www.samajalive.in
Tuesday, December 9, 2025
15.1 C
Bhubaneswar

ନାଚି ନ ଜାଣି…

ବିଗତ ବର୍ଷର ମହାମାରୀଜନିତ ସମସ୍ତ ଦୁଶ୍ଚିନ୍ତା ଓ ଅବସାଦକୁ ନୂଆ ବର୍ଷର ପିକନିକରେ ଦୂର କରିଦେବାକୁ ଯେମିତି ଦୃଢ଼ ସଂକଳ୍ପ ହୋଇ ସେଦିନ ନନ୍ଦନକାନନ ଛୁଟି ଆସିଥିଲେ ପାଞ୍ଚ, ଛ’ ଜଣ ଯୁବକ‌। ଉଦ୍ଭିଦ ଉଦ୍ୟାନର ହର୍ଷୋଲ୍ଲାସର ପରିବେଶ ଭିତରେ ଖୁସିରେ ମତୁଆଲା ହୋଇଯାଇଥିବା ଏହି ଯୁବକମାନେ ହଠାତ ନାଚିବା ଆରମ୍ଭ କରିଦେଲେ‌। ଆଉ ଏହି ଉଦ୍ଦଣ୍ଡ ନୃତ୍ୟ କରୁଥିବାବେଳେ ସେମାନେ ମୁଣ୍ଡ ଉପରେ ମଦ ଗ୍ଲାସ ରଖି ବଣଭୋଜିରେ ବ୍ୟସ୍ତ ଥିବା ଅନ୍ୟ ପିଣ୍ଡିର ସଦସ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟା କରିଥିଲେ‌। ଅବଶ୍ୟ ଚେତାବନୀ ପରେ ମଧ୍ୟ ସେମାନଙ୍କ ଉଚ୍ଚାଙ୍ଗ ନୃତ୍ୟ ନ ଥମିବାରୁ ସେମାନଙ୍କୁ ପୁଲିସ ଗିରଫ କରିଥିଲା‌। ହେଲେ ଏ ଲେଖାର ଉଦ୍ଦେଶ୍ୟ ଆଇନ ଶୃଙ୍ଖଳା ବିଷୟରେ ଆଲୋଚନା କରିବା ନୁହେଁ, ଏଠି ଲକ୍ଷ୍ୟ, ମଣିଷର ନାଚିବାର ପ୍ରକୃତିକୁ ଟିକେ ନିରେଖି ଦେଖିବା‌।

ଖାଲି ସେହି ଉଚ୍ଛୃଙ୍ଖଳ ଯୁବକମାନେ କାହିଁକି, ଯେ କୌଣସି ମଣିଷ ଆନନ୍ଦରେ ଅଧୀର ହୋଇଗଲେ ଗୋଡ ହାତ ହଲାଇ ନାଚିବାକୁ ଉଦ୍ୟମ କରିଥାଏ‌। ନନ୍ଦନକାନନ ଘଟଣାର କିଛି ମାସ ତଳେ ଲକ୍‌ଡାଉନ୍‌ ସମୟରେ ସୁରତରୁ ପ୍ରତ୍ୟାବର୍ତ୍ତନ କରି ଏକାନ୍ତ ଵାସ କରୁଥିବା ଗୋଟିଏ ଦଳର କିଛି ସଦସ୍ୟଙ୍କର ନୃତ୍ୟ ସମସ୍ତଙ୍କୁ କୌତୂହଳୀ କରିଥିଲା, ଅବଶ୍ୟ ଏହି ଆଚରଣର ସମାଲୋଚନା ବି ହୋଇଥିଲା ଅନେକ‌; କିନ୍ତୁ ସେ ନୃତ୍ୟ ଥିଲା ନିକଟରେ ସେମାନେ ଅଙ୍ଗେ ନିଭାଇଥିବା ଦୁର୍ଦଶା ଓ ଅନିଶ୍ଚିତତାରୁ ମୁକ୍ତି ପାଇବାର ଆନନ୍ଦର ସ୍ବତଃସ୍ପୂର୍ତ୍ତ ପରିପ୍ରକାଶ‌।

- Advertisement -

ଅବଶ୍ୟ ମହାମାରୀ ସମୟରେ ମୁମୂର୍ଷୁ ରୋଗୀମାନଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ କେତେକ ସ୍ଥଳରେ ତାଙ୍କର ଅବସାଦ, ମାନସିକ ଚାପ ତଥା ଶାରୀରିକ କ୍ଳେଶକୁ ଲାଘବ କରିବା ପାଇଁ ୱାର୍ଡ ଭିତରେ ସଙ୍ଗୀତର ତାଳେ ତାଳେ ନାଚୁଥିବାର ଦେଖାଯାଇଥିଲା‌। ଶୀଲଚର ଓ ବେଙ୍ଗାଲୁରୁର ଡାକ୍ତରମାନଙ୍କର ଏହି ନୃତ୍ୟର ଭିଡିଓ ଭାଇରାଲ ହୋଇଗଲା‌। ସେମାନଙ୍କର ଏହି ପରିବେଷଣ ମୃତ୍ୟୁ ସହ ଲଢ଼ୁଥିବା ରୋଗୀମାନଙ୍କୁ କିଛି ମାତ୍ରାରେ ଯନ୍ତ୍ରଣାର ଉପଶମ ଦେଇଥିବ ବୋଲି ଅନେକେ ଆଶା କରନ୍ତି‌। ହୁଏତ ସେହି ଉଦ୍ଦେଶ୍ୟରେ ମହାମାରୀ ଆସିବା ପୂର୍ବରୁ ଥରେ ଆମ ଓଡ଼ିଶାରେ କିଛି ନର୍ସ, ରୋଗୀମାନଙ୍କ ସମ୍ମୁଖରେ ନାଚିଥିଲେ‌। ସେତେବେଳେ କିନ୍ତୁ ଏମିତି ଘଟଣା ସମ୍ପୂର୍ଣ୍ଣ ନୂଆ ହୋଇଥିବାରୁ ସେବିକାମାନଙ୍କୁ କର୍ତ୍ତୃପକ୍ଷଙ୍କ ରୋଷର ଶିକାର ହେବାକୁ ପଡିଥିଲା‌। ପରିସ୍ଥିତି ଯାହା ହେଉନା କାହିଁକି, ନାଚିବା ଯେ ମଣିଷର ବିଭିନ୍ନ ଆବେଗକୁ ବ୍ୟକ୍ତ କରିବାର ଏକ ସ୍ବାଭାବିକ ପରିଭାଷା, ଏଥିରେ ସନ୍ଦେହ ନାହିଁ‌।

କେବଳ ମଣିଷ କାହିଁକି, ସମଗ୍ର ସୃଷ୍ଟି ଅହର୍ନିଶ କୌଣସି ନା କୌଣସି ନୃତ୍ୟର ତାଳରେ ଛନ୍ଦାୟିତ ହୋଇ ଚାଲିଛି‌। କ୍ଷୁଦ୍ରାତିକ୍ଷୁଦ୍ର ପରମାଣୁର ନୃତ୍ୟର ଚିତ୍ର ବୈଜ୍ଞାନିକମାନେ ଉତ୍ତୋଳନ କରିସାରିଛନ୍ତି‌। ସେମିତି ବିଶ୍ବବ୍ରହ୍ମାଣ୍ଡ ଅବିରତ ମହାଜାଗତିକ ଗତି ଓ ଛନ୍ଦ ମାଧ୍ୟମରେ ଏକ ଚିରନ୍ତନ ନୃତ୍ୟରେ ନିମଗ୍ନ‌। ପରମାଣୁଠାରୁ ବିଶାଳ ବ୍ରହ୍ମାଣ୍ଡ ପର୍ୟ୍ୟନ୍ତ ଯେତେବେଳେ ସବୁକିଛି ନୃତ୍ୟରତ, ସେଥିରୁ ଦେବଦେବୀ, ମଣିଷ ଓ ପ୍ରାଣୀ ଜଗତ ବା ବାଦ୍‌ ପଡନ୍ତେ କିପରି?

ଶିବଙ୍କର ତାଣ୍ଡବ ନୃତ୍ୟ ସୃଷ୍ଟିର ଆରମ୍ଭ, ପୁଣି ସୃଷ୍ଟି ଶେଷର ଦ୍ୟୋତକ‌। ସେହି କାରଣରୁ ନୃତ୍ୟ କେତେବେଳେ ଲାସ୍ୟମୟୀ ତ କେତେବେଳେ ଉଦ୍ଦାମ‌। କେତେବେଳେ ଏହା ଶୁଭ କାର୍ୟ୍ୟର ମାଙ୍ଗଳିକ ବା ଆନନ୍ଦ ମହୋତ୍ସବର ସୂଚକ ତ କେତେବେଳେ ପୁଣି ବୀର ସୈନିକର ମନୋବଳ ବଢାଇବା ପାଇଁ ସମର ନୃତ୍ୟ ରୂପରେ‌।

ନୃତ୍ୟ ମାଧ୍ୟମରେ ସାଧକ ଉତ୍ତରଣ, ଆଲୋକ ଓ ମୋକ୍ଷ ଖୋଜିଥାଏ‌। ଏହା ଏକ ଆଧ୍ୟାତ୍ମିକ ମାର୍ଗ ସୃଷ୍ଟିକରିଥାଏ ନର୍ତ୍ତକ ଓ ନର୍ତ୍ତକୀମାନଙ୍କ ପାଇଁ‌। ଏହି ନିଗୂଢ଼ ପ୍ରକ୍ରିୟା ମାଧ୍ୟମରେ ଆତ୍ମା ସହ ପରମାତ୍ମାର ମିଳନ ସମ୍ଭବ ହୋଇଥାଏ‌। ସେଇଥିପାଇଁ ତ ଆମ ମନ୍ଦିରଗୁଡ଼ିକରେ ନାଟ୍ୟଶାଳାର ଓ କେତେକ କ୍ଷେତ୍ରରେ ଦେବଦାସୀର ବ୍ୟବସ୍ଥା ଥାଏ‌। ନୃତ୍ୟ ମନ୍ଦିରରେ ହେଉ କି ଧାନ କ୍ଷେତରେ, ଏକକ ଭାବରେ ହେଉ କି ସମବେତ ଭାବରେ, ଏହା ସବୁବେଳେ ପାର୍ଥିବ ସହିତ ଏକ ବୃହତ୍ତର ସତ୍ତାକୁ ଯୋଡିବା ପାଇଁ ଉଦ୍ଦିଷ୍ଟ ହୋଇଥାଏ‌।

ହୁଏତ ସେହି ବୃହତ୍ତର ସହିତ ସଂଯୋଗ ଦେଖିବାକୁ ମିଳେ ଯେତେବେଳେ ବର୍ଷା ଆସନ୍ନ ପ୍ରକୃତିର ପରିବର୍ତ୍ତିତ ରୂପ ଦେଖି ମୟୂର ପୁଚ୍ଛ ମେଲି ନାଚିବାକୁ ଆରମ୍ଭ କରିଦିଏ‌। କୌଣସି ତାଳ ଅନୁସରଣ କରି ଅଙ୍ଗ ପ୍ରତ୍ୟଙ୍ଗ ହଲାଇବା ଅନେକ ପ୍ରାଣୀଙ୍କ ଠାରେ ଦେଖାଯାଏ‌। ସେଇଥିପାଇଁ ହୁଏତ ପୂର୍ବରୁ ସାପୁଆ କେଳା ସାପ ଖେଳେଇ କିମ୍ବା ମାଙ୍କଡଵାଲା ମାଙ୍କଡ଼ ନଚେଇ ସର୍ବସାଧାରଣଙ୍କୁ ମନୋରଞ୍ଜନ ପ୍ରଦାନ କରୁଥିଲେ‌। ସେମିତି ସର୍କସର ପକ୍ଷୀମାନଙ୍କ ପାଖରୁ ଆରମ୍ଭ କରି ହାତୀ ପର୍ୟ୍ୟନ୍ତ ନୃତ୍ୟ ଦେଖିବାକୁ ମିଳୁଥିଲା‌। ଆମ ପୁରାଣର ରମ୍ଭା, ଉର୍ବଶୀ, ମେନକାଙ୍କଠାରୁ ଆରମ୍ଭ କରି ମ‌େ‌ହ​‌େ​‌ଞ୍ଜାଦାରୋର ନର୍ତ୍ତକୀର ମୂର୍ତ୍ତି, ପୁଣି ଇତିହାସର ଆମ୍ରପାଲ୍ଲୀ ଓ ରୂପମତି ପ୍ରମାଣ କରିଦିଅନ୍ତି ଯେ ଭାରତର ସଭ୍ୟତାରେ ନୃତ୍ୟ ଏକ ବିଶେଷ କଳା ହିସାବରେ ସ୍ଥାନ ପାଇ ଆସିଥିଲା‌।

ଅବଶ୍ୟ ସେ ଦିନର ନନ୍ଦନକାନନର ସେହି ଉଚ୍ଛୃଙ୍ଖଳ ଯୁବକମାନଙ୍କର ପ୍ରଦର୍ଶନ ନୃତ୍ୟ କଳାର ଅପମାନ ଥିଲା‌। ତଥାପି ଯଦି ସେମାନେ କାହା ଉପରେ ​ଦ୍ୱେଷ ରଖନ୍ତି ତେବେ ଏହା ନାଚି ନ ଜାଣି ଅଗଣାକୁ ଦୋଷ ଦେବା ଭଳି ହେବ‌।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories