www.samajalive.in
Monday, December 8, 2025
27.1 C
Bhubaneswar

ମିଳୁନାହିଁ ସିଗନାଲ: ଅନଲାଇନ ପାଠ ପଢ଼ିବାକୁ ପାଣିଟାଙ୍କି ଉପରେ ଚଢ଼ୁଛନ୍ତି ଛାତ୍ରଛାତ୍ରୀ

ନାକଟିଦେଉଳ(ସନ୍ତୋଷ କୁମାର ସାହୁ): ବିଶ୍ୱ ମହାମାରୀ କରୋନା ପରିସ୍ଥିତିରେ ସମଗ୍ର ଦେଶ ସମେତ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଛି। ମାସ ମାସ ଧରି ପାଠପଢାରେ ଗୁରୁତର ବ୍ୟାହତ ହେବାରୁ ବର୍ତ୍ତମାନ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ କଲେଜଗୁଡ଼ିକ ପକ୍ଷରୁ ପିଲାମାନଙ୍କୁ ଅନ୍‌ଲାଇନରେ ପାଠପଢା ବ୍ୟବସ୍ଥା କରାଯାଇଛି। ହେଲେ ଦୁର୍ଗମ ଅଞ୍ଚଳରେ ଏହି ବ୍ୟବସ୍ଥା କାର୍ଯ୍ୟ କରିପାରୁନାହିଁ। ଯେଉଁଠି ମୋବାଇଲ ଟାୱାର ଅଛି ସେଠାରେ ନେଟୱାର୍କ ନାହିଁ। ଯଦ୍ୱାରା ଏପରି ପରିସ୍ଥିତିରେ ଗ୍ରାମାଞ୍ଚଳ ପିଲାଏ ଅନଲାଇନରେ ପାଠ ପଢିବା କଷ୍ଟକର ବ୍ୟାପାର ହୋଇଛି। ବର୍ତ୍ତମାନ ପରିସ୍ଥିତିରେ ଅନଲାଇନ ପାଠପଢାରେ ସାହାରା ସାଜିଛି ମୋବାଇଲ। କିନ୍ତୁ ସମ୍ବଲପୁର ଜିଲାର ନାକଟିଦେଉଳ ବ୍ଲକ ଅଞ୍ଚଳରେ ଏମିତି କିଛି ଦୁର୍ଗମ ତଥା ଅପହଞ୍ଚ ଗ୍ରାମ ରହିଛି ଯେଉଁଠି ମୋବାଇଲ ନେଟୱାର୍କ ସାତ ସପନ। ପାଖରେ ମୋବାଇଲ ଟାୱାର ଥିଲେ ମଧ୍ୟ ନେଟୱାର୍କ ମିଳୁନି। ଏଭଳି ସ୍ଥିତିରେ ଅନଲାଇନ ପାଠ ପଢାରେ ବାଧକ ସାଜିଛି ମୋବାଇଲ ସେବା।


ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ନାକଟୀଦେଉଳ ବ୍ଲକ ଅନ୍ତର୍ଗତ ଘୋଷରାମାଳ ଗ୍ରାମ ପଞ୍ଚାୟତର ଲାଣ୍ଡିମାଳ ଗ୍ରାମରେ। ଏଠାରେ ଗ୍ରାମର ଛାତ୍ରଛାତ୍ରୀ ମାନେ ଜୀବନକୁ ବାଜି ଲଗାଇ ନେଟୱାର୍କ ପାଇଁ ପାଣିଟାଙ୍କି ଏବଂ ଗଛ ଉପରକୁ ଚଢ଼ି ପାଠ ପଢୁଛନ୍ତି। ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ସଦର ମହକୁମାଠାରୁ ପ୍ରାୟ ୨୫ କିମି ଦୂରରେ ରହିଛି ଲାଣ୍ଡିମାଳ ଗ୍ରାମ। କେବଳ ଲାଣ୍ଡିମାଳ ନୁହେଁ ସାରା ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମରେ ମୋବାଇଲ ସେବା ଅପହଞ୍ଚ। ଏହି ପଞ୍ଚାୟତର ଜନସଂଖ୍ୟା ପାଖାପାଖି ୬ ହଜାର ୮ଶହ ଥିବାବେଳେ ଅଧିକାଂଶ ଲୋକ ଆଦିବାସୀ ଏବଂ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପାଖରେ ସ୍ମାର୍ଟ ଫୋନ ମଧ୍ୟ ନାହିଁ । ଏହି ପଞ୍ଚାୟତର ଲାଣ୍ଡିମାଳ ଗ୍ରାମରେ ସରକାରଙ୍କ ମାଓବାଦୀ ମୁକାବିଲା ପାଣ୍ଠିରୁ ଗତ ୨୦୧୪ ମସିହାରେ ବିଏସଏନଏଲ କମ୍ପାନୀର ଏକ ମୋବାଇଲ ଟାୱାର ସ୍ଥାପନ କରାଯାଇଥିଲା। ତେବେ ନେଟୱାର୍କ ସବୁସମୟରେ ଉପଲବ୍ଧ ହେଉ ନଥିବାରୁ ଗ୍ରାମବାସୀ ଏଠାରେ ୪-ଜି ନେଟୱାର୍କ ଯୋଗାଇ ଦେବାକୁ ଦାବିକରି ଗତ ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ, ବିଏସଏନଏଲର ଜିଏମ୍‌ଟିଡି, ସମ୍ବଲପୁର ଜିଲାପାଳ ଏବଂ ରେଢାଖୋଲ ଉପଜିଲାପାଳଙ୍କୁ ପତ୍ର ଦେଇଥିଲେ। ତେବେ ଆଜିଯାଏଁ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ।
ଅନ୍‌ଲାଇନରେ ପାଠ ପଢିବାକୁ ଛାତ୍ରଛାତ୍ରୀ ମାନେ ନିଜ ଜୀବନକୁ ବାଜି ଲଗାଇ ଗଛ ଏବଂ ପାଣିଟାଙ୍କି ଉପରକୁ ଚଢୁଥିବା ଦେଖିବାକୁ ମିଳୁଛି। ଗ୍ରାମର ପ୍ରବେଶ ପଥରେ ନୂତନ ଭାବେ ନିର୍ମିତ ହୋଇଥିବା ପ୍ରାୟ ଦେଢଶହ ଫୁଟ ଉଚ୍ଚତାକୁ ଚଢି ପିଲାମାନେ ଅନଲାଇନରେ ପାଠ ପଢୁଥିବାବେଳେ କେତେବେଳେ ଗ୍ରାମର ମଝିରେ ଥିବା ଏକ ମହୁଲ ଗଛ ଉପରକୁ ଚଢି ପାଠ ପଢୁଛନ୍ତି। ଏହି ଗ୍ରାମରେ ଏକାଧିକ ଛାତ୍ରଛାତ୍ରୀ ଯୁକ୍ତ-୨, ଯୁକ୍ତ-୩ ଏବଂ ସିଟି ପଢୁଛନ୍ତି। ଅନ୍ୟପକ୍ଷରେ ଗ୍ରାମରେ ଥିବା ଏକ ମାତ୍ର ବିଏସଏନଏଲ ମୋବାଇଲ ଟାୱାରରୁ ଏକକାଳୀନ ୩୦ଟିରୁ ଅଧିକ ମୋବାଇଲ ଚାଲୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କରୋନା ପାଇଁ ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ସରକାର ଘୋଷଣା କରୁଛନ୍ତି। ହେଲେ ଘର ଭିତରେ ନେଟୱାର୍କ ଆସୁ ନଥିବାରୁ ପାଣିଟାଙ୍କି ଏବଂ ଗଛ ଉପରକୁ ଚଢି ସେମାନଙ୍କୁ ପାଠପଢିବାକୁ ପଡ଼ୁଛି ବୋଲି ଗ୍ରାମର ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories