳୀକତାକୁ ସାର ମଣି, ମୋହକୁ ମହାର୍ଦ୍ଦ ଭାବି ଜୀବନକୁ ଅର୍ଥହୀନ କରିଦିଅନ୍ତି। ଅତି ସରଳ ପ୍ରେମକୁ ଜଟିଳ କରି ବାଟରେ ଝୁଣ୍ଟନ୍ତି। ପ୍ରେମକୁ ପରମ ମନେ କରୁଥିବା ଓ ସର୍ବ ପ୍ରେମମୟ ଦୃଷ୍ଟିରେ ସୃଷ୍ଟିକୁ ଦେଖୁଥିବା ବ୍ୟକ୍ତି ହିଁ ସାର୍ଥକ ଜୀବନ ପାଆନ୍ତି। କେବଳ ମଣିଷ କାହିଁକି, ଜୀବଜଗତ, ବସ୍ତୁଜଗତ, ସାରା ଦୃଶ୍ୟମାନ ଜଗତ; ଏପରି କି ଅପାର୍ଥିବ ଜଗତ ମଧ୍ୟ ପ୍ରେମରୁ ପ୍ରକଟିତ। ବାସ୍ତବରେ ପ୍ରେମ ଭିନ୍ନ ଅନ୍ୟ କିଛି ନାହିଁ। ସମଗ୍ର ବ୍ରହ୍ମାଣ୍ଡ ଯାହାକୁ ଆଧାର କରି ପ୍ରତିଭାତ ଏବଂ ଯେଉଁ ସୂତ୍ରରେ ପରିଚାଳିତ, ତାହା ହେଉଛି ପ୍ରେମ। ପ୍ରେମକୁ ଅନ୍ତର କରିଦେଲେ ଅନ୍ତଃହୀନ ଶୂନ୍ୟତା କେବଳ। ଯାହା ସବୁ ଦିଶୁଚି ତାହା ପ୍ରେମର ପ୍ରକାଶ ମାତ୍ର।
ଯେହେତୁ ପ୍ରତ୍ୟେକ ଜୀବର ଉଦ୍‍ଭବ ପ୍ରେମରୁ, ଏଣୁ ତା ମଧ୍ୟରେ ସ୍ୱାଭାବିକ ଭାବରେ ପ୍ରେମ ବିଦ୍ୟମାନ। ତା ମଧ୍ୟରେ ପ୍ରେମର ଚିରନ୍ତନ ପ୍ରବାହ; କିନ୍ତୁ ଜୀବ ପ୍ରେମଠୁ ଦୂରେଇ ଯାଏ କାହିଁକି ? କାରଣ ନିଜ ଅନ୍ତରର ଉତ୍ସକୁ ହୁଏତ ସେ ଠାବ କରିପାରେ ନାହିଁ। ହୁଏତ ପ୍ରେମ ଉପରେ ବିଷୟର, ମୋହର ଆସ୍ତରଣ ଜମିଯାଏ। ସଂସାରର ଭେଳିକିରେ ଆସକ୍ତ ହୋଇଯାଏ। ଆସକ୍ତିକୁ ପ୍ରେମ ଭାବି ସେ ତା ପଛରେ ଧାଇଁ ବଳ ବୟସ ବିଦ୍ୟା ବୁଦ୍ଧି ହରାଇଦିଏ। ବଂଧନକୁ ଜୀବନର ବ୍ୟାକରଣ ଭାବି ଜୀବନ ସାହିତ୍ୟ ସର୍ଜନା କରେ ଏବଂ ଶେଷରେ ସଂତାପିତ ପ୍ରାଣ ନେଇ ବିଦାୟ ନିଏ।
ପ୍ରେମ ବଂଧନ ନୁହେଁ। ଯେଉଁଠି ବଂଧନର ବାସ୍ନା ଅଛି ତାହା ଅନ୍ୟ କିଛି ହୋଇପାରେ, କଦାପି ପ୍ରେମ ନୁହେଁ। ପ୍ରେମରେ ପଡ଼ିବା ଏକ ଭ୍ରମାତ୍ମକ ଉପଲବ୍ଧି। ଅସଲରେ ପ୍ରେମରେ କେହି ପଡ଼ନ୍ତି ନାହିଁ, ପ୍ରେମରେ ଉଠନ୍ତି। ପ୍ରେମ ହେଉଛି ଊର୍ଦ୍ଧ୍ବଉଡ଼ାଣ। ପ୍ରେମ ମୁକ୍ତି ଦିଏ। ସକଳ ଫାଶ ଖୋଲିପକାଏ। ଯେତେଯେତେ ପ୍ରେମ ପ୍ରକଟିତ ହେବ, ସେତେସେତେ ଫାଶ ଖୋଲିଯିବ। ଆସକ୍ତି ଅନ୍ତର୍ହିତ ହେବ। ପ୍ରେମ ମୁକ୍ତ ପ୍ରାଣର କାରଣ। ଅନ୍ୟ ପକ୍ଷରେ, ମୁକ୍ତ ପ୍ରାଣ ହିଁ କରିପାରେ ପ୍ରେମ ଆସ୍ୱାଦନ।
ସ୍ୱାଭାବିକ ଭାବରେ ମଣିଷ ପ୍ରେମର ଅନ୍ୱେଷଣ କରେ; କିନ୍ତୁ ଅନେକ ଭୁଲ ଠିକଣାରେ ପ୍ରେମ ଖୋଜନ୍ତି। ଧନ, ସଂପଦ, ପତ୍ନୀ, ସ୍ୱାମୀ, ପୁତ୍ରକଳତ୍ର, କ୍ଷମତା, ପଦବୀ– ଏମିତି କେତେ କେତେ ଜାଗାରେ, କେତେ କେତେ ମାଧ୍ୟମରେ ସେମାନେ ପ୍ରେମ ଖୋଜନ୍ତି। ପ୍ରେମର ଶକ୍ତି ଅପେକ୍ଷା ଶକ୍ତିର ପ୍ରେମରେ ପଡ଼ିଯାଆନ୍ତି ଏବଂ ତାହା ହିଁ ପ୍ରେମ ବୋଲି ଭାବିବା ହେଉଛି ଅଜ୍ଞତା। ଏଣୁ କାଳେକାଳେ ମଣିଷକୁ ପ୍ରେମମନସ୍କ କରିବାକୁ, ପ୍ରେମର ପଥ ଦେଖାଇବାକୁ ମହାପୁରୁଷମାନେ ଜନ୍ମ ନିଅନ୍ତି। ବେଳେବେ​‌େ​‌ଳ ସ୍ୱୟଂ ଭଗବାନ ବି। ହେଲେ ମଣିଷ କ’ଣ ବୁଝେ ? ସେ କାଚକୁ କାଞ୍ଚନ ମନେକରି ଭ୍ରମିତ ହେଉଥାଏ। ଦିଆନିଆର ଦୁନିଆରେ କେତେକ ପ୍ରେମକୁ ପଣ୍ୟ କରିଦିଅନ୍ତି। ପ୍ରେମ ପଣ୍ୟ ନୁହେଁ। ପ୍ରେମ ମହାପ୍ରାଣ। ପ୍ରେମ ହିଁ ଚରମ ସତ୍ୟ। ସାକ୍ଷାତ ଈଶ୍ୱର। ପ୍ରେମ ପ୍ରାପ୍ତି ମାନେ ଚତୁର୍ବର୍ଗ – ଧର୍ମ, ଅର୍ଥ, କାମ, ମୋକ୍ଷ – ସର୍ବପ୍ରାପ୍ତି। ଭୁଲ ଧାରଣା ଯେ ପ୍ରେମ କୋଉଠି ଗୋଟେ ମିଳେ, ତେଣୁ ମଣିଷ ଖୋଜେ। ବାସ୍ତବିକତା ହେଲା, ପ୍ରେମ ଏମିତି ଏକ ଅନୁଭବ, ଯାହା ଦେଲେ ହିଁ ମିଳେ। ଯିଏ ଯେତେ ପ୍ରେମ ଦେବ, ତାକୁ ସେତେ ପ୍ରେମ ମିଳିବ। ତେଣୁ ପ୍ରେମ ପାଇବାକୁ ଯଦି ଇଚ୍ଛା ଅଛି, ତେବେ ନିଜ ଭିତରେ ଥିବା ପ୍ରେମର ଅକ୍ଷୟ ଭଣ୍ଡାରକୁ ଖୋଲିଦିଅ, ପ୍ରେମ ବିତରଣ କର। ପ୍ରେମ ପାଇବାର ଏହା ହେଉଛି ସୂକ୍ଷ୍ମ ଓ ସରଳ ମାର୍ଗ।
ପ୍ରେମରେ ପ୍ରେମୀ ପ୍ରଥମେ ଏକ ହୋଇ ତା’ପରେ ଦୁଇ ହୋଇଯାଆନ୍ତି। ଦୁଇରୁ ପୁଣି ଏକ ହେଉଥାଆନ୍ତି। ଏହି ପ୍ରକ୍ରିୟା ହିଁ ପ୍ରେମ। କେବେ ରାଧା କୃଷ୍ଣ ହୋଇଯାଆନ୍ତି ତ କେତେବେଳେ କୃଷ୍ଣ ରାଧା ହୋଇଯାଆନ୍ତି। କେବେ ଶିବ କୋଳରେ ନନ୍ଦୀ ତ କେବେ ନନ୍ଦୀ କୋଳରେ ଶିବ। ରାମ ଚରିତ କହୁଛନ୍ତି, ‘ସେୱକ ସ୍ୱାମୀ ସଖା ସିୟ ପା କେ’। ସେମିତି ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କର ସଂପର୍କ – ‘ଇଷ୍ଟୋସି ମେ ଦୃଢ଼ମତି’। ଉଭୟ ଅନୁପୂରକ ଓ ପରିପୂରକ। ପ୍ରେମ ବଢ଼ିଚାଲେ, ପରିପୂର୍ଣ୍ଣତାରେ ପରିବର୍ଦ୍ଧନ ହେଉଥାଏ।
ସମପର୍ଣ ହେଉଛି ପ୍ରେମର ପହିଲା ଗୁଣ ଓ ଲକ୍ଷଣ। ସବୁ ଦେଇଦେବାର ଆନନ୍ଦ କେବଳ ପ୍ରେମରେ ମିଳେ। ସମର୍ପଣ ହେଉଛି ନିଜକୁ ଫେଣ୍ଟିଦେବା, ନିଜ ସତ୍ତାକୁ ଅର୍ପଣ କରିବା। ଯେମିତି ସମୁଦ୍ରରେ ତରଙ୍ଗ, ଯେଉଁଠି ଆରମ୍ଭ, ସେଇଠି ଶେଷ। ଯେମିତି ମହାସାଗରରେ ଜଳବିନ୍ଦୁ, ଯେମିତି ସୂର୍ଯ୍ୟ ଓ କିରଣ, ଯେମିତି ଫୁଲ ଓ ବାସ୍ନା; ସେମିତି ସଂପର୍କ ଆତ୍ମା ଓ ପରମାତ୍ମା। ପ୍ରତ୍ୟେକ ପରମାତ୍ମାର ଅଂଶ ବିଶେଷ। ସେଇଠୁ ଆସିଛି ଏବଂ ସେଇଠିକୁ ଚାଲିଯିବ। ଜ୍ୟୋତିଷାମପି ତ​‌େଜ୍ଜ୍ୟାତିସ୍ତମସଃ ପରମୁଚ୍ୟତେ, ଜ୍ଞାନଂ ​‌େ​‌ଜ୍ଞୟଂ ଜ୍ଞାନଗମ୍ୟଂ ହୃଦି ସର୍ବସ୍ୟ ବିଷ୍ଠିତମ୍‌। (ଗୀତା-୧୩/୧୭)। ସେହି ପରମବ୍ରହ୍ମକୁ ଜ୍ୟୋତିମାନଙ୍କର ବି ଜ୍ୟୋତି ଏବଂ ମାୟାରୁ ସଂପୂର୍ଣ୍ଣ ଅତୀତ ବୋଲି କୁହାଯାଏ। ସେହି ପରମାତ୍ମା ବୋଧସ୍ୱରୂପ, ଜାଣିବାର ଯୋଗ୍ୟ ଏବଂ ତତ୍ତ୍ୱ ଜ୍ଞାନ ଦ୍ୱାରା ପ୍ରାପ୍ୟ ତଥା ସେ ସମସ୍ତଙ୍କର ହୃଦୟରେ ବିଶେଷ ରୂପେ ଅବସ୍ଥିତ। ଭଗବାନ ଓ ଜୀବ ମଧ୍ୟରେ ଆକର୍ଷଣ ସ୍ୱାଭାବିକ। ଉଭୟଙ୍କ ଭିତରେ ପ୍ରେମାକର୍ଷଣ ପ୍ରବଳ। ଭଗବାନ ପ୍ରେମ କରି ଚାଲିଥାଆନ୍ତି ଜୀବକୁ, ସେଥିରେ କେବେ ଉଣା କରନ୍ତି ନାହିଁ। ହୁଏତ ଜୀବ କେବେକେବେ ଅଜ୍ଞତାରେ ଜାଣିପାରେ ନାହିଁ, ଜାଣିଲେ ମଧ୍ୟ ଠିକ୍‌ ଅର୍ଥରେ ଗ୍ରହଣ କରିପାରେ ନାହିଁ। ପ୍ରାୟତଃ ଭୁଲ କରେ ଜୀବ। ସ୍ୱାଭାବିକତାରେ ବିକୃତି ଆଣେ। ପ୍ରେମର ଧାରକୁ ଅନ୍ୟ ଆଡ଼େ ବୁଲାଇନିଏ। ସବ ମମ ପ୍ରିୟ ସବ ମମ ଉପଜାଏ (ମାନସ) ଭାବରେ ବିରୁଦ୍ଧାଚରଣ କରେ। ଏଣୁ ଦୁଃଖ ପାଏ। ପ୍ରେମହୀନ ହୋଇ ବୁଲେ, ଭାଗ୍ୟକୁ ନିନ୍ଦେ। ପ୍ରେମର ଭଣ୍ଡାର ଖୋଲାଥିଲା ବେଳେ, ଅଭୁକ୍ତ ଭକ୍ଷଣ କରେ, ମନକୁ ରୋଗାକ୍ରାନ୍ତ କରେ।
ପ୍ରେମ ହେଉଛି ସର୍ବୋତ୍ତମ ଉପଲବ୍ଧି। ଏହା ଜୀବର ସର୍ବଶ୍ରେଷ୍ଠ ପ୍ରାପ୍ତି। ପ୍ରେମ ଦିଏ ଜୀବନକୁ ପୂର୍ଣ୍ଣତା, ଅକଳ୍ପନୀୟ ବ୍ୟାପ୍ତି। ମୃତ୍ୟୁକୁ ବି ପରାହତ କରିପାରେ ଯାହାର ଅନେକ ଉଦାହରଣ ଅଛି ଆମ ସାମୂହିକ ସ୍ମୃତିରେ, ଅଛି ବି ଚଳନ୍ତି ସମୟରେ। ବିଶିଷ୍ଟ ଲେଖକ ଓ ଚିନ୍ତକ ଅକ୍ଟାଭିଓ ପାଜଂ୍‍କ ଭାଷାରେ – “Love is one of the answers humankind invented to stare death in the face, time ceases to be a measure and we can briefly know paradise”। ଯଦି ଜଣେ ସତ ପ୍ରେମରେ ଚାଲିବ, ସେ ମର୍ତ୍ତ୍ୟରେ ଚଳପ୍ରଚଳ କରୁଥିଲେ ମଧ୍ୟ ସେ ରହିବ ସ୍ୱର୍ଗରେ।
ପ୍ରେମ ପ୍ରସଂଗ ଆସିଲେ ରାଧା-କୃଷ୍ଣ ଆମ ମନକୁ ଆସନ୍ତି। ସ୍ୱାଭାବିକ ଭାବରେ ନାରୀ ଓ ପୁରୁଷଙ୍କ ମଧ୍ୟରେ ପ୍ରାୟତଃ ପ୍ରେମକୁ ସୀମିତ କରି ଦିଆଯାଏ; କିନ୍ତୁ ପ୍ରେମ ହେଇପାରେ ଲିଙ୍ଗ ନିରପେକ୍ଷ। ରାଧା-କୃଷ୍ଣଙ୍କ ପ୍ରେମ ବହୁତ ବ୍ୟାପକ ଯାହାର ସୀମା ନାହିଁ କି ସଂଜ୍ଞା ନାହିଁ। ସେଠି ପ୍ରେମ ହେଉଛି କେବଳ ପ୍ରେମ। ଅନ୍ୟ କିଛି ନୁହେଁ। ରାଧା-କୃଷ୍ଣ ତତ୍ତ୍ୱରେ ପ୍ରଭେଦକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସେମାନେ ଭିନ୍ନ ନୁହନ୍ତି, ଅଭେଦ ଓ ଅଭିନ୍ନ। ହୁଏତ ବୁଝିବା ପାଇଁ ଏପରି ପ୍ରକରଣ। ନହେଲେ ଯିଏ ରାଧା ସେ ବି କୃଷ୍ଣ ଏବଂ ଯିଏ କୃଷ୍ଣ, ସେ ମଧ୍ୟ ରାଧା। ଯେମିତି ଆତ୍ମା ଓ ପରମାତ୍ମା। ରାଗାତ୍ମିକା ପ୍ରେମର ପ୍ରଗାଢ଼ ପ୍ରୟୋଗ ରହିଛି ଏଇ ପ୍ରେମଲୀଳାରେ।
ଭକ୍ତିର ସର୍ବଶ୍ରେଷ୍ଠ ମାର୍ଗ ହେଉଛି ପ୍ରେମ। ଈଶ୍ୱର ଆରାଧନାର ଉପଚାର। କେବଳ ପ୍ରାଚ୍ୟ ପରଂପରାରେ ନୁହେଁ, ପାଶ୍ଚାତ୍ୟ ଚିନ୍ତନ ଓ ଦର୍ଶନରେ ମଧ୍ୟ ପ୍ରେମକୁ ଈଶ୍ୱରୀୟ ଆଂଗିକ ଓ ଆତ୍ମିକ ପ୍ରଦାନ କରାଯାଇଛି। କୁହାଯାଇଛି, ‘‘He prayth well, who loveth well’’ । ପ୍ରେମ ଏକ ସଫଳ ପ୍ରାର୍ଥନା।
ମଣିଷ ପ୍ରେମ ଚାହେଁ, ପାଇବାକୁ ଧନ୍ଦି ହୁଏ। ଗ୍ରନ୍ଥର ଆଶ୍ରୟ ନିଏ। ପାଣ୍ଡିତ୍ୟରେ ପ୍ରେମର ତର୍ଜମା କରେ। ରାଶିରାଶି ପୁସ୍ତକ ଖେଳାଏ। କସ୍ତୁରୀ ମୃଗ ଭଳି ଏଣେତେଣେ ଧାଏଁ; କିନ୍ତୁ ପ୍ରେମ କଲେ, ତାକୁ ସବୁ ମିଳିଯାଏ। ପୋଥି ନ ଛୁଇଁ, ନ ଘାଣ୍ଟି ବି ସେ ପଣ୍ଡିତ ବନିଯାଏ। ସକଳ ଜ୍ଞାନର ଅଧିକାରୀ ହୋଇଯାଏ। ଯାହା ପାଖରେ ପ୍ରେମ ଅଛି, ତା ପାଖରେ ପୃଥିବୀ ଅଛି। ଏତେ ସରଳ ସୁଗମ ପଥ ଛାଡ଼ି ମଣିଷ କାହିଁକି ଏଣେତେଣେ ବୁଲି ହତାଶ ହୁଏ, ସତରେ ଆଶ୍ଚର୍ଯ୍ୟ ଲାଗେ। ଏହାକୁ ଲକ୍ଷ୍ୟ କରି ସନ୍ଥ କବୀର କହୁଛନ୍ତି :
ପୋଥି ପଢ଼ ପଢ଼ ଜଗ ମୁଆ, ପଣ୍ଡିତ ଭୟା ନା କୋୟ
ଢାଇ ଅକ୍ଷର ପ୍ରେମ୍‌ କା, ପଢ଼େ ଯୋ ପଣ୍ଡିତ ହୋୟ।

ଗଣେଶୀ ଲାଲ

- Advertisement -

ଲେଖକ ଓଡ଼ିଶାର ରାଜ୍ୟପାଳ
govodisha@nic.in

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories