www.samajalive.in
Monday, December 8, 2025
17.1 C
Bhubaneswar

କରବର ଗ୍ରାମରେ ବନ୍ୟା ପରବର୍ତ୍ତୀ ଦୁର୍ଦଶା:ପାନୀୟଜଳ ସଂକଟରେ, ଚାଲିଛି ଦୂଷିତ ଜଳ ନିଷ୍କାସନ

ବାଙ୍କୀ:ଡମପଡା ବ୍ଲକ ଅନ୍ତର୍ଗତ ଶିମିଳିପୁର ପଞ୍ଚାୟତର କରବର ଗାଁ ପ୍ରାୟ ୩୫୦ ରୁ ଅଧିକ ପରିବାର ଏ ଗାଁରେ ବସବାସ କରନ୍ତି। କୃଷି ଶ୍ରମିକ ଓ ମୁଲମଜୁରୀ କରି ଭାଗ ଚାଷ କରି ଜୀବନ ବଞ୍ଚୁଥିବା ପରିବାର ସଂଖ୍ୟା ବହୁ ଆଗରେ। ମହାନଦୀର କୂଳରେ ଥିବା ଗାଁ ଟି ନଈ ବଢିଲେ ଶାଖା ନଦୀ ରଣନଦୀର ପଛୁଆ ଜଳ ଏବଂ ମହାନଦୀର ପ୍ରଭାବିତ ବନ୍ୟାଜଳରେ ଉବୁଟୁବୁ ହେଉଥିବା ଗାଁ ବିପଦମୁଖୀ ହେଇଯାଉଛି। ପ୍ରତିବର୍ଷ ବନ୍ୟା ଆସିଲେ ପଞ୍ଚାୟତର କରବର ଗାଁ ଓ ଶୁଖୁଆଖଳା ଗାଁ ଅଧିକ ପ୍ରଭାବିତ ହୁଏ ବୋଲି ପ୍ରଶାସନିକ ରେକର୍ଡ ଓ ଗଣମାଧ୍ୟମରେ ଚର୍ଚ୍ଚା ହେବା ସ୍ୱାଭାବିକ ପ୍ରକ୍ରିୟା। ମାତ୍ର ବିଡମ୍ବନାର ବିଷୟ ପ୍ରତିକାର ପାଇଁ ବିଶେଷ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଚଳିତ ବର୍ଷ ବନ୍ୟାଜଳ ଗାଁକୁ ପ୍ରବେଶ କରି ଦୀର୍ଘ ୫ ଦିନ ଧରି ଲୋକଙ୍କୁ ଜଳବନ୍ଦୀ କରିଥିଲା। ୪ ରୁ ୫ ଫୁଟ ପାଣି ବହୁ ପରିବାରଙ୍କ ଘରେ ମାଡିଯିବାରୁ ସ୍ଥାନୀୟ ମହାନଦୀ ବନ୍ଧରେ ବିପଦପୂର୍ଣ୍ଣ ଭାବରେ ଆଶ୍ରୟ ନେଇଥିଲେ। ବନ୍ୟା ଛାଡିବାର ୨ ଦିନ ପରେ ବି ବିପନ୍ନଙ୍କ ଦୁର୍ଦଶା କମି ନାହିଁ। ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଗୁରୁବାର ଠାରୁ ବାଙ୍କୀ ଅଗ୍ନିଶମ ବିଭାଗ ମୋଟର ଲଗାଇ ବୁଡି ରହିଥିବା ଘରୁ ଦୂଷିତ ଜଳ ନିଷ୍କାସନ କରିବାର ବ୍ୟବସ୍ଥା କରିଥିଲେ ମଧ୍ୟ ପଚିଶଢି ଯାଇଥିବା ଦୂଷିତ ଜଳ ଦୁର୍ଗନ୍ଧରେ ଘରେ ରହିବା ସମ୍ଭବ ହୋଇ ନାହିଁ। ପୂର୍ବରୁ ରାସ୍ତା ନିଚା ଥିଲା ବେଳେ ଗାଁରେ ପାଣି ପ୍ରବେଶ କରି ବନ୍ୟା ପରେ ପରେ ଗାଁ ପରିବେଶ ସ୍ୱାଭାବିକ ହେଉଥିବା ପୁରୁଣା ପୁରୁଖା ଲୋକମାନେ କହିଛନ୍ତି।

- Advertisement -

ବାଙ୍କୀ-କଟକ ମୁଖ୍ୟ ରାସ୍ତା ଉଚ୍ଚା ଓ ପ୍ରଶସ୍ତ ହୋଇଗଲା ପରେ ବନ୍ୟା ପରିସ୍ଥିତିରେ ପ୍ରବେଶ ହୋଇଥିବା ବନ୍ୟାଜଳ ନିଷ୍କାସନରେ ବିଳମ୍ବ ଧରୁଛି। ଏ ଦିଗରେ ପ୍ରଶାସନ ଦୃଷ୍ଟି ରଖି ପରିସ୍ଥିତିର ସମାଧାନ ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ଗାଁରେ ଥିବା ନଳକୂଅ,ଖୋଲାକୂଅ ବୁଡିଯିବା ଏବଂ ପାନୀୟଜଳ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେତୁ ଗାଁରେ ପାନୀୟଜଳ ସଂକଟ ବଢିଛି। ଜଳଘେରି ଭିତରେ ଥିବା ପରିବାରର ମହିଳା ମାନେ ପାନୀୟଜଳ ପାଇଁ ୧ କିମି ରାସ୍ତା ଚାଲି ଜଣେ ବ୍ୟକ୍ତିଙ୍କ କୂଅରୁ ପିଇବା ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ପ୍ରଶାସନ ହେଉ ଅବା ଗ୍ରାମ ପାନୀୟଜଳ ଓ ପରିମଳ ବିଭାଗ ଜଳବନ୍ଦୀ ଗ୍ରାମକୁ ପାନୀୟଜଳ ଶୀଘ୍ର ଯୋଗାଇବା ସହ ବିଶୋଧୀକରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories