www.samajalive.in
Tuesday, December 9, 2025
16.1 C
Bhubaneswar

ସମ୍ବଲପୁର ଜିଲାରେ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର

ସମ୍ବଲପୁର : ଓଡିଶା ସରକାରଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ନିରନ୍ତର କାର୍ଯ୍ୟରତ ବିଭିନ୍ନ ପରିବେଶ ପ୍ରେମୀ ଓ ସମାଜସେବୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ଦେଇ ପ୍ରତି ବର୍ଷ ପ୍ରୋତ୍ସାହିତ କରି ଆସୁଛନ୍ତି। ୨୦୧୯ – ୨୦୨୦ ବର୍ଷ ପୁରସ୍କାର ସର୍ମ୍ପକରେ ସମ୍ବଲପୁର ବନଖଣ୍ଡ ଅଧିକାରୀ ଡ. ସଞ୍ଜିତ କୁମାର କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ଘୋଷଣା ଅନୁଯାୟୀ ସମ୍ବଲପୁର ଜିଲାରେ ସମସ୍ତ ବ୍ଲକରୁ ୯ ଜଣ ‘ପ୍ରକୃତି ବନ୍ଧୁ’ ଓ ୮ ଟି ସଂସ୍ଥାକୁ ‘ପ୍ରକୃତି ମିତ୍ର’ ପୁରସ୍କାର ପ୍ରଦାନ କରାଯାଇଛି। ମାନେଶ୍ୱର ବ୍ଲକରୁ ‘ପ୍ରକୃତି ମିତ୍ର’ ପୁରସ୍କାର ପାଇଁ କୌଣସି ଅନୁଷ୍ଠାନ ଯୋଗ୍ୟତା ଅର୍ଜନ କରି ପାରି ନାହାନ୍ତି। ଜିଲା ପରିବେଶ ସମିତି ପକ୍ଷରୁ ଜିଲାର ସମସ୍ତ ବ୍ଲକରୁ ଏହି ପୁରସ୍କାର ଦ୍ୱୟ ପାଇଁ ଆବେଦନ ଗ୍ରହଣ କରି ଯାଞ୍ଚ ପରେ ଏଥି ପାଇଁ ରାଜ୍ୟ ସରକାରଙ୍କ ପାଖକୁ ନାମ ପଠାଯାଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗତ ଜୁନ ୫ ତାରିଖରେ ଏହି ପୁରସ୍କାର ଦ୍ୱୟ ରାଜଧାନୀ ଭୁବନେଶ୍ୱରଠାରେ ଦିଆଯିବାର ସ୍ଥିରିକୃତ ହୋଇଥିବାବେଳେ କିନ୍ତୁ କରୋନା ସଙ୍କଟ ଯୋଗୁଁ ଏହା ସଂପୃକ୍ତ ଜିଲାର ବନ ଖଣ୍ଡ ଅଧିକାରୀମାନଙ୍କ ଜରିଆରେ ମାନପତ୍ର ପ୍ରଦାନ କରାଯାଇଥିବାବେଳେ ପୁରସ୍କାର ରାଶି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସିଧାସଳଖ ପ୍ରଦାନ କରାଯାଉଛି। ପ୍ରକୃତି ବନ୍ଧୁମାନଙ୍କୁ ୧୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଉଥିବାବେଳେ ପ୍ରକୃତି ମିତ୍ରମାନଙ୍କୁ ୨୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଉଛି ବୋଲି ଡିଏଫଓ ଡ. ସଞ୍ଜିତ କହିଛନ୍ତି।

ସମ୍ବଲପୁର ଜିଲାରେ ‘ପ୍ରକୃତି ବନ୍ଧୁ’ ପୁରସ୍କାର ବାମରା ବ୍ଲକ ପାଇଁ ହରିପଡାର ବିମଲ ଲାକ୍ରା, ମାନେଶ୍ୱର ବ୍ଲକ ପାଇଁ କଲ୍ୟାଣ ନଗର ବୁଢ଼ାରଜାର ସୁବ୍ରତ କୁମାର ନାଥ, ଧନକଉଡା ବ୍ଲକ ପାଇଁ ଷଣ୍ଢସିଂହାର କିଶୋର ଛତର, ଜମନକିରା ବ୍ଲକ ପାଇଁ ଚିନିମହୁଲର କ୍ଷମାନିଧି ପଧାନ, କୁଚିଣ୍ଡା ବ୍ଲକ ପାଇଁ ସାତକମା ର ସୁବାଷ ଚନ୍ଦ୍ର ନାୟକ, ନାକଟିଦେଉଳ ବ୍ଲକ ପାଇଁ କିସିଣ୍ଡାର ଶଶିଭୂଷଣ ପ୍ରଧାନ, ରେଙ୍ଗାଲି ବ୍ଲକ ପାଇଁ ରମପେଲା ର ରାଜୀବ କୁମାର ମିଶ୍ର, ରେଢ଼ାଖୋଲ ବ୍ଲକ ପାଇଁ ମୋଚିବାହାଲ ର ପ୍ରଣବ ନାରାୟଣ ନାୟକ ଓ ଯୁଯୁମୁରା ବ୍ଲକର ଗୋବିନ୍ଦତୋଲା ର ପଙ୍କଜିନୀ ନାୟକଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ‘ପ୍ରକୃତି ମିତ୍ର’ ପୁରସ୍କାର ଯୁଯୁମୁରା ବ୍ଲକ ପାଇଁ ପତଙ୍ଗ, ଧନକଉଡା ବ୍ଲକ ପାଇଁ ଲାୟନ୍ସ କ୍ଲବ ହିରାକୁଦ ଗ୍ରୀନ, ଜମନକିରା ପାଇଁ ଟିକିଲିପଡା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ରେଙ୍ଗାଲି ବ୍ଲକ ପାଇଁ ନ୍ୟୁ ରମପେଲା ସରକାରୀ ଉଚ୍ଚ ବିଦ୍ୟାଳୟ, କୁଚିଣ୍ଡା ବ୍ଲକ ପାଇଁ ରୁରାଲ ଅର୍ଗନାଇଜେସନ ଫର ପିପୁଲ୍ସ ଏମପାୱାରମେଣ୍ଟ, ବାମରା ବ୍ଲକ ପାଇଁ ବନ ସୁରକ୍ଷା ସମିତି କେଛୁପାଣି, ରେଢ଼ାଖୋଲ ବ୍ଲକ ପାଇଁ ସାନରେଙ୍ଗାଲି ଭିଏସଏସ ଏବଂ ନାକଟିଦେଉଳ ବ୍ଲକ ପାଇଁ ଡଇଁଚାର ପତିତପାବନ ୟୁଥ କ୍ଲବ କୁ ପ୍ରଦାନ କରାଯାଇଛି।

- Advertisement -

ସୁବ୍ରତ କୁମାର ନାଥ, ସମ୍ବଲପୁର
ପେଶାରେ ଇଞ୍ଜିନିୟର ଏବଂ ନିଶାରେ ସମାଜସେବ ଓ ପ୍ରକୃତି ପ୍ରେମୀ ଭାବରେ ସୁଖାତି ଅର୍ଜନ କରିଥିବା ସମ୍ବଲପୁରର ବୁଢ଼ାରଜା ନିବାସୀ ସୁବ୍ରତ କୁମାର ନାଥ ଙ୍କୁ ଗୁରୁବାର ପୂର୍ବାହ୍ନରେ ସମ୍ବଲପୁର ଡିଏଫଓ ଡ. ସଞ୍ଜିତ କୁମାର ‘ପ୍ରକୃତି ବନ୍ଧୁ’ ପୁରସ୍କାର ପ୍ରଦାନ କରିଛନ୍ତି। କୋଭିଡ – ୧୯ କଟକଣା ଯୋଗୁଁ ମାନପତ୍ର ଡିଏଫଓ ଙ୍କ ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟରେ ମାନପତ୍ର ଓ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ପ୍ରକୃତି ପ୍ରେମୀ ସୁବ୍ରତ ଙ୍କ ଛୋଟ ବୟସରୁ ହିଁ ପରିବେଶ ପ୍ରତି ଅହେତୁକ ଦୁର୍ବଳତା ରହିଛି। ସେ ପୂର୍ବରୁ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକବାର ପୁରସ୍କୃତ ହୋଇଛନ୍ତି। ଗତ ଅଗଷ୍ଟ ମାସରେ ୧୦୮ ପାଖୁଡା ବିଶିଷ୍ଟ ବିରଳ ପଦ୍ମଫୁଲ ତାଙ୍କର ବଗିଚାର ଫୁଟିବା ସାରା ପଶ୍ଚିମ ଓଡିଶାର ପ୍ରଥମ। ଏହା ସହିତ ସେ ଚାରାରୋପଣ କାର୍ଯ୍ୟକ୍ରମ ସହିତ ପିକନିକ ସ୍ପଟ ଗୁଡିକର ସଫେଇ ଓ ଅନ୍ୟାନ୍ୟ ସମାଜସେବା କାର୍ଯ୍ୟରେ ନିୟମିତ ଯୋଗଦାନ କରିଥାନ୍ତି। ସୁବ୍ରତଙ୍କୁ ଚଳିତ ବର୍ଷ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

କିଶୋର ଛତର, ଧନକଉଡା
ସମ୍ବଲପୁର ଧନକଉଡା ବ୍ଲକ ଅର୍ନ୍ତଗତ ଷଣ୍ଢାସିଙ୍ଗା ଗ୍ରାମର ନିବାସୀ କିଶୋର ଛତରଙ୍କୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ସରକାରଙ୍କ ତରଫରୁ ୧୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଧନକଉଡା ବ୍ଲକ ତଥା ଷଣ୍ଢାସିଙ୍ଗା ଗ୍ରାମରେ ଖୁସିର ପରିବେଶ ସୃଷ୍ଟି ହେବା ସହିତ କିଶୋରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories