ଟିଟିଲାଗଡ଼: ତତଲାଗଡ ଭାବରେ ପରିଚିତ ଟିଟିଲାଗଡ ବ୍ଲକ ଅଂଚଳରେ ଖରିଫରେ ଧାନ ଫସଲ ନେଇ ଚାଷୀ ପ୍ରମାଦ ଗଣିଲେଣି। କୃଷି ବିଭାଗ ସୂଚନା ମୁତାବକ ଜୁଲାଇରେ ହାରାହାରିରୁ ୫୦ ପ୍ରତିଶତରୁ କମ ବର୍ଷା ରେକର୍ଡ ହୋଇଛି। ଏପରିପ୍ରେକ୍ଷୀରେ ବିଶେଷ କରି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଜେପୁର, ବାଞ୍ଜିପଦର ଗ୍ରାମପଂଚାୟତ ଅଂଚଳରେ ଚାଷ କାର୍ୟ୍ୟ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି।
ଅଦ୍ୟାବଧି ପାଣି ନଥିବା ନେଇ ଋଆ ବିହୁଡା କାର୍ୟ୍ୟ ସରିନାହିଁ। ଶହଶହ ଏକର ବାହାଲ ଜମିରେ ଚାଷୀ ଧାନ ପହ୍ଲା ରୋପଣ କରିପାରିନାହିଁ। ଯେଉଁଠି ଋଆ ହୋଇଛି ସେଇଠି ଜମି ଫାଟି ଆଁ କଲାଣି। ଚକଡା ଚକଡା ହୋଇ ମାଟି ବାହାରି ଯାଇଥିବାରୁ ଋଆ ଧାନ କିଭଳି ବଂଚିବ ସେ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି। ଧାନ ଗଛ ଟାଣ ଖରାରେ ଦରମରା ହେଲାଣି। ରୋଇବା ପାଇଁ ପକାଯାଇଥିବା ପହ୍ଲା ଦବିଯାଇଛି। ଜମି ଟାଣ ଯୋଗୁଁ ପହ୍ଲା ଗଛ ଓପାଡି ହେଉନାହିଁ। ଥଳକୁଳ ପାଉନଥିବା ବ୍ଲକର ବୃହତ ମାଥନପଲା ଡ୍ୟାମ ତଳି ଅଂଚଳର ଏଭଳି ଅବସ୍ଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କେନାଲର ସ୍ଥିତି ଦେଖିଲେ ଚାଷୀଙ୍କ ପ୍ରତି ସରକାର କିଭଳି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି ତାହା ସ୍ପଷ୍ଟ ବାରି ହୋଇପଡୁଛି। କେବଲ ମେନ କେନାଲର କିଛି ଅଂଶକୁ ବାଦ ଦେଲେ କୋଉଠି ମଧ୍ୟ କେନାଲର ଲାଇନିଂ କରାଯାଇନାହିଁ। ଘାସଲଟା, ବୁଦା, ମାଟି, କାଦୁଅରେ କେନାଲ ପଡିଆ ଭଳି ଦୃଶ୍ୟମାନ ହେଉଛି। କେନାଲର ଦୁଇ କଡ ସିମେନ୍ଟ କଂକ୍ରିଟ କରାଗଲେ ଡ୍ୟାମରୁ ପାଣି ଚାଷୀଙ୍କ କ୍ଷେତକୁ ପହଂଚିପାରିବ। ହେଲେ ସରକାରି କଳ ଏନେଇ ନିଦାବିଷ୍ଣୁ ସାଜି ବସିଛି। ଚାଷୀଙ୍କ ସ୍ୱାର୍ଥ କଥା କହି ନିର୍ବାଚନ ସମୟରେ ରଣ ହୁଂକାର ଛାଡୁଥିବା ଶାସକ ତଥା ବିରୋଧି ନିକଟ ଅତିତରେ ଆଉ ନିର୍ବାଚନ ନଥିବାରୁ ଧରାଛୁଆଁ ଦେଉନଥିବା ଚାଷୀ ଅଭିଯୋଗ କରିଛନ୍ତି। ଏନେଇ ଡ୍ୟାମ ତଥା କେନାଲ ସୁବ୍ୟବସ୍ଥା ପାଇଁ ଟଙ୍କା ଖର୍ଚ୍ଚ କରୁଥିବା କହୁଥିବା ଅଧିକାରୀ, ଯନ୍ତ୍ରୀ ମଧ୍ୟ ଲୁଚି ଯାଇଛନ୍ତି। ମହାମାରି ନେଇ ଗ୍ରାମାଂଚଳର ଶ୍ରମିକ ଚାଷୀ ପରିବାର ଦୀର୍ଘ ଦିନ ଧରି ବେକାର ବସିଥିବା ବେଳେ ଖରିଫରେ କିଛି ଅମଳ କରିବେ ବୋଲି ଆଶା ବାନ୍ଧିଥିଲେ। ଅନେକ ପ୍ରବାସୀ ଶ୍ରମିକ ମଧ୍ୟ ଗ୍ରାମାଂଚଳକୁ ଫେରିଛନ୍ତି। ଅନେକ ଚାଷୀ ପରିବାର ବ୍ୟାଙ୍କ ତଥା ସାହୁକାରଙ୍କ ଠାରୁ ଋଣ କରି ଚାଷ କାମ କରୁଛନ୍ତି। ଏପରିପ୍ରେକ୍ଷୀରେ ଗ୍ରାମାଂଚଳର ମୁଖ୍ୟ ଜୀବିକା ଚାଷ କାମକୁ ସରକାରି ଅବହେଲା ତଲିତଲାନ୍ତ କରିବା ଏକ ବିରାଟ ବିପଦ ଆଡକୁ ଟାଣି ନେଇଛି ବୋଲି ଆଲୋଚନା ହୋଇଛି। ଆଗକୁ ବର୍ଷା ନହେଲେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବରିଷ୍ଠ ଚାଷୀ ପିତାମ୍ବର ବେହେରା ଆଶଙ୍କା ପ୍ରକାଶ କରିଛନ୍ତି।
ଏପରିପ୍ରେକ୍ଷୀରେ ରାଜ୍ୟ ସରକାର ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି।



