www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଶାରେ ରହିଛି ୬.୮୪ ଲକ୍ଷ ହେକ୍ଟର ପରିମିତ ବିସ୍ତୃତ ମଧୁର ଜଳଉତ୍ସ, ୮.୧୬ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦିତ 

ଭୁବନେଶ୍ୱର: ଓଡ଼ିଶାର ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ଓଡ଼ିଶାରେ ୬.୮୪ ଲକ୍ଷ ହେକ୍ଟର ପରିମିତ ବିସ୍ତୃତ ମଧୁର ଜଳ ଉତ୍ସ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୮.୧୬ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦିତ ହୋଇଛି। ଓଡ଼ିଶାରେ ଭାରତୀୟ କାର୍ପ ମାଛ ଓ ଅନ୍ୟ ପ୍ରଜାତି ମାଛର ଚାହିଦା ଓ ଉପଯୋଗ ନିରନ୍ତର ବୃଦ୍ଧି ପାଉଛି। ରାଜ୍ୟର ବୃହତ ଓ ମଧ୍ୟମ ଜଳଭଣ୍ଡାର ଗୁଡ଼ିକରେ ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ଏକ ନୀତି ପ୍ରଚଳନ ପୂର୍ବକ
ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରୋତ୍ସାହନ ଦେଉଛନ୍ତି। ବୃହତ ଓ ମଧ୍ୟମ ଜଳଭଣ୍ଡାରର ଜଳଉତ୍ସର ଏକ କ୍ଷୁଦ୍ର ଅଞ୍ଚଳକୁ (୧%) ଏଥିପାଇଁ
ବିନିଯୋଗ କଲେ, ଏହା ଓଡ଼ିଶା ରାଜ୍ୟର ମଧୁରଜଳ ମାଛ ଉତ୍ପାଦନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ରାଜ୍ୟର ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ, ପଞ୍ଜୁରୀ ଭିତରେ ମାଛ ଚାଷ ଏକ ଉନ୍ନତ ଓ ଅଭିନବ ଜ୍ଞାନ କୌଶଳ ଏବଂ ଏହା ପ୍ରଚୁର ମାଛ ଉତ୍ପାଦନ ପାଇଁ ଏକ ଉଜ୍ଜ୍ୱଳ ସମ୍ଭାବନା ସୃଷ୍ଟି କରିବ। ଏହାକୁ ଜଳଭଣ୍ଡାର ମାଛ ଉତ୍ପାଦନ ବୃଦ୍ଧିର ଏକ ଉଜ୍ଜ୍ୱଳ ଭବିଷ୍ୟତ ରୂପେ ବିବେଚନା କରାଯାଇପାରେ। ଏହା ଦ୍ୱାରା ରାଜ୍ୟ, ମାଛର ଆବଶ୍ୟକତା ପୂରଣ କରିବା ସହିତ ସ୍ୱାବଲମ୍ବୀ ହୋଇପାରିବ ଏବଂ ଜଳକୃଷି କ୍ଷେତ୍ରରେ ମତ୍ସ୍ୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହିତ ନୂତନ ନିଯୁକ୍ତି ସୃଷ୍ଟି କରି ପାରିବ। ଏହି ପଞ୍ଜୁରୀ  ଗୁଡ଼ିକ ଜଳଭଣ୍ଡାରରେ ମାଛ ଚାଷ ନିମନ୍ତେ ଏକ ଆବଦ୍ଧ କ୍ଷେତ୍ର ଅଟେ। ସାଧାରଣତଃ ଏହା ଚାରିଦିଗରୁ ଜାଲ ଦ୍ୱାରା ଆବଦ୍ଧ କରାଯାଏ ଏବଂ କେବଳ ଉପରିଭାଗ ଖାଦ୍ୟ ପରିବେଷଣ ଏବଂ ପଞ୍ଜୁରୀସ୍ଥିତ ମାଛ ପରିଚାଳନା ନିମନ୍ତେ ଖୋଲା ରଖାଯାଏ। ଏହି ପଞ୍ଜୁରୀଗୁଡ଼ିକ ଗୋଲାକାର, ବର୍ଗାକାର କିମ୍ବା ଆୟତାକାର ଭଳି ବିଭିନ୍ନ ଆକୃତିର ହୋଇଥାଏ ଏବଂ ଉତ୍ପାଦନ ଦୃଷ୍ଟିରୁ ସବୁଗୁଡ଼ିକ ସମଉପଯୋଗୀ ଅଟେ। ଏହି ପଞ୍ଜୁରୀଗୁଡ଼ିକ ମୁଖ୍ୟତଃ ଚାଷ ପାଇଁ ଉଦ୍ଦିଷ୍ଟ ପ୍ରଜାତି, ସହନଶକ୍ତି, ମୂଲ୍ୟ, ପଦାର୍ଥର ଉପଲବ୍ଧତା, ନିର୍ମାଣ ନିମନ୍ତେ ସୁବିଧା ଓ ସହଜ ସରବରାହକୁ ଲକ୍ଷ୍ୟ ରଖି ପ୍ରସ୍ତୁତ କରାଯାଏ।
ପ୍ରଥମ ଦଫାରେ ଏହି ପଞ୍ଜୁରୀ ଭିତରେ ମାଛ ଚାଷ ନିମନ୍ତେ ହୀରାକୁଦ ଜଳଭଣ୍ଡାରକୁ ୫ଟି ଜୋନ୍ ଏବଂ ୧୦୦ ଗୋଟି ସବଜୋନରେ
ବିଭକ୍ତ କରାଯାଇଛି, ଯେଉଁଥିରେ ପ୍ରାୟ ୨୪୦୦ ଗୋଟି ପଞ୍ଜୁରୀ ସ୍ଥାପନ କରାଯାଇ ପାରିବ। ଏହି ସ୍ଥିରିକୃତ ସବଜୋନଗୁଡ଼ିକ ମୁଖ୍ୟତଃ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ମତ୍ସ୍ୟ ଚାଷୀ, ଘରୋଇ ଉଦ୍ୟୋଗୀ ଏବଂ କମ୍ପାନୀମାନଙ୍କୁ ଲିଜ୍ ସୂତ୍ରରେ ପ୍ରଦାନ କରାଯିବ। ପ୍ରତ୍ୟେକ ସବଜୋନରେ ପଞ୍ଜୁରୀ ନିମନ୍ତେ ୬୦୦ ବର୍ଗ ମିଟର ପରିମିତ ଜଳଭାଗ ରହିବ ଏବଂ ସେଥିରେ ୬ ମିଟର ଲମ୍ବ, ୪ମିଟର ପ୍ରସ୍ଥ ଓ ୪ ମିଟର ଗଭୀରତା ବିଶିଷ୍ଟ ୨୪ ଗୋଟି ଆୟତାକାର ପଞ୍ଜୁରୀ କିମ୍ବା ୧୬ ମିଟର ବ୍ୟାସ ବିଶିଷ୍ଟ ୩ ଗୋଟି ଗୋଲାକାର ପଞ୍ଜୁରୀ ସ୍ଥାପନ କରାଯାଇ ପାରିବ। ପ୍ରତି ଆୟତାକାର ପଞ୍ଜୁରୀରୁ ୩୦୦୦ କି.ଗ୍ରା. ପର୍ଯ୍ୟନ୍ତ ମାଛ ଉତ୍ପାଦନ କରାଯାଇ ପାରିବ। ଏହି ପଞ୍ଜୁରୀ ଗୁଡ଼ିକରେ ଭାକୁର, ରୋହି, ମିରିକାଳି, ଅମୁର କାର୍ପ, ଜଳଙ୍ଗ, ଏକଲିଙ୍ଗ ବିଶିଷ୍ଟ ଗିଫ୍ଟ୍ ଟିଲାପିଆ, ଭେକ୍ଟି, ଖୁରାଣ୍ଟ ଓ ବଟର୍ କ୍ୟାଟ୍ ଫିସ୍ (କଣ୍ଟିଆ) ଇତ୍ୟାଦି ପ୍ରଜାତିର ମାଛ ଚାଷ ନିମନ୍ତେ ଅନୁମତି ପ୍ରଦାନ କରାଯିବ। ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରସ୍ତୁତ ନୀତି ଓ ନିୟମ ସମୁହରେ ଜଳର ଗୁଣବତ୍ତା ରକ୍ଷା, ପଞ୍ଜୁରୀ ପରିଚାଳନା ଓ ମାଛ ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସ୍ୱତନ୍ତ୍ର ସର୍ତ୍ତ ରଖାଯାଇଛି।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମତ୍ସ୍ୟ ନିର୍ଦ୍ଦେଶାଳୟ ମାଧ୍ୟମରେ ଆଗ୍ରହୀ ମତ୍ସ୍ୟଚାଷୀ, ଉଦ୍ୟୋଗୀ ମାନଙ୍କ ଠାରୁ ଦୀର୍ଘମିଆଦି
ଲିଜ୍ ନିମନ୍ତେ (ପ୍ରଥମେ ପାଞ୍ଚ ବର୍ଷ ଓ ପରେ ଅଧିକ ପାଞ୍ଚବର୍ଷ ବୃଦ୍ଧି ସହିତ) “ଗ୍ରହଣଯୋଗ୍ୟ ଅଭିବ୍ୟକ୍ତି ପ୍ରକାଶ” ଆବେଦନ କରାଯାଇଛି। ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ବିଭାଗର ୱେବସ।ଇଟ http://odishafisheries.nic.in,
www.fardodisha.gov.in, www.fishfedodisha.comରେ ଉପଲବ୍ଧ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories