www.samajalive.in
Thursday, December 11, 2025
27.1 C
Bhubaneswar

ବଗଲା ଧର୍ମଶାଳା ଜମି ଅଧିଗ୍ରହଣ ବେଆଇନ୍: କଂଗ୍ରେସ

ଭୁବନେଶ୍ୱର : ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ସରକାରଙ୍କୁ ବିଶ୍ୱାସ କରି ଜମି ହରାଇଥିବା ପୁରୀର ସମସ୍ତ ବ୍ୟକ୍ତି ଠକାମୀର ଶିକାର ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ବୁଧବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏ ସଂପର୍କରେ ତଥ୍ୟ ପ୍ରମାଣ ସହ ସରକାରୀ ଚଞ୍ଚକତାର ଖୁଲାସା କରିଛନ୍ତି । ଶ୍ରୀମନ୍ଦିର ଚର୍ତୁଃପାଶ୍ୱର୍ରେ ୭୫ ମିଟର ପରିଧି ଭିତରେ ଯେତେ ଜମି ଅଧିଗ୍ରହଣ କରାଯାଇଛି ଏ ସଂପୂର୍ଣ୍ଣ ପ୍ରକରଣ ବେଆଇନ୍ ଏବଂ ଅସିଦ୍ଧ । କାରଣ ଭୂମି ଅଧିଗ୍ରହଣ ପୁନର୍ବାସ ଓ ଥଇଥାନ ଆଇନ୍- ୨୦୧୩ ଅନୁଯାୟୀ ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ କରିନାହିଁ । ଭୂମି ଅଧିଗ୍ରହଣ ଆଇନ୍‌ର ଧାରା ୩୬ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଧାରା ୪ (କ) ରେ ସୋସିଆଲ ଇମ୍ପାକ୍ଟ ଆସେସ୍‌ମେଂଟ ନୋଟିଫିକେସନ ପରେ ଏବଂ ଚୂଡାନ୍ତ ଜମି ଅଧିଗ୍ରହଣ ବିଜ୍ଞପ୍ତି ପୂର୍ବରୁ ସଂପୃକ୍ତ ପ୍ରଭାବିତ ଅଂଚଳରେ ଜମି କିଣାବିକା ହୋଇପାରିବ ନାହିଁ । ଅର୍ଥାତ୍ ଧାରା ୪ (କ)ର ବିଜ୍ଞପ୍ତି ପରେ ଯଦି କୌଣସି ବ୍ୟକ୍ତି ଜମି ବିକ୍ରୀ କରନ୍ତି, ତେବେ ତାହା ଆଇନତଃ ଅସିଦ୍ଧ ଏବଂ ସଂପୃକ୍ତ ବ୍ୟକ୍ତି ପୁନର୍ବାସ ଓ ଥଇଥାନ ଆଇନ୍ ଅନୁଯାୟୀ କୌଣସି କ୍ଷତି ପୂରଣ ପାଇବାକୁ ଯୋଗ୍ୟ ବିବେଚିତ ହେବେନାହିଁ । ସେ ଦୃଷ୍ଟିରୁ ସୁରକ୍ଷା କରିଡର ପ୍ରକଳ୍ପ ପାଇଁ କେବଳ ୪ (କ) ବିଜ୍ଞପ୍ତି ଛଡା ଭୂମି ଅଧିଗ୍ରହଣର ଅନ୍ୟ କୌଣସି ପ୍ରକ୍ରିୟା ଏଯାବତ୍ ହୋଇନାହିଁ । ତେଣୁ ଜିଲ୍ଳା ପ୍ରଶାସନକୁ ଯେଉଁମାନେ ଜମି ହସ୍ତାନ୍ତର କରିଛନ୍ତି ତାହା ବେଆଇନ୍ ବୋଲି କଂଗ୍ରେସ କହିଛି
ଏଥିସହ ବଗଲା ଧର୍ମଶାଳା ଜମି ପ୍ଲଟିଂ ବିବାଦରେ ଜିଲ୍ଲାପାଳଙ୍କ କେଳେଙ୍କାରୀକୁ କଂଗ୍ରେସ ଧରିଛି । ସଫେଇ ଦେବା ବାହାନାରେ ଯେଉଁ ତଥ୍ୟ ଜିଲ୍ଲାପାଳ ଟୁଇଟରରେ ଦେଇଛନ୍ତି ତା’ର ଅସଲ ତଥ୍ୟ କଂଗ୍ରେସ ଲୋକଲୋଚନକୁ ଆଣିବା ପରେ ଏହା ଓଲଟା ଜିଲ୍ଲାପାଳଙ୍କ ପାଇଁ ବୁମେରାଂ ହୋଇଛି । ଜିଲ୍ଲାପାଳଙ୍କ ପକ୍ଷରୁ କୁହାଯାଇଛି ଯେ ପୁରୀ ମ୍ୟୁନିସିପାଲିଟି ପକ୍ଷରୁ ୨୫ ଅକ୍ଟୋବର ୨୦୧୯ରେ ବଗଲା ଧର୍ମଶାଳା ଜମିକୁ ରାଜସ୍ୱ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଅନୁମତି ଦିଆଯାଇଥିଲା । ସେହି ଆଧାରରେ ବଗଲା ଧର୍ମଶାଳା ଜମିକୁ ଆଇନତଃ ରାଜସ୍ୱ ବିଭାଗକୁ ଆସିବା ପରେ କ୍ଷତିଗ୍ରସ୍ତ ଲଜିଂ ମାଲିକମାନଙ୍କୁ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଜିଲ୍ଲାପାଳଙ୍କ ଚଞ୍ଚକତାକୁ ଧରିଛି । ଅସଲରେ ସେହି ଚିଠିରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ଅଭଡା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବଗଲା ଧର୍ମଶାଳା ଜମିକୁ ରାଜସ୍ୱ ବିଭାଗକୁ ଦିଆଯିବ। ଏହି ଚିଠିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖାଯାଇଛି । ସେହି ସର୍ତ୍ତଟି ହେଉଛି -ଜମି ହସ୍ତାନ୍ତର ପୂର୍ବରୁ ସବିଶେଷ ସର୍ତ୍ତାବଳୀ ପ୍ରସ୍ତୁତ କରାଯିବ ଏବଂ ସେହି ଆଧାରରେ ଜମି ହସ୍ତାନ୍ତର କରାଯିବ । ଯେତେବେଳ ସବିଶେଷ ସର୍ତାବଳୀ (ଡିଟେ୍‌ଲ ଟର୍ମସ୍ ଆଣ୍ଡ କଣ୍ଡିସନସ୍‌) ପ୍ରସ୍ତୁତ କରାଯାଇନାହିଁ ଏବଂ ଅଭଡା ଯୋଜନା ବ୍ୟତିରେକ ଅନ୍ୟ କୌଣସି କାର୍ଯ୍ୟରେ ଜମି ବ୍ୟବହାର କରିବାକୁ ଚିଠିରେ ଉଲ୍ଲେଖ କରାଯାଇନାହିଁ, ସେତେବେଳେ ଜିଲ୍ଲାପାଳ ବଲବନ୍ତ ସିଂହ ମହୋଦୟ କେଉଁ ଆଇନ୍ ଓ କ୍ଷମତା ବଳରେ ଦୁଇଟି ମିସ୍‌କେସ୍ ଜରିଆରେ ଜମିର ମାଲିକାନା ସତ୍ୱକୁ ଲଜିଂ ହାଉସିଂ ଫଣ୍ଡରୁ ରାଜସ୍ୱ ବିଭାଗକୁ ହସ୍ତାନ୍ତର କଲେ ତାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ।

ଏ ପ୍ରସଙ୍ଗରେ ସତ୍ୟ ପ୍ରକାଶ ନାୟକ ଚିଠି ନଂ ୮୦୮୮, ତା ୫ ଅକ୍ଟୋବର ୨୦୧୯ ରିଖରେ ପୁରୀ ମ୍ୟୁନିସିପାଲିଟି ପକ୍ଷରୁ ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ଦିଆଯାଇଥିବା ଏକ ଚିଠିର ଉଲ୍ଲେଖ କରିଥିଲେ, ଯେଉଁଥିରେ ବଗଲା ଧର୍ମଶାଳା ଜମି ହସ୍ତାନ୍ତର ବାବଦରେ ସର୍ତ୍ତ ରଖାଯାଇଛି ଯେ ଜମି ଦେବା ପୂର୍ବରୁ ବଗଲା ଧର୍ମଶାଳା ଜମିର ବଜାର ଦର ଏବଂ ଏହା ଉପରେ ଥିବା କୋଠାର ବଜାର ଦର ସହିତ କ୍ଷତିପୂରଣ ଅର୍ଥ ରାଶି ମଧ୍ୟ ପ୍ରଦାନ କରାଯିବ। କିନ୍ତୁ ଆଶ୍ଚର୍ଯ୍ୟର କଥା ଜିଲ୍ଲାପାଳ ନିଜେ ସ୍ପଷ୍ଟୀକରଣ ଦେଇ ସ୍ୱୀକାର କରିଛନ୍ତି ଯେ ସଂପୃକ୍ତ ଜମିକୁ ବଜାର ଦର ବଦଳରେ ବେଞ୍ଚ ମାର୍କ ମୂଲ୍ୟରେ ବିକ୍ରୟ କରିଛନ୍ତି। ଯାହାକି ସର୍ତ୍ତାବଳୀର ଖୋଲାଖୋଲି ଉଲ୍ଲଘନ ଏବଂ ଏଥିଯୋଗୁଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏଥିସହିତ ଜମି ହସ୍ତାନ୍ତର ସଂପର୍କରେ ସର୍ତାବଳୀ ଚିଠିର ନକଲ ୨୪ ଘଣ୍ଟା ଭିତରେ ଜିଲ୍ଲାପାଳ ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଶ୍ରୀ ନାୟକ ଆହ୍ୱାନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଜ୍ଞାନଦେବ ବେଉରା, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories