www.samajalive.in
Sunday, December 7, 2025
15.1 C
Bhubaneswar

ମନରେଗା ଦୁର୍ନୀତି ଓ ନୀତି ଆୟୋଗ; ପ୍ରଭାବିତ ହେଉଛି ବଲାଙ୍ଗିର ଜିଲାର ଦାଦନ ପ୍ରବଣ ଇଲାକା

-ବହିଷ୍କୃତ ହୋଇଥିଲେ ଭାଇ, ଏବେ ଛନ୍ଦି ହୋଇଛନ୍ତି ଭଉଣୀ
-ପ୍ରକ୍ରିୟାକୁ ଶୃଙ୍ଖଳିତ କରାଯାଉଛି: ଜିଲାପାଳ
ବଲାଙ୍ଗିର : ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା। ଏହି ଯୋଜନାକୁ କେମିତି ଠିକଣା ବାଟରେ କାର୍ଯ୍ୟକାରୀ କରାଯିବ ସେଥିପାଇଁ ନୀତି ଆୟୋଗ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଦେଶର ୧୧୦ ଆକାଂକ୍ଷୀ(ପଛୁଆ) ଜିଲା ମଧ୍ୟରେ ଓଡ଼ିଶାର ୧୦ ଜିଲା। ଆଉ ସେଥିରେ ରହିଛି ବଲାଙ୍ଗିର। ଖଟିଖିଆ, ମେହନତି ମଣିଷଙ୍କ ନାଁରେ ମନରେଗା ଯୋଜନାରେ ସର୍ବାଧିକ ହରିଲୁଟ ଓ ଦୁର୍ନୀତିର ଲମ୍ବା ଫର୍ଦ୍ଦ ବଲାଙ୍ଗିର ଜିଲାରେ। ନୀତି ଆୟୋଗଙ୍କ ନୀତି ଓ ଯୋଜନା ପରିଚାଳନାରେ ପୁରସ୍କୃତ ହେଉଥିଲେ ବି ଦୁର୍ନୀତି ପାଇଁ ମିଳୁଛି ବଲାଙ୍ଗିର ଜିଲାକୁ ବେଶୀ ଦୁର୍ନାମ।
ବଲାଙ୍ଗିର ଜିଲାର ଦାଦନ ରାଜଧାନୀ ଭାବେ ଅପବାଦ ମୁଣ୍ଡାଏ ବେଲପଡ଼ା ବ୍ଲକ। ସର୍ବାଧିକ ଦାଦନ(ଇଟା ଗଢିବାକୁ ରାଜ୍ୟ ବାହାରକୁ ଏହି ବ୍ଲକର ଶ୍ରମିକମାନେ) ଯାଆନ୍ତି। ତେବେ ମନରେଗା କାମ କରି ପାଉଣା ପାଇ ନଥିବା ଅଭିଯୋଗ କରନ୍ତି ବେଲପଡା ବ୍ଲକ ମଧ୍ୟପୁର ପଞ୍ଚାୟତର ମଧ୍ୟପୁର ଓ କେନକେବେ ଗାଁର ଲୋକେ। ୫୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଶ୍ରମିକ ମାସ ମାସ ଧରି ମାଟି ବୋହିଥିଲେ। ମାଟି କାମ ବାବଦ ପାଉଣା ଟଙ୍କା ସେମାନଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ। ବ୍ଲକ ଏପିଓଙ୍କଠାରୁ ଆରମ୍ଭ କରି ଡିଆର୍‍ଡିଏ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ତୁରକେଲା ବ୍ଲକ ଖଗସା ପଞ୍ଚାୟତରେ ଶ୍ରମିକମାନେ କାମ କରିଥିଲେ ବି ପାଉଣା ପାଇ ନଥିଲେ। ଏସଂପର୍କରେ ଜିଲା, ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଛନ୍ତି ବିଜେଡି ନେତା ଅଜୟ ଦାସ। ବେଲପଡ଼ା, ତୁରେକେଲା ଭଳି ଦାଦନ ପ୍ରବଣ ବ୍ଲକ କେବଳ ନୁହେଁ, ବଲାଙ୍ଗିର ଜିଲାର ଅନ୍ୟ ବ୍ଲକରେ ପାଉଣା ନପାଇବା ନେଇ ସମାନ ଅଭିଯୋଗ। ସେହିପରି ବଲାଙ୍ଗିର ସଦର ବ୍ଲକ ପିପିଲକାନି ଗାଁ ଭଳି ଜିଲାର ବହୁ ଗାଁର ଲୋକେ କାମ ପାଇବାକୁ ଆବେଦନ କରୁଛନ୍ତି। ସେମାନଙ୍କୁ କାମ ଯୋଗାଇ ଦେବାରେ ସମସ୍ୟା କେଉଁଠି ବୋଲି ମତ ଦେଇଛନ୍ତି ଜିଲା ଯୋଜନା ବୋର୍ଡ ତଥା ଜିଲା ପରିଷଦ ସଦସ୍ୟ ସତ୍ୟ ନାରାୟଣ ଭୋଇ।
ସବୁଠୁ ବେଶୀ ଚର୍ଚ୍ଚାରେ ଭାଇ-ଭଉଣୀଙ୍କ ମରେନଗା ଦୁର୍ନୀତି। ୨୦୧୫ ମସିହାରେ ଅନ୍ୟତମ ଦାଦନ ପ୍ରବଣ ବ୍ଲକ ମୁରିବାହାଲର ଚଲକି ପଞ୍ଚାୟତର ଗାଁ ଦେବୀ ମନ୍ଦିରରୁ ଲାଫେର ରାସ୍ତା ପାଇଁ ମନରେଗା ଯୋଜନାରେ ୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେତେବେଳେ ଚଲକି ପଞ୍ଚାୟତର ଗାଁ ସାଥୀ ସୁନ୍ଦର କୁମ୍ଭାର ଜାଲ୍‍ କାଗଜପତ୍ର ଦେଇ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଯାଞ୍ଚରୁ ଜଣାପଡିଲା ଯେ, ଖଟରୁ ଉଠି ପାରି ନଥିବା, ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ଲୋକେ ମାଟି କାମ ନକରି ତାଙ୍କ ନାଁରେ ଅର୍ଥ ଆତ୍ମସାତ କରାଯାଇଛି। ଏହି ମାମଲାରେ ରାଜ୍ୟ ସରକାର ପଞ୍ଚାୟତ ସରପଞ୍ଚ, ଇଓ, ଗାଁ ସାଥୀ, ଜିଆର୍‍ଏସ୍‍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଗାଁ ସାଥୀ ସୁନ୍ଦର ବହିଷ୍କୃତ ହୋଇଥିଲେ। ଆଉ ଏବେ ବହିଷ୍କୃତ ଗାଁ ସାଥୀଙ୍କ ଭଉଣୀ କୈକେୟୀ କୁମ୍ଭାରଙ୍କ କାରନାମା ପଦାରେ ପଡିଛି। ଜାମଖୁଣ୍ଟା ବନ୍ଧର ମାଟି କାମ ପାଇଁ ଆସିଥିବା ୯ଲକ୍ଷ ଟଙ୍କାରୁ ଅନେକେ କାମ କରିଥିବା ଲୋକ ଟଙ୍କା ପାଇ ନଥିଲେ। ଗାଁ ସାଥୀ ନିଜ ପରିବାର ଲୋକ କାମ ନକରି କାଗଜପତ୍ରରେ କାମ କରିଥିବା ଦେଖାଇ ଅର୍ଥ ହେରଫେର କରିଥିବା ଗାଁ ଲୋକେ ଖୋଳତାଡ କରିବାରୁ ଜାଣିବାକୁ ପାଇଲେ। ମୁରିବାହାଲ ବ୍ଲକର ବିଡିଓ ନିଯୁକ୍ତ ହୋଇଥିବା ଆଇଏଏସ୍‍ ମନୋଜ ସତ୍ୟବାନ ମହାଜନ ପଞ୍ଚାୟତକୁ ଯାଇ ତଦନ୍ତ କରିଥିବା କହିଛନ୍ତି। ଜିଲାପାଳଙ୍କ ଜରିଆରେ ସରକାରଙ୍କୁ ବିଡିଓ ତଦନ୍ତ ରିପୋର୍ଟ ଦେବେ ବୋଲି ଜଣାପଡିଛି।
ମନରେଗାରେ ଅନ୍ୟ ଜିଲା ତୁଳନାରେ ବଲାଙ୍ଗିର ଜିଲାକୁ ସର୍ବାଧିକ ଗୁରୁତ୍ୱ ଓ ଟାର୍ଗେଟ ଦେଇଛନ୍ତି ନୀତି ଆୟୋଗ। ୧୩୦.୪୯ କାର୍ଯ୍ୟ ଦିବସ ସୃଷ୍ଟି କରିବା ସହ ପ୍ରତ୍ୟହ ୧ଲକ୍ଷ ୩୪ହଜାର ୩୮୪ ଲୋକଙ୍କୁ କାମ ଯୋଗାଇ ଦେବା। ସେହିପରି ଜଳସଂପଦ ଜମି ପୁନରୁଦ୍ଧାର, ମୃର୍ତିକା ଓ ବନ୍ୟା ଜଳ ସଂରକ୍ଷଣ, ବନ୍ୟା ପ୍ରତିରୋଧ ଭଳି ଏନ୍‍ଆର୍‍ଏମ୍‍ କାମ ୬୫ ପ୍ରତିଶତ କରାଯିବାକୁ ପରାମର୍ଶ ଦିଆଯାଇଛି। ଜିଲାପାଳ ଚଞ୍ଚଳ ରାଣାଙ୍କ ପ୍ରତିକ୍ରିୟା ହେଉଛି ଯେ, ଜିଲାରେ ବିଭିନ୍ନ ପଞ୍ଚାୟତରେ ରୋଜଗାର ଦିବସ ବୈଠକ ପୂର୍ବରୁ ବି ହେଉଥିଲା। କାମ, ପାଉଣା, କି କାମ କରାଯାଇପାରିବ ସେ ନେଇ ଆଲୋଚନା କରାଯାଉଥିଲା। ତାକୁ ଅଧିକ ଶୃଙ୍ଖଳିତ କରାଯାଇଛି। ଲୋକଙ୍କୁ ଯେମିତି ଅଧିକରୁ ଅଧିକ ଦିନ କାମ ଯୋଗାଇ ଦିଆଯାଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଉଛି କହିଛନ୍ତି ଜିଲାପାଳ ଶ୍ରୀ ରାଣା। ଜଙ୍ଗଲ ଜମି ଅଧିକାର ଜରିଆରେ ଜମି ଉନ୍ନତିକରଣକୁ ପ୍ରମୁଖତା ଦେବାକୁ ଧାର୍ଯ୍ୟ କରାଯାଇଛି। ସବୁଠାରୁ ବଡ କଥା ହେଲା ଏହି ଯୋଜନା ଜରିଆରେ ଏସ୍‍ଟି/ଏସ୍‍ଙ୍କ ସହ ୫୦ ପ୍ରତିଶତ ମହିଳାଙ୍କୁ ଅଧିକ ଦୃଷ୍ଟି ଦେବାକୁ ପରାମର୍ଶ ହୋଇଛି। ଦୁର୍ନୀତି, ପାଉଣା ବକେୟା ସଂପର୍କରେ ଜିଲାପାଳ ଶ୍ରୀ ରାଣା କହିଛନ୍ତି ଯେ, ଅନେକ ଅଭିଯୋଗ ଆସୁଛି। ଆମେ ଲୋକଙ୍କ ଅଭିଯୋଗକୁ ଆଧାର କରି ଯାଞ୍ଚ କରାଉଛୁ। କିଛି ମିଛ ବି ରହୁଛି। ସେହିପରି ପାଉଣା ସିଧାସଳଖ କାମ କରୁଥିବା ଲୋକଙ୍କ ବ୍ୟାଙ୍କ ଖାତାକୁ ଯାଉଛି କହିଛନ୍ତି ବଲାଙ୍ଗିର ଜିଲାପାଳ ଶ୍ରୀ ରାଣା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories