ପକ୍ଷଘାତରେ ପୀଡିତ ପୁଅର ଚିକିତ୍ସା ପାଇଁ ହାତରେ ପଇସାଟିଏ ନାହିଁ……
ରୋଗଗ୍ରସ୍ତ ପୁଅକୁ ଧରି ଚିନ୍ତାରେ ଭାଂଗି ପଡିଲେଣି ବୃଦ୍ଧ ପିତାମାତା -ସହାୟତା ପାଇଁ ଆକୁଳ ନିବେଦନ
ଭଂଜନଗର : ଭଂଜନଗର ସହର ଓ ଆଖପାଖ ଗ୍ରାମାଞ୍ଚଳରେ ପରିଚିତ ଚୂନ ଲିପାଳି କୁନା ପାତ୍ର ଏବେ ଅସହାୟ ହୋଇପଡିଛି। ଗତ ୧ ବର୍ଷ ଧରି ସେ ପାରାଲିସ୍ ରୋଗରେ ପୀଡିତ ହୋଇ ଘୋର ଦୁର୍ଦ୍ଦଶା ଭୋଗ କରୁଥିବା ବେଳେ ଚିକିତ୍ସା ପାଇଁ ହାତରେ ପଇସାଟିଏ ନାହିଁ। ଏପଟେ ଘରେ ୮୦ ବର୍ଷର ବୃଦ୍ଧ ବାପା ବିଜୟ ପାତ୍ର ଓ ୭୦ ବର୍ଷର ବୃଦ୍ଧ ମାଆ ସାବିତ୍ରୀ ପାତ୍ର ଏବେ ଦିଗହରା ହୋଇ ପଡିଛନ୍ତି। ଏକମାତ୍ର ରୋଜଗାରକ୍ଷମ ପୁଅ ଘରେ ପଙ୍ଗୁ ହୋଇ ବସି ରହିବା ପରେ ସେମାନଙ୍କ ବଂଚିବାର ପଥ ଅନ୍ଧକାର ହୋଇ ପଡିଛି। ବୃଦ୍ଧ ବାପା, ମାଆଙ୍କର ଏକମାତ୍ର ସମ୍ବଳ ସରକାରୀ ସହାୟତା ମାସିକ ଭତ୍ତା ଉଭୟଙ୍କର ମାତ୍ର ୧ ହଜାର ଟଙ୍କା ଏବଂ ୩ ଜଣଙ୍କର ୧୫ କି.ଗ୍ରା ଚାଉଳ। ଏତିକିରେ ରୋଗଗ୍ରସ୍ତ ପୁଅକୁ ଧରି ଆଜିକାଲିର ତେଲ ଲୁଣ ସଂସାରେ ଚଳାଇବା କେଡେ କଷ୍ଟସାଧ୍ୟ ତାହା ସହଜରେ ବୁଝିହୁଏ। ପୁଣି ସହରରେ ପାଣି କିଣା ଠାରୁ ଆରମ୍ଭ କରି ଯାବତୀୟ ଖର୍ଚ୍ଚ ବାବଦରେ ଏକ ପରିବାର ପାଇଁ ସର୍ବନିମ୍ନ ମାସିକ ୧୫ ହଜାର ଟଙ୍କାରୁ କମ୍ ହେଲେ ଚଳିବ ନାହିଁ। କିଂତୁ ଅସାହାୟ ପିତାମାତା ରୋଗଗ୍ରସ୍ତ ପୁଅକୁ ଧରି ଭଂଜନଗର ସହର ୱାର୍ଡ ନଂ ୯ର ମାଲ ସାହିରେ ଅତ୍ୟନ୍ତ ଦୁଃଖ ଓ ଯନ୍ତଣାରେ ଦିନ କାଟୁଛନ୍ତି। ଓଳିଏ ଖାଇଲେ ଓଳିଏ ଉପବାସ ରହବା ଭଳି ସ୍ଥିତି ଉପୁଜିଛି। ଆକାଶ ଛୁଆଁ ପରିବା ଦର ଭିତରେ ଶାଗପଖାଳ ବ୍ୟତୀତ ତାଙ୍କ ଭାଗ୍ୟରେ କୌଣସି ଦିନ ଭଲ ଖାଦ୍ୟ ଯୁଟେ ନାହିଁ ବୋଲି ଏହି ୱାର୍ଡର ପୂର୍ବତନ କାଉନ୍ସିର ସୁଶାନ୍ତ ଦିଗାଲ ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରିଛନ୍ତି। ତେବେ ଅର୍ଥ ଅଭାବରୁ କୁନାଙ୍କର ଚିକିତ୍ସା ହୋଇ ପାରୁ ନାହିଁ। ସେ ପକ୍ଷଘାତ ରୋଗରେ ପୀଡିତ ହୋଇ ବର୍ଷେ ହେଲା ଘରେ ପଡି ରହି ନାହିଁ ନ ଥିବା କଷ୍ଟ ଭୋଗ କରୁଛନ୍ତି। ତାଙ୍କୁ କିଛି ସରକାରୀ କିମ୍ବା ବେସରକାରୀ ସ୍ତରରେ ସହାୟତା ମିଳିଲେ, ସେ କୌଣସି ବଡ ମେଡିକାଲରେ ପହଁଚି ଚିକିତ୍ସା ହୋଇ ପାରିଥାନ୍ତେ। ପୁଣି ପୁଅ ରୋଜଗାରକ୍ଷମ ହୋଇ ସେ ନିଜେ ବଂଚିବା ସହ ବୃଦ୍ଧ ପିତାମାତାଙ୍କ ପାଟିରେ ମୁଠାଏ ଆହାର ଦେବାକୁ ସକ୍ଷମ ହୋଇ ପାରବି ବୋଲି ଆଶା ରଖିଛନ୍ତି।
ସୂଚନାଯୋଗ୍ୟ, କୋଭିଡ୍-୧୯ ପରିସ୍ଥିତି ଆରମ୍ଭ ହେବା ପୂର୍ବରୁ କୁନା କୌଣସି ଏକ ଘରକୁ ଚୁନ ଲିପିବା ପାଇଁ ଯାଇଥିବା ବେଳେ ହଠାତ୍ ଅତ୍ୟଧିକ ରକ୍ତଚାପ ଯୋଗୁଁ ମୁଣ୍ଡ ବୁଲାଇ ହେବାରୁ ଶିଡି ଉପରୁ ତଳକୁ ଖସି ପଡିଥିଲେ। ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇ ଆହାତ ଅବସ୍ଥାରେ ପ୍ରଥମେ ଭଂଜନଗର ଓ ପରେ ବ୍ରହ୍ମପୁର ବଡମେଡିକାଲକୁ ନେଇ ଚିକିତ୍ସା କରିଥିଲେ। ପୁଅର ଚିକିତ୍ସା ନିମନ୍ତେ ବୃଦ୍ଧ ପିତାମାତା ବିଭିନ୍ନ ଲୋକଙ୍କ ଠାରୁ ଧାର ଉଦ୍ଧାର କରି ଚିକିତ୍ସା ଚଳାଇଥିଲେ। କିଂତୁ ଆହାତ ଘାଆ ନ ଶୁଖୁଣୁ ପୁଅ ପାରାଲେସି ରୋଗରେ ଆକ୍ରାନ୍ତ ହୋଇଥିଲ। ଏହି ପକ୍ଷଘାତ ରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡୁଥିବାରୁ ବାପାମାଆଙ୍କ ମୁଣ୍ଡ ଘୁରିଯାଇଥିଲା। ସେମାନଙ୍କ ହାତରେ ପଇସାଟିଏ ନ ଥିବରୁ ପୁଅକୁ ଆଉ ଚିକିତ୍ସା କରି ନ ପାରି ରୋଗଗ୍ରସ୍ତ ଅବସ୍ଥାରେ ଘରକୁ ଫେରାଇ ଆଣିଥିଲେ। ଏପଟେ ଘରେ ଅନ୍ୟ କୌଣସି ସ୍ଥାନରୁ ପାଇସାଟିଏ ଆସୁନାହିଁ। ସରକାରୀ ସାହୟତା ଭତ୍ତା ଟଙ୍କା ଓ ଚାଉଳରେ ଘର ଚଳେ। ପୁଅର ଚିକିତ୍ସା ନିମନ୍ତେ ସୋମନେ ଅର୍ଥ ପାଇବେ କେଉଁଠାରୁ ବୋଲି ଶ୍ରୀ ଦିଗାଲ ଦୁଃଖର ସହ କହିଥିଲେ। ୪୫ ବର୍ଷର ପୁଅ କୁନା ଶର୍ଯ୍ୟାଶାୟୀ ଅବସ୍ଥାରେ ଘରେ ପହି ରହି ନିଜ ଭାଗ୍ୟ ସହ ସଂଗ୍ରମା କରି ଚାଲିଥିବା ବେଳେ ପୁଣି ଏକ ବଡଧରଣରର ପାରିବାରିକ ଅଶାନ୍ତି ମୁଣ୍ଡରେ ବଜ୍ର ଛିଣ୍ଡିବା ପରି ମନେ ହୋଇଥିଲା। ବୃଦ୍ଧ ପିତାମାତାଙ୍କ ସହ କୁନାର ସ୍ତ୍ରୀ ଓ ୩ଟି ସନ୍ତାନ ଏହି ଘରେ ଚଳିବା ପାଇଁ ଜଟିଳ ପରିସ୍ଥିତି ଉପୁଜିଲା। କୁନାର ରୋଜଗାର ଉପରେ ଏମାନେ ଭରସା କରି ରହିଥିଲେ। କିଂତୁ କୁନା ରୋଗଗ୍ରସ୍ଥ ଅବସ୍ଥାରେ ଘରେ ପଡି ରହିବାରୁ ରୋଜଗାର ପଇସାଟିଏ ହେଲା ନାହିଁ। ପରିବାର ଚଳିବା ଅଧିକ କଷ୍ଟସାଧ୍ୟ ହୋଇପଡିଲା। ଫଳରେ ଏପରି ଦୁର୍ଦ୍ଧିନ ଅବସ୍ଥାରେ କୁନାର ସ୍ତ୍ରୀ ପିଲାମାନଙ୍କୁ ଧରି ବାପ ଘରକୁ ଚାଳିଯିବାକୁ ବାଧ୍ୟ ହୋଇଥିଲେ ବୋଲି ପୂର୍ବତନ କାଉନ୍ସିଲର ଶ୍ରୀ ଦିଗାଲ ପ୍ରକାଶ କରିଛନ୍ତି। କୁନା ଏବେ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ ସମୟଧରି ଅସହାୟ ଅବସ୍ଥାରେ ଘରେ ପଡି ରହିଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ଘୋର ବାଧକ ସାଜିଛି। କୁନାର ଏପରି ଅସହାୟ ଅବସ୍ଥାକୁ ନେଇ ବୃଦ୍ଧ ପିତାମାତା ଅଧିକ ଭାଂଗି ପଡିଛନ୍ତି। ପୁଅର ଚିକିତ୍ସା ନିମନ୍ତେ ସରକାରୀ କିମ୍ବା ବେସରକାରୀ ସ୍ତରରୁ କିଛି ଆର୍ଥିକ ସହାୟତା ପାଇଁ ବୃଦ୍ଧ ପିତାମାତା ଆକୁଳ ନିବଦେନ କରିଛନ୍ତି। ପୁଅ ଭଲ ହୋଇ ଆସିଲେ ସେମାନଙ୍କ ଅନ୍ତିମ ସମୟରେ ପାଟିରେ ପାଣି ଟେପୋ ଦେବ ବୋଲି ଦୁଃଖଭରା କଣ୍ଠରେ କହିଛନ୍ତି।
Comments are closed.