www.samajalive.in
Friday, December 12, 2025
19.1 C
Bhubaneswar

ବାଟବଣା ବିକାଶ ; ବାହ୍ୟ ଜଗତରୁ ବିଚ୍ଛିନ୍ନ ଗାଁ ସହସିଆମାଲ

ରେଙ୍ଗାଲି : ଗ୍ରାମାଞ୍ଚଳର ବିକାଶ ଏବଂ ଶିଳ୍ପାୟନ ଜନିତ ପାରିପାର୍ଶ୍ବିକ ବିକାଶର ଚକାଚକ୍ ବିଜ୍ଞାପନର ଡେଙ୍ଗୁରା ବାଜୁଛି। କେତେବେଳେ ଡିଜିଟାଲ୍ ଇଣ୍ଡିଆ ତ କେତେବେଳେ ମେକ୍ ଇନ୍ ଓଡିଶା ଏପରି ଅନେକ ଯୋଜନାର ଝଲକରେ ଆଖି ଝଲସି ଯିବା ସହିତ କାନ ଅତଡା ପଡିଯାଉଛି। ତେବେ ବାସ୍ତବିକତା ଏବଂ ବିଜ୍ଞାପନ ମଧ୍ୟରେ ଆକାଶ ପାତାଳର ଫରକ୍ ଥିବା ଜଳଜଳ ହୋଇ ଦେଖାଯାଉଛି। ଅନେକ ଗାଁ ଅଛି ଯେଉଁଠି କୁ ନାଁ ସରକାରଙ୍କ ତଥା କଥିତ ଗ୍ରାମାଞ୍ଚଳ ବିକାଶ ପହଞ୍ଚିଛି ନାଁ ଶିଳ୍ପାୟନ ଜନିତ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ରୁ କାଣି କଉଡି ଟିଏ ବିନିଯୋଗ ହୋଇପାରିଛି। ସମ୍ବଲପୁର ଜିଲ୍ଳାର ଶିଳ୍ପ ସମୃଦ୍ଧି ତଥା ଶିଳ୍ପ କରିଡର ବୋଲି କୁହାଯାଉଥିବା ରେଙ୍ଗାଲି ବ୍ଳକ୍ ଝାଙ୍କରପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସହସିଆମାଲ ଗାଁ ଏହାର ଏକ ଜ୍ୱଳନ୍ତ ଉଦାହରଣ ।

ବିକାଶର ଅଲୋକରୁ ସମ୍ପୂର୍ଣ ଭାବରେ ବଞ୍ଚିତ ଏବଂ ଅବହେଳାର ଅନ୍ଧକାର ଭିତରେ ପଡି ରହିଥିବା ଗାଁ ର ନାଁ ସହସିଆମାଲ। ଏହି ଗାଁ କୁ ଯାତୟାତ ପାଇଁ ରାସ୍ତା ଖଣ୍ଡେ ତିଆରି ହୋଇନାହିଁ। ନିକଟସ୍ଥ ପଟାମାଲ ଗାଁରୁ ସହସିଆମାଲ କୁ ସଂଯୋଗ ପାଇଁ ୪ବର୍ଷ ତଳେ ନରେଗା ଯୋଜନାର ଆରମ୍ଭ ହୋଇଥିବା ରାସ୍ତା କାମ ଅଧାପନ୍ତିରିଆରେ ପଡିଛି। ଗାଁ ପାଖରେ ଥିବା ନାଳ ଉପରେ ୭ବର୍ଷ ତଳେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ କାମ ମଧ୍ୟ ଅଧାପନ୍ତରିଆରେ ପକେଇ ଦିଆଯାଇଛି। ଫଳରେ ଜିଲ୍ଲା ସଦର ମହକୁମା ପଞ୍ଚାୟତ, ବ୍ଳକ୍ ତହସିଲ, ଡାକ୍ତରଖାନା, ଥାନା ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାତାୟାତ ଗ୍ରାମବାସୀଙ୍କ ପାଇଁ ବିଷମ ସମସ୍ୟା ସୃଷ୍ଟି କରୁଛି। ଗାଁକୁ ରାସ୍ତା ନଥିବାରୁ ଗ୍ରାମର କେହି ଗୁରୁତର ରୋଗଗ୍ରସ୍ତ ହେଲେ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଯାନ ଆସିପାରେ ନାହିଁ। ଗୁରୁତର ପୀଡିତ ରୋଗୀକୁ ଖଟରେ ବୁହା ହୋଇ ପଟାମାଳ ଗାଁକୁ ଅଣାଯାଏ ଏବଂ ସେଠାରୁ ଗାଡିରେ ରୋଗୀକୁ ଡାକ୍ତରଖାନାକୁ ନିଆଯାଇଥାଏ। ରାଜ୍ୟ ସାରା ଗ୍ରାମାଞ୍ଚଳରେ ସ୍ୱଚ୍ଛ ପିଇବା ପାଣିର ବ୍ୟବସ୍ଥା ସକାଶେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ପରିତାପର ବିଷୟ ଯେ ସହସିଆମାଲ ଗାଁ ରେ ଏପର୍ଯ୍ୟନ୍ତ ନଳକୂଅ ଟିଏ ବି ଖୋଲାଯାଇ ନାହିଁ। ଗାଁରେ ପୋଖରୀ କି ବନ୍ଧକଁଟା କିଛିନାହିଁ। ବର୍ଷେ ହେଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ପାଇପ୍ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଥିଲେ ହେଁ ତାହା ବ୍ୟବହାର ଉପେଯାଗୀ ନୁହେଁ। ଯାହା ଫଳରେ ପାଖ ଦେଇ ପ୍ରବାହିତ ହେଉଥିବା ଯୋର ନାମକ ନଳାର ପାଣିରେ ଖାଦ୍ୟପେୟ ପ୍ରସ୍ତୁତି ଠାରୁ ଆରମ୍ଭ କରି ସ୍ନାନ,ଶୌଚାଦି କର୍ମ ସମ୍ପାଦନ କରିବାକୁ ଗାଁର ଲୋକେ ବାଧ୍ୟ ହେଉଛନ୍ତି। ଏହି ଗାଁରେ ମୋଟ ୧୬ଟି ପରିବାର ବସିତି ସ୍ଥାପନ କରିଛନ୍ତି। ସମସ୍ତେ ଆଦିମ ଆଦିବାସୀ ସଂପ୍ରଦାୟ ର ଅର୍ନ୍ତଭୁକ୍ତ। ଆଦିବାସୀ ସଂପ୍ରଦାୟର ଶିକ୍ଷାସ୍ୱାସ୍ଥ୍ୟ ଆଦି ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରି କରୁଛନ୍ତି ବୋଲି ଡିଣ୍ଡିମ ବାଜୁଛି, ହେଲେ ସହସିଆ ମାଲ ଗାଁରେ ପ୍ରାଥମିକ ବିଦ୍ୟାଳୟ ତ ଦୂର ର କଥା ଅଙ୍ଗନବାଡି କେନ୍ଦ୍ର ମଧ୍ୟ ନାହିଁ । ଗାଁର ଶିଶୁ ମାନେ ୪/୫ କିଲୋମିଟର ଦୂରରେ ଥିବା ବାସୁପାଲି କିମ୍ବା ରୁନିମହୁଲରେ ଥିବା ଅଙ୍ଗନବାଡି କେନ୍ଦ୍ର ଏବଂ ପ୍ରାଥମିକ ବିଦ୍ୟାଳୟକୁ ପାଠପଢିବା ପାଇଁ କିପରି ଯାଉଥିବେ ତାହା ସହଜେ ଅନୁମେୟ। ଏଭଳି ଦୟନୀୟ ସ୍ଥିତିରେ ଏହି ଗାଁରେ ଶିକ୍ଷା ଓ ସମନ୍ୱିତ ଶିଶୁବିକାଶ ଯୋଜନା ସମ୍ପୂର୍ଣ୍ଣ  ଅପହଞ୍ଚ ହୋଇ ରହି ଯାଇଛି କହିଲେ ଚଳେ। ଗାଁର ଲୋକଙ୍କ କହିବା ଅନୁଯାୟୀ ବଡବଡ ସରକାରି ବାବୁ ମାନଙ୍କ ପାଦ ଏହି ଗାଁରେ କେବେ ପଡିନାହିଁ। ଏପରିକି ତୃଣମୂଳ ସ୍ତରରେ କାମ କରୁଥିବା ଅଙ୍ଗନବାଡି କର୍ମୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ଭଲି କର୍ମଚାରୀମାନେ ମଧ୍ୟ ଗାଁ   ଅଶାକର୍ମୀ କେବେ କେମିତି ଗାଁକୁ ଆସନ୍ତି ବୋଲି ଗ୍ରାମବାସୀ କହନ୍ତି। ସ୍ୱାଧିନତା ପରେ ଅନେକ ନିର୍ବାଚନ ଆସିଲାଣି ଗଲାଣି କେତେ ନେତା ବିଧାୟକ ହେଲେଣି କିନ୍ତୁ ବିଡମ୍ବନାର ବିଷୟ ଯେ ସହସିଆମାଲ ଗ୍ରାମରେ କେହି ଜଣେ ହେଲେ ବିଧାୟକ ଏପର୍ଯ୍ୟନ୍ତ ପାଦ ପକେଇ ନାହାନ୍ତି। ଏହି ଗାଁରୁ ୪ କିଲୋମିଟର ଦୂରରେ ଥିବା ବାସୁପାଲି ଗାଁରେ ପ୍ରାଥମିକ ସ୍କୁଲ ଥିବା ବେଳେ ୭/୮ କିଲୋମିଟତ ଦୂର ରେ ଥିବା କତରବଗା ଏବଂ ଝାଙ୍କରପାଲି ଗାଁରେ ହାଇସ୍କୁଲ ଅଛି। ରାସ୍ତା ଘାଟର ସୁବିଧା ନ ଥିବାରୁ ଗାଁର ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି। ଗ୍ରାମର କେହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଲେ ଆମ୍ବୁଲାନ୍ସ ଡାକିଲେ ଗାଁକୁ ଆମ୍ବୁଲାନ୍ସ ଆସେ ନାହିଁ। ଆମ୍ବୁଲାନ୍ସ ଆସି ଛିଡା ହୁଏ ୩ କିଲୋମିଟର ଦୂରରେ ଥିବା ପଟାମାଲ ଗାଁରେ । ଗୁରୁତର ରୋଗୀକୁ ଗାଁ ରୁ ଖଟ ପାଲିଙ୍କି (ଦୁଲା) ରେ ବୋହି ଆମ୍ବୁଲାନ୍ସ ପାଖକୁ ଅଣାଯିବା ଭଲି ଅଭାବନୀୟ ବ୍ୟବସ୍ଥା ଗ୍ରାମବାସୀଙ୍କ ଦେହସୁହା ହୋଇଗଲାଣି।

- Advertisement -

ସହସିଆମାଲ ଗାଁ ର ଲୋକେ ବିକାଶ ର କ୍ଷୀଣ ଆଲୋକବର୍ତ୍ତିକା ପାଇବାକୁ ଚାତକ ଭଲି ଚାହିଁ ରହିଥିବା ବେଳେ ସରକାର ଗ୍ରାମଞ୍ଚଳ  ବିକାଶ ଯୋଜନା ମାୟା ମରିଚିକା ଭଳି ଦୂରେଇ ଯାଉଛି। ଅପରପକ୍ଷରେ ଶିଳ୍ପ ସମୃଦ୍ଧ ରେଙ୍ଗାଲି ଅଞ୍ଚଳ ରେ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଦ୍ୱାରା  ପ୍ରତିଷ୍ଠିତ ବିଭିନ୍ନ କଳକାରଖାନା, ଖଣିଖାଦାନ ରୁ କୋଟି କୋଟି ଟଙ୍କା ମୁନାଫା ହେଉଥିଲେ ମଧ୍ୟ ଏହି କମ୍ପାନୀର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିର ଟଙ୍କା ସହସିଆମାଲ ଭଲି ଅବହେଳିତ ଓ  ଅପହଞ୍ଚ ଅଞ୍ଚଳ ଉନ୍ନୟନ ପାଇଁ ବିନିଯୋଗ ହେଉ ନାହିଁ। ସହସିଆମାଲ ଗ୍ରାମର ଅବସ୍ଥାକୁ ଦେଖିଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଓଡିଶା, ଡିଜିଟାଲ୍ ଇଣ୍ଡିଆ ଆଦି ସ୍ଳୋଗାନ୍ ର ଦୌଡ ରେ ସହସିଆମାଲ ର ସ୍ଥାନ କେଉଁଠି ବୋଲି ସଚେତନ ନାଗରିକ ମହଲ ରେ ପ୍ରଶ୍ନ ହେଉଛି। ସ୍ୱାଧିନତା ପ୍ରାପ୍ତିର ଆଉ କେତେ ବର୍ଷ ପରେ ସହସିଆମାଲ ଗ୍ରାମବାସୀ ତଥାକଥିତ ବିକାଶ ଦୌଡରେ ସାମିଲ ହୋଇ ବିକାଶର ଆଲୁଅ ଦେଖିବେ ତାହା ଦେଖିବାକୁ ବାକି ରହିଲା ବୋଲି ଚର୍ଚ୍ଚା ହେଉଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories