ବିପନ୍ନ ଭବିଷ୍ୟତ ; ସରକାର ତତ୍କାଳ ପଦକ୍ଷେପ ନିଅନ୍ତୁ
କୋଭିଡ୍-୧୯ ମହାମାରୀ ଯୋଗୁଁ ଜୀବନ, ଜୀବିକା, ଅର୍ଥନୀତି ପରେ ଆଉ ଯେଉଁ କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି, ତାହା ହେଉଛି ଶିକ୍ଷା ବ୍ୟବସ୍ଥା। ଭାରତରେ ଦୁର୍ଗମ ରାସ୍ତାଘାଟ, ଅତ୍ୟାବଶ୍ୟକ ଭିତ୍ତିଭୂମି ଓ ଶିକ୍ଷକ ସମ୍ବଳ ଅଭାବରେ ପ୍ରଭାବିତ ଶିକ୍ଷା ବ୍ୟବସ୍ଥାର ସମସ୍ୟାକୁ ଲକ୍ଡାଉନ୍ ପରିସ୍ଥିତି ଆହୁରି ଉତ୍କଟ କରିଛି। ଦଶମ ଓ ଦ୍ୱାଦଶ ଶ୍ରେଣୀର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ବାତିଲ୍ ହୋଇଯାଇଛି, ମୂଲ୍ୟାୟନ ବାଧାପ୍ରାପ୍ତ ହୋଇଛି, ପ୍ରବେଶିକା ପରୀକ୍ଷା ଘୁଞ୍ଚ ଘୁଞ୍ଚି ଚାଲିଛି। ଆସନ୍ତା ଶିକ୍ଷାବର୍ଷର ପାଠ୍ୟକ୍ରମକୁ ଚଳାଇ ନେବା ପାଇଁ ଅନ୍ଲାଇନ୍ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇଛି, କିନ୍ତୁ ତାହା କେବଳ ଘରୋଇ ଓ ସୂଚନା ପ୍ରଯୁକ୍ତି ସାଧନ ସମ୍ପନ୍ନ ଶିକ୍ଷାନୁଷ୍ଠାନ ଓ ଇଣ୍ଟରନେଟ୍ ସୁବିଧା ଥିବା ସହରାଞ୍ଚଳରେ ସୀମିତ ରହିଯାଇଛି। ଦେଶର ଅଧିକାଂଶ ପିଲା ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଦେଶର ଭବିଷ୍ୟତ ରୂପେ କଳ୍ପିତ ପ୍ରାଥମିକ ବିଦ୍ୟାଦଳୟର କୋଟି କୋଟି ଶିଶୁ।
ୟୁନିସେଫ୍ର ରିପୋର୍ଟ ଅନୁଯାୟୀ ଲକ୍ଡାଉନ୍ ଯୋଗୁଁ ଭାରତରେ ପ୍ରାୟ ୨୪ କୋଟି ୭୦ ଲକ୍ଷ ପ୍ରାଥମିକ ଶ୍ରେଣୀରେ ପଢ଼ୁଥିବା ପିଲା ଏବଂ ପ୍ରାୟ ୨ କୋଟି ୮୦ ଲକ୍ଷ ଅଙ୍ଗନବାଡ଼ିକୁ ଯାଉଥିବା ଶିଶୁଙ୍କ ଶିକ୍ଷା ଆହରଣ ପ୍ରକ୍ରିୟା ଗୁରୁତର ପ୍ରଭାବିତ ହୋଇଛି। କୋଭିଡ୍-୧୯ ସଂକ୍ରମଣ ପୂର୍ବରୁ ପାଠ ଛାଡ଼ିଥିବା ପିଲାଙ୍କୁ ମିଶାଇଲେ ଏହି ସଂଖ୍ୟା ଆହୁରି ଅଧିକ ହେବ। ବିଶେଷକରି ଗ୍ରାମୀଣ ଭାରତରେ ଝିଅ ପିଲାମାନଙ୍କ ପାଠପଢ଼ା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏହାଦ୍ୱାରା ଭାରତରେ ସାମାଜିକ ବୈଷମ୍ୟ ଉତ୍କଟ ହେବ ବୋଲି ୟୁନିସେଫ୍ ସତର୍କ କରାଇ ଦେଇଛି। ପାଠ୍ୟକ୍ରମ ଜାରି ରଖିବା ପାଇଁ ଭାରତର କେନ୍ଦ୍ର ଓ ରାଜ୍ୟସରକାରମାନେ ଇଣ୍ଟରନେଟ୍, ରେଡିଓ, ଟିଭି ଜରିଆରେ ନେଇଥିବା ପଦକ୍ଷେପକୁ ୟୁନିସେଫ୍ ରିପୋର୍ଟରେ ପ୍ରଶଂସା କରିଥିଲେ ମଧ୍ୟ ଏହି ସୁବିଧା କେବଳ ଦେଶର ୨୪% ପରିବାର ପାଖରେ ପହଞ୍ଚିପାରିଛି ବୋଲି ସେଥିରେ ଉଲ୍ଲେଖ ଅଛି। ତେଣୁ କୋଭିଡ୍-୧୯ ସହର-ଗ୍ରାମାଞ୍ଚଳ ଏବଂ ପୁଅ-ଝିଅ ମଧ୍ୟରେ ଥିବା ଦୂରତାକୁ ଆହୁରି ପ୍ରଶସ୍ତ କରିଛି।
ରିପୋର୍ଟରେ ଯେଉଁ ଦିଗ ପ୍ରତି ଗଭୀର ଉଦ୍ବେଗ ପ୍ରକାଶ ପାଇଛି ତାହା ହେଉଛି ଶିଶୁ ନିର୍ଯାତନା। ଲକ୍ଡାଉନ୍ ଯୋଗୁଁ ଶିଶୁ ନିର୍ଯାତନା, ବାଲ୍ୟ ବିବାହ, ଶିଶୁ ଶ୍ରମିକ ପରି ସାମାଜିକ ସମସ୍ୟା ବୃଦ୍ଧି ପାଇଛି। ଚାଇଲ୍ଡଲାଇନ୍ର ଅଭିଯୋଗ ସଂଖ୍ୟାରେ ବୃଦ୍ଧି ଘଟିଛି। ଶିଶୁମାନଙ୍କ ପୁଷ୍ଟିହୀନତା ଓ ଟିକାକରଣ କାର୍ଯ୍ୟକ୍ରମ ଗୁରୁତର ବାଧାପ୍ରାପ୍ତ ହୋଇଥିବାରୁ ଆଗାମୀ ୬ ମାସ ମଧ୍ୟରେ ପ୍ରାୟ ୩ ଲକ୍ଷ ଶିଶୁ ମୃତ୍ୟୁ ମୁଖରେ ପଡ଼ିବା ନିଶ୍ଚିତ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି।
ଅନିଶ୍ଚିତ ଭବିଷ୍ୟତକୁ ସାମ୍ନା କରୁଥିବା ଦେଶର ଏହି କୋମଳମତି ଭବିଷ୍ୟତମାନଙ୍କର ସ୍ବପ୍ନକୁ ସାକାର କରିବାକୁ ହେଲେ କେନ୍ଦ୍ର ଓ ରାଜ୍ୟସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରି ତଦନୁଯାୟୀ ବଜେଟ୍ ବ୍ୟବସ୍ଥା କରିବାକୁ ପଡ଼ିବ। ହୁଏତ ଆଉ କିଛି ବର୍ଷ ପରେ ପଛକୁ ଫେରିଚାହିଁଲା ବେଳକୁ ପଶ୍ଚାତ୍ତାପ ହିଁ ସାର ହେବ। ଶିଶୁଙ୍କ ଭବିଷ୍ୟତ ହିଁ ଦେଶର ଭବିଷ୍ୟତ। ଏକ ସୁସ୍ଥ, ସମୃଦ୍ଧ ଓ ଦକ୍ଷ ଭାରତ ଗଠନ ପାଇଁ ବର୍ତ୍ତମାନ ହିଁ କାର୍ଯ୍ୟ କରିବାର ପ୍ରକୃଷ୍ଟ ସମୟ।
Comments are closed.