www.samajalive.in
Tuesday, December 9, 2025
16.1 C
Bhubaneswar

ଟଙ୍କାର ମ୍ୟାଜିକ୍‍: ୫ ରୁ ୭୭କୁ ବଢ଼ିଲା ନମ୍ବର

ଚେନ୍ନାଇ: ଟଙ୍କା ବଦଳରେ ଏବେ ସବୁକିଛି ମିଳିପାରୁଛି। ଏପରିକି ପରୀକ୍ଷା ଖାତାରେ ନମ୍ବର ୫ ରୁ ବଢ଼ି ୭୭ ପର୍ଯ୍ୟନ୍ତ ଯାଇପାରୁଛି। ଏଭଳି ଏକ ଘଟଣା ଘଟିଛି ସ୍ଥାନୀୟ ଆନ୍ନା ବିଶ୍ୱବିଦ୍ୟାଳୟରେ। ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ଏହି ଦୁର୍ନୀତି ସମ୍ପର୍କରେ ଜାଣିବା ପରେ ବିଶ୍ୱବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ଜି ଭି ଉମା ଓ ଅନ୍ୟ ୯ ଜଣଙ୍କ ବିରୋଧରେ ମାମଲା ରୁୁଜୁ କରିଛନ୍ତି। ଏହି ଦୁର୍ନୀତିକୁ ବୈଧ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା। କିନ୍ତୁ ଷଡ଼ଯନ୍ତ୍ରକାରୀଙ୍କ ସବୁ ଉଦ୍ୟମ ବିଫଳ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ନିର୍ଦ୍ଦିଷ୍ଟ ବିଷୟର ପରୀକ୍ଷାରେ ୫ ନମ୍ବର ଆସିବା ପରେ ପରୀକ୍ଷାର୍ଥୀ ଜଣକ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିଲେ। ପୁନଃମୂଲ୍ୟାୟନ ପରେ ତାଙ୍କର ନମ୍ବର ୪୫କୁ ବୃଦ୍ଧି ପାଇଥିଲା। ବିଶ୍ୱବିଦ୍ୟାଳୟର ନିୟମ ଅନୁଯାୟୀ ଯଦି ପୁନଃମୂଲ୍ୟାୟନର ନମ୍ବର କେନ୍ଦ୍ରୀୟ ମୂଲ୍ୟାୟନ ବା ପ୍ରଥମ ମୂଲ୍ୟାୟନର ନମ୍ବର ଠାରୁ ୧୫ ଅଧିକ ହୁଏ ତେବେ ଦ୍ୱିତୀୟ ଥର ପୁନଃମୂଲ୍ୟାୟନ କରାଯିବ। ଏହି କ୍ଷେତ୍ରରେ ପରୀକ୍ଷାର୍ଥୀଙ୍କୁ ପୁନଃମୂଲ୍ୟାୟନ ପରେ ୪୦ ନମ୍ବର ଅଧିକ ମିଳିଥିଲା। ତେଣୁ ନିୟମ ଅନୁଯାୟୀ, ପରୀକ୍ଷା ଖାତାର ଦ୍ୱିତୀୟ ଥର ପୁନଃମୂଲ୍ୟାୟନ କରାଯାଇଥିଲା। ଦ୍ୱିତୀୟ ପୁନଃମୂଲ୍ୟାୟନରେ ନମ୍ବର ୭୭କୁ ବୃଦ୍ଧି ପାଇଥିଲା। ବିଶ୍ୱବିଦ୍ୟାଳୟ ନିୟମ ଅନୁଯାୟୀ ସେହି ପୁନଃମୂଲ୍ୟାୟନ ମଧ୍ୟରୁ ଯାହା ସର୍ବାଧିକ ତାହାକୁ ଗ୍ରହଣ କରାଯିବ। ତେଣୁ ତାଙ୍କର ଶେଷ ନମ୍ବର ରହିଥିଲା ୭୭।
ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟର କେତେଜଣ ଅଧିକାରୀଙ୍କ ସନ୍ଦେହ ହେବାରୁ ଖାତାକୁ ପୁଣି ଜଣେ ପରୀକ୍ଷକଙ୍କୁ ଦିଆଯାଇଥିଲା। ସେଥିରେ ପରୀକ୍ଷକ ମୋଟ ୮ ନମ୍ବର ଦେଇଥିଲେ। ଏହାପରେ କର୍ତ୍ତୃପକ୍ଷଙ୍କ ସନ୍ଦେହ ସତ ପ୍ରମାଣିତ ହୋଇଥିଲା। ତା ପରେ ଦୁର୍ନୀତି ନିବାରଣ ବିଭାଗକୁ ସୂଚନା ଦିଆଯାଇଥିଲା। ତଦନ୍ତ ପରେ ପରୀକ୍ଷାର୍ଥୀ ଜଣକ ଏକାଧିକ ବିଷୟରେ ଏଭଳି କରିଥିବା ଜଣାପଡ଼ିଥିଲା। ଅର୍ଥ ବଦଳରେ ଏଭଳି ଦୁର୍ନୀତି କରିଥିବା ଅଭିଯୋଗରେ ପରୀକ୍ଷା ନିୟନ୍ତ୍ରକ, ଦୁଇ ଜଣ ପୁନଃମୂଲ୍ୟାୟନକାରୀଙ୍କ ସମେତ ୯ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories