କୋଲ୍ ବ୍ଲକ୍ ସ୍କାମ: ପୂର୍ବ କେନ୍ଦ୍ର ମନ୍ତ୍ରୀ ଦିଲିପଙ୍କୁ ଆଜୀବନ କାରାବାସ ନିମନ୍ତେ ସିବିଆଇର ଅନୁରୋଧ
ଅକ୍ଟୋବର ୨୬ରେ ଦଣ୍ଡାଦେଶ; ଦୋଷୀମାନଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦେଶ
ନୂଆଦିଲ୍ଲୀ: ୧୯୯୯ ମସିହାରେ କୋଇଲା ଖାଦାନ ଆବଣ୍ଟନ ମାମଲାରେ ଅନିୟମିତତା ନିମନ୍ତେ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲିପ ରାୟଙ୍କୁ ଆଜୀବନ କାରାବାସ ପ୍ରଦାନ କରାଯିବା ନିମନ୍ତେ ସ୍ବତନ୍ତ୍ର ଅଦାଲତରେ ଯୁକ୍ତି ବାଢ଼ିଛି ସିବିଆଇ । ଅନ୍ୟପକ୍ଷରେ ଦିଲିପଙ୍କ ଓକିଲ ତାଙ୍କର ବୟସ ଓ ପୂର୍ବର ଉତ୍ତମ ଛବିକୁ ଦୃଷ୍ଟିରେ ରଖି ଦଣ୍ଡ ବିଧାନ କୋହଳ କରିବାକୁ ଅଦାଲତରେ ଅନୁରୋଧ କରିଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସ୍ବତନ୍ତ୍ର ଅଦାଲତର ବିଚାରପତି ଭରତ ପରାଶର ଦଣ୍ଡାଦେଶ ଅକ୍ଟୋବର ୨୬ରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଏହା ସହ ଏହି ମାମଲାରେ ସମସ୍ତ ଦୋଷୀଙ୍କୁ ଆସନ୍ତା ୨୬ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସ୍ୱତନ୍ତ୍ର କୋର୍ଟ ବିଚାରପତି ଭରତ ପରାଶର ନିର୍ଦେଶ ଦେଇଛନ୍ତି । ସମସ୍ତ ପ୍ରକାର କରୋନା ସୁରକ୍ଷା ଗ୍ରହଣ କରି ୨୬ ତାରିଖରେ ଦୋଷୀମାନେ ଅଦାଲତରେ ହାଜର ହେବେ ।
୧୯୯୯ ମସିହାର କୋଇଲା ଦୁର୍ନୀତି ମାମଲାରେ ଦିଲୀପଙ୍କ ସହ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେହିପରି କାଷ୍ଟନ୍ ଟେକନୋଲୋଜି ଲିମିଟେଡ୍, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଏବଂ କାଷ୍ଟନ୍ ମାଇନିଂ ଲିମିଟେଡକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି।
Comments are closed.