www.samajalive.in
Sunday, December 7, 2025
13.1 C
Bhubaneswar

ବଲାଙ୍ଗିରରେ ଚାଉଳ ଚୋରାଚାଲାଣ

ବଲାଙ୍ଗିର: ପିଡିଏସ, ମାଧ୍ୟାହ୍ନ ଭୋଜନ ପାଇଁ ବଲାଙ୍ଗିର ଜିଲାକୁ ବିଭିନ୍ନ ମିଲରୁ ଆସୁଥିବା ଚାଉଳର ଚୋରାଚାଲାଣ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ। ଏହି ଅଭିଯୋଗକୁ ସବୁବେଳେ ହାଲୁକାରେ ନିଆଯାଇଥାଏ। କିନ୍ତୁ ମିଳିଥିବା ସୂଚନା ଅନୁସାରେ ପ୍ରତି ମାସ ଗୋଦାମକୁ ଆସୁଥିବା ଚାଉଳ ପରିମାଣ କମ ରହୁଥିବା ବେଳେ ଏହାକୁ ବିଭାଗ ଗୋଦାମ କର୍ମଚାରୀ ଓ ଯୋଗାଣ ବିଭାଗ କର୍ମଚାରୀମାନେ ମିଶି ରଫାଦଫା କରୁଥିବା ଅଭିଯୋଗ ହୋଇଛି। କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଲ ଏହିଭଳି ଭାବେ ହେରଫେର ହେଉଥିବା ବେଳେ ଏହାର କୈାଣସି ବିଧିବଦ୍ଧ କାର୍ୟ୍ୟାନୁଷ୍ଠାନ ହେଉ ନ ଥିବାରୁ ଏହି ଦୁର୍ନୀତି ପଦାରେ ପଡୁନଥିବା ଜଣାପଡିଛି।

ବଲାଙ୍ଗିର ଜିଲାରେ ପାଞ୍ଚୋଟି ଗୋଦାମ ରହିଛି। ବଲାଙ୍ଗିର ମାଧିଆପାଲି, ମଲମୁଣ୍ଡା, ଚାରଭଟା, ପାଟଣାଗଡ ଆରଏମସି ଓ କଣ୍ଟାବାଞ୍ଜି ଆରଏମସିରେ ଏହି ଗୋଦାମ ରହିଛି। ମିଲ ମାଲିକମାନେ ଦେଉଥିବା ସବୁ ଚାଉଳ ଏହି ଗୋଦାମରେ ରଖାଯାଇଥାଏ। ପରେ ଏଠାରୁ ବିଭିନ୍ନ ବ୍ଲକର ପିଡିଏସ, ମଧ୍ୟାହ୍ନଭୋଜନ, ଆଇସିଏସ ମାନଙ୍କୁ ଚାଉଳ ଯୋଗାଣ କରାଯାଇଥାଏ। ତେବେ ମିଲଠାରୁ ଗୋଦାମ ପର୍ୟ୍ୟନ୍ତ ଓ ଗୋଦାମରୁ ବିଭିନ୍ନ ବ୍ଲକକୁ ଯିବା ଭିତରେ ବହୁ ପରିମାଣର ଚାଉଳ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଥାଏ। ଚୋରାଚାଲାଣ ହେଉଥିବା ଚାଉଳକୁ ନଷ୍ଟ ହୋଇଥିବ ଦେଖାଇ କର୍ମଚାରୀ ମାନେ ସେହି ଚାଉଳ ହଡପ କରୁଥିବା ଅଭିଯୋଗ ହୋଇଥାଏ। ମିଳିଥିବା ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷ ଏପ୍ରିଲ, ମେ, ଜୁନ ଓ ଜୁଲାଇ ମାସରେ ବଲାଙ୍ଗିର ଜିଲାର ଏହି ପାଞ୍ଚୋଟି ଗୋଦାମ କୁ ପ୍ରାୟ ୭ଲକ୍ଷ୩୮ହଜାର୧୩୮ କ୍ୱିଣ୍ଟାଲ ଚାଉଳ ଆସିଥିଲା। ପୂର୍ବ ବର୍ଷର ୮୨ହଜାର୬୬୬ କ୍ୱିଣ୍ଟାଲ ଚାଉଳ ଗୋଦାମରେ ମହଜୁଦ ରହିଥିଲା। ଗୋଦାମରୁ ୮ଲକ୍ଷ୩୭ ହଜାର ୮୩୨ କ୍ୱିଣ୍ଟାଲ ଚାଉଳ ବିଭିନ୍ନ ଯୋଜନାରେ ବ୍ଲକ ମାନଙ୍କୁ ଯୋଗାଣ ହୋଇଥିଲା। ତେବେ ଏହି ଚାରି ମାସ ଭିତରେ ପ୍ରାୟ ୧୨୫୧ କ୍ୱିଣ୍ଟାଲ କମ ରହିଥିବା ଦର୍ଶାଯାଇଛି। ଅଗଷ୍ଟ ମାସର ଚାଉଳ ଗୋଦାମ କୁ ଆସିନଥିବା ବେଳେ ଏବେବି ବହୁ ପରିମାଣର ଚାଉଳ ଗଚ୍ଚିତ ରହିଛି। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ମଧ୍ୟ ବହୁ ପରିମାଣର ଚାଉଳ କମ ରହିଥିବା ଦର୍ଶାଯାଇଥିଲା। ବିଭାଗୀୟ ରିପୋର୍ଟ ଅନୁସାରେ ଏହି ବର୍ଷ ଗୋଦାମକୁ ବିଭିନ୍ନ ମିଲରୁ ପ୍ରାୟ ୮ଲକ୍ଷ୯୦ହଜାର କ୍ୱିଣ୍ଟାଲ ଚାଉଳ ଆସିଥିଲା। ପୂର୍ବ ବଳକା ଚାଉଳ ମିଶାଇ ଗୋଦାମରେ ରଖାଯାଇଥିଲା। ଏଥିରୁ ପ୍ରାୟ ୧୦ଲକ୍ଷ ୫୮ହଜାର କ୍ୱିଣ୍ଟାଲ ଚାଉଳ ଯୋଗାଣ କରାଯାଇଥିଲା। ଏହି ବର୍ଷ ପ୍ରାୟ ୨୧ ହଜାର କ୍ୱିଣ୍ଟାଲ ଚାଉଳ ସର୍ଟେଜ ରହିଥିବା ଦର୍ଶାଯାଇଥିଲା। ଏନେଇ ବିଭାଗୀୟ ଅଧିକାରୀମାନଙ୍କ କହିବା ଅନୁସାରେ ଚାଉଲ ପରିବହନ, ମହଜୁଦ ସମୟରେ ବହୁ ପରିମାଣର ଚାଉଳ ନଷ୍ଟ ହୋଇଥାଏ। ଯାହାକି ସର୍ଟେଜ ତାଳିକାରେ ଚଢିଥାଏ। କିନ୍ତୁ ଯୋଗାଣ ବିଭାଗର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି ଏହି ଚାଲାଣର ଗୁମର ଖୋଲିଛନ୍ତି। ତାଙ୍କ କହିବା ଅନୁସାରେ ବିଭାଗ କିଛି ପ୍ରତିଶତ ଚାଉଳ କମ ଦେଖାଇବା ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ଏହାର ଦୁର୍ବ୍ୟବହାର କରାଯାଇଥାଏ। ପରିବହନ ସମୟରେ ଟ୍ରକ କର୍ମଚାରୀ ବଦମାସି କରି ଚାଉଲ ଚୋରାଇଥାନ୍ତି। ପରେ ଗୋଦାମ କୁ ଆସିବା ପରେ ଚାଉଳ କର୍ମଚାରୀ ମାନଙ୍କ ସହଯୋଗରେ ଚୋରି ହୋଇଥାଏ। ଏହାକୁ ପରବର୍ତ୍ତୀ ସମୟରେ ଏହି ସର୍ଟେଜ ତାଳିକାରେ ଚଢାଯାଇଥାଏ। ଗୁମର ଫିଟିବା ଭୟରେ ଏନେଇ କୈାଣସି ପ୍ରକାର ଅଭିଯୋଗ କରାନଯାଇ ରଫାଦଫା କରିଦିଆଯାଏ ବୋଲି ସେ କହିଛନ୍ତି। ତେବେ ଜିଲାରେ ଏହି ଗୋଦାମ ମାନଙ୍କରେ ଚାଉଲର ଏକ ବଡ ଧରଣର ଚୋରାଚାଲାଣ କରାଯାଉଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ଏଥିରେ ହାତ ରହିଥାଏ। ଏନେଇ ଜିଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। ତେବେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories