www.samajalive.in
Sunday, December 7, 2025
15.1 C
Bhubaneswar

ଆତ୍ମ ନିର୍ଭରଶୀଳ ଭାରତ ନିର୍ମାଣ! ଏଲ୍ଇଡି ବଲବ୍ ତିଆରି କରୁଛନ୍ତି ଯୁବ ଇଞ୍ଜିନିୟର

ନବରଙ୍ଗପୁର : ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭରଶୀଳ ଭାରତ ନିର୍ମାଣ ଆହ୍ୱାନରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ସହ ସ୍ବଦେଶୀ ଉତ୍ପାଦନ ଓ ରୋଜଗାର ସୃଷ୍ଟି ପାଇଁ ଅଣ୍ଟା ଭିଡିଛନ୍ତି ଯୁବପିଢି। ନବରଙ୍ଗପୁର ଭଳି ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଜିଲ୍ଲାରେ ଏହାକୁ ସାକାର କରି ଦେଖାଇଛନ୍ତି ଜଣେ ଯୁବ ଇଞ୍ଜିନିୟରିଂ ଛାତ୍ର। ଘରୋଇ ଉଦ୍ୟୋଗ ମାଧମରେ ବିଭିନ୍ନ ୱାଟର ଏଲ୍ଇଡି ବଲବ୍ ତିଆରିକରି ଯୁବପିଢ଼ିଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ଶୁଭଶଙ୍କର।
ନବରଙ୍ଗପୁର ଜିଲ୍ଲା ଝରିଗୁମ୍ମା ଗାଁରେ ନିଜ ପରିବାର ସହ ବସବାସ କରନ୍ତି ଶୁଭଶଙ୍କର ସାହୁ। ସେ ମେକାନିକାଲ ଵର୍ଗରେ ଇଞ୍ଜିନିୟରିଂ ଡିପ୍ଲୋମା କରିଛନ୍ତି। ହାଇଦ୍ରାବାଦର ଏକ ପ୍ରାଇଭେଟ୍ କମ୍ପାନୀରେ ସେ ଚାକିରୀ ମଧ୍ୟ କରିଆସୁଥିଲେ କିନ୍ତୁ ତାଙ୍କର ନିଶା ଥିଲା କିଛି ନିଆରା। ନିଜେ କିଛି କରି ଦେଖାଇବାର ସ୍ବପ୍ନକୁ ସାକାର କରିବା ପାଇଁ ଚାକିରି ଛାଡ଼ି ଫେରି ଆସିଥିଲେ ନିଜର ଭିଟାମାଟିକୁ, ଆଉ ଆରମ୍ଭ କରିଥିଲେ ଏକ ଛୋଟିଆ ବ୍ୟବସାୟ। ପରବର୍ତ୍ତୀ ସମୟରେ ପ୍ରଧାମନ୍ତ୍ରୀଙ୍କର ଆତ୍ମ ନିର୍ଭରଶୀଳ ଭାରତ ନିର୍ମାଣ ଆହ୍ବାନରେ ଅନୁପ୍ରାଣିତ ହୋଇ ନିଜ ଘରେ ସେ ଆରମ୍ଭ କରିଥିଲେ ଏକ ଅଣୁ ଉଦ୍ୟୋଗ। ନିଜ ଘରେ ସେ ପ୍ରସ୍ତୁତ କରୁଛନ୍ତି ୯ ୱାଟ, ୧୫ ୱାଟ ଏବଂ ଏକ ନୂତନ କୌଶଳରେ ନିର୍ମିତ ଵଲବ୍। ଯାହାକି ବିନା ଇଲେକ୍ଟ୍ରିସିଟିରେ ଇନଭେଟର୍ ଭଳି କାର୍ଯ୍ୟ କରିଥାଏ। ଦିନକୁ ୧୬ ଘଣ୍ଟା ବଲବ୍ ତିଆରିରେ ନିଜକୁ ନିୟୋଜିତ କରୁଥିବାବେଳେ ପ୍ରତିଦିନ ୩୦୦ ରୁ ୪୦୦ ବଲବ୍ ପ୍ରସ୍ତୁତ କରିଥାନ୍ତି ଶୁଭଶଙ୍କର। ବଲବ୍ ପ୍ରସ୍ତୁତ କରିବା ସହ ଏହାର ମାର୍କେଟିଂ କରିବା ପାଇଁ ୪ ଜଣ ଯୁବକଙ୍କୁ ନିୟୋଜିତ କରି ରୋଜଗାର ମଧ୍ୟ ସେ ଯୋଗାଉଛନ୍ତି। ବଜାରରେ ବଲବର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ନିଜ ଘରେ ଆକର୍ଷଣୀୟ ବଲବ୍ ପ୍ରସ୍ତୁତ କରି ବିଦେଶୀ କମ୍ପାନୀ ଦ୍ଵାରା ନିର୍ମିତ ବଲବଠାରୁ ବହୁ କମ୍ ମୂଲ୍ୟରେ ବିକ୍ରି କରିବାର ନିଷ୍ପତ୍ତି ନେଇ ଆରମ୍ଭ କରିଥିଲେ ଏହି ବ୍ୟବସାୟକୁ। ବଲବ୍ ତିଆରି କରିବା ପାଇଁ ଦିଲ୍ଲୀର ଇନୋଟେକ୍ କମ୍ପାନୀ ସହ ଯୋଗାଯୋଗ କରି ଆବଶ୍ୟକୀୟ ସରଞ୍ଜାମ ଆଣି ସେ ଆରମ୍ଭ କରିଥିଲେ ଏଲ୍ଇଡି ବ୍ୟବସାୟ। ଉନ୍ନତ କୌଶଳ ଦ୍ଵାରା ପ୍ରସ୍ତୁତ କରି କମ୍ ମୂଲ୍ୟରେ ବଜାରରେ ବିକ୍ରି କରି ବେଶ୍ ଲାଭବାନ ହେବା କଥା କହିଛନ୍ତି ଶୁଭଶଙ୍କର। ପ୍ରାୟ ଦୁଇ ମାସ ପୂର୍ବରୁ ଏହି ବ୍ୟବସାୟ ଆରମ୍ଭ କରିଥିବାବେଳେ ଇତି ମଧ୍ୟରେ ସେ ଜିଲ୍ଲା ଓ ଜିଲ୍ଲା ବାହାରକୁ ମଧ୍ୟ ନିଜ ଉତ୍ପାଦିତ ବଲବକୁ ବିକ୍ରି କରିବାରେ ସକ୍ଷମ ହୋଇ ପାରିଛନ୍ତି ଏବଂ ସିଧାସଳଖ ବଜାରରେ ଟକ୍କର ଦେଉଛନ୍ତି ବିଦେଶୀ ଏଲ୍ଇଡି କମ୍ପାନୀଗୁଡିକୁ।
ଏଲ୍ଇଡି ବଲବକୁ ନେଇ ଏକ କ୍ଷୁଦ୍ର ଉଦ୍ୟୋଗ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ୪ ଜଣ ଯୁବକଙ୍କୁ ମଧ୍ୟ ରୋଜଗାରକ୍ଷମ କରିପାରିଛନ୍ତି ଶୁଭଶଙ୍କର। ନିଜ ବ୍ୟବସାୟକୁ କେବଳ ଗାଁରେ ସୀମିତ ନରଖି ନିଜ ଉଦ୍ୟୋଗକୁ ଆଗକୁ ବଢ଼ାଇବା ପାଇଁ ଲକ୍ଷ ରଖିଥିବା ଶୁଭଶଙ୍କର ପ୍ରଧାନମନ୍ତ୍ରୀଙ୍କର ଭୋକାଲ ଫର ଲୋକାଲକୁ ନେଇ ବେଶ୍ ଆଶାବାଦୀ ବୋଲି କହିବା ସହ ତାଙ୍କ ଦ୍ଵାରା ପ୍ରସ୍ତୁତ ଏଲ୍ଇଡି ବଲବ୍‌ର ବଜାର ସୁବିଧା ହୋଇପାରିଲେ ସେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବେ ବୋଲି ଆଶାବାଦୀ ଅଛନ୍ତି। ପରିବାରର ସମସ୍ତ ସଦସ୍ୟ ଓ ଗୁରୁଜନଙ୍କ ଆଶୀର୍ବାଦ ଦ୍ଵାରା ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଶୁଭଶଙ୍କର।
ଶିକ୍ଷା କ୍ଷେତ୍ରରେ ଯୋଗ୍ୟତା ଥାଇ ମଧ୍ୟ ଚାକିରି କ୍ଷେତ୍ରରେ ସୁଯୋଗ ନ ମିଳିବା ଦ୍ଵାରା ଅଞ୍ଚଳର ଯୁବକ ଯୁବତୀ ନିଯୁକ୍ତି ନପାଇ ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାବେଳେ ନିଜ ଶିକ୍ଷାକୁ ଉଚିତ୍ ବିନିଯୋଗ କରି ନିଜ ଅଞ୍ଚଳରେ ପ୍ରତିଷ୍ଠିତ ହେବା ଏକ ଗୌରବର ବିଷୟ। ଏଥିପ୍ରତି ସରକାର କିଛି ପ୍ରୋତ୍ସାହନ ପ୍ରଦାନ କଲେ ଏହିଭଳି ଯୁବ ପ୍ରତିଭା ଆଗକୁ ବଢ଼ି କିଛି କରି ଦେଖାଇ ପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories