www.samajalive.in
Tuesday, December 9, 2025
16.1 C
Bhubaneswar

ଚୀନ୍‍ ଆପ୍‍ ନିଷିଦ୍ଧ ; ହାତ ଆଉ ଭାତରେ ମାରିବାର ପ୍ରକୃଷ୍ଟ ସମୟ

ଓଡ଼ିଆରେ ପ୍ରଚଳିତ ରୂଢ଼ି ‘ହାତରେ ନ ମାରି ଭାତରେ ମାରିବା’ର ପ୍ରୟୋଗ ଚୀନ୍‍ ବିରୋଧରେ ଆରମ୍ଭ ହୋଇସାରିଛି। ଭାରତ ସରକାର ଏ ଦିଗରେ ସମୟୋଚିତ ପଦକ୍ଷେପ ନେଇଛନ୍ତି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ୍‍ର ଧାରା ୬୯କ ଆଧାରର ଚୀନ୍‍ ପ୍ରଯୁକ୍ତି ବିଦ୍ୟା କମ୍ପାନୀ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ ଟିକ୍‍ଟକ୍‍ ସମେତ ୫୯ଟି ମୋବାଇଲ୍‍ ଆପ୍‍କୁ ଭାରତରେ ନିଷିଦ୍ଧ କରାଯାଇଛି। ଏହାପୂର୍ବରୁ ଚୀନ୍‍ ସଂସ୍ଥା ଦ୍ୱାରା ଭାରତରେ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ଉପରେ ଭାରତ ସରକାର କଟକଣା ଜାରି କରିଛନ୍ତି।

ଭାରତ ସମେତ ବିଶ୍ୱର ଖାଉଟି ବଜାର, ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା ବଜାରରୁ ଚୀନ୍‍ ପ୍ରଭୂତ ଆୟ କରୁଛି। ଟିକ୍‍ଟକ୍‍, ଭିଗୋ ଭିଡିଓ, ୟୁସି ବ୍ରାଉଜର, ଶେୟାର ଇଟ୍‍, ଜେଣ୍ଡର, କ୍ଲିନ୍‍ ମାଷ୍ଟର ଭଳି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବା ଆପ୍‍ ଜରିଆରେ ଚୀନ୍‍ ସମଗ୍ର ବିଶ୍ୱରେ ଉପଭୋକ୍ତାଙ୍କ ମୋବାଇଲ୍‍ ଫୋନ୍‍ ପ୍ଲାଟଫର୍ମରେ ଆଧିପତ୍ୟ ବିସ୍ତାର କରିଛି। କୋଭିଡ୍‍-୧୯ ସଂକ୍ରମଣରୁ ବର୍ତ୍ତିବା ପାଇଁ ସମଗ୍ର ବିଶ୍ୱ ଲକ୍‍ଡାଉନ୍‍ରେ ଥିବାବେଳେ ଉପରୋକ୍ତ ଲୋକପ୍ରିୟ ମୋବାଇଲ୍‍ ଆପ୍‍ରୁ ଚୀନ୍‍ ପ୍ରଚୁର ଆୟ କରିଚାଲିଥିଲା। ଏହି ସମୟର ବ୍ୟାବସାୟିକ ଓ ଉତ୍ପାଦନଜନିତ ଆର୍ଥିକ କ୍ଷତିକୁ ଚୀନ୍‍ ଏହି ବାଟରେ ଭରଣା କରିପାରିଥିଲା।

- Advertisement -

ଭାରତର ନିଷେଧାଜ୍ଞା ପରେ ଚୀନ୍‍ ସ୍ୱାଭାବିକ ଭାବରେ ପ୍ରତିକ୍ରିୟାଶୀଳ ହୋଇଛି। ଚୀନ୍‍ କମ୍ପାନୀ ଆନ୍ତର୍ଜାତିକ ମାନଦଣ୍ଡ ଓ ନୀତିନିୟମକୁ ମାନି ଚଳୁଥିବାରୁ ଭାରତ ସରକାରଙ୍କ ପଦକ୍ଷେପ ଠିକ୍‍ ନୁହେଁ ବୋଲି ଚୀନ୍‍ର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆନ୍ତର୍ଜାତିକ ନୀତିନିୟମକୁ ଚୀନ୍‍ କେତେ ସମ୍ମାନ ଦେଉଛି ତାହା ଆଉ ବିଶ୍ୱବାସୀଙ୍କ ଆଗରେ ଅଛପା ନୁହେଁ। ଲଦାଖ୍‍ ସୀମାନ୍ତରେ ତା’ର ଏବେ ଜୀବନ୍ତ ଉଦାହରଣ ଦେଖିବାକୁ ମିଳୁଛି। ତେଣୁ ଚୀନ୍‍ର କଥାରେ ଭଳି ଯିବା ଭଳି ପରିସ୍ଥିତି ଏବେ ଆଉ ନାହିଁ। ଏତଦ୍‍ବ୍ୟତୀତ ଚୀନ୍‍ ମୋବାଇଲ୍‍ ଆପ୍‍ ଜରିଆରେ ସମଗ୍ର ବିଶ୍ୱରେ ଗୁଇନ୍ଦାଗିରି କରୁଥିବା ଓ ତଥ୍ୟ ଚୋରାଇ ନେଉଥିବା ସପ୍ରମାଣ ଅଭିଯୋଗର ସଂଖ୍ୟା ବଢ଼ିଚାଲିଛି।

ଲଦାଖ୍‍ ସଂଘର୍ଷ ପରିପ୍ରେକ୍ଷୀରେ ଚୀନ୍‍ ସାମଗ୍ରୀ, ଚୀନ୍‍ ପୁଞ୍ଜି ସହିତ ଚୀନ୍‍ ଆପ୍‍କୁ ନିଷେଧ କରି ସୀମାନ୍ତରେ ଜୀବନକୁ ବାଜି ଲଗାଇ ଦେଶସେବାରେ ନିୟୋଜିତ ସୈନ୍ୟବାହିନୀକୁ ନୈତିକ ସମର୍ଥନ ଦେବାକୁ ଭାରତବାସୀଙ୍କ ତରଫରୁ ଦାବି ହେଉଥିଲା। କେନ୍ଦ୍ର ସରକାର ଯଥା ସମୟରେ ଏହି ଦାବିକୁ ଗ୍ରହଣ କରି ଉଚିତ ପଦକ୍ଷେପ ନେଇଛନ୍ତି। ଏହାପରେ ଚୀନ୍‍ ଆହୁରି ଉତ୍‍କ୍ଷିପ୍ତ ହୋଇ ସୀମାନ୍ତରେ ଉତ୍ପାତ ବଢ଼ାଇବ। ତେଣୁ ସେଠାରେ ଭାରତୀୟ ସୈନିକ ଉଚିତ୍‍ ଜବାବ ଦେବାକୁ ପ୍ରସ୍ତୁତ ହୋଇସାରିଛନ୍ତି। ଏବେ ଚୀନ୍‍କୁ ହାତରେ ଆଉ ଭାତରେ ମାରିବାକୁ ଭାରତ ପ୍ରସ୍ତୁତ ଏବଂ ଏହା ହିଁ ପ୍ରକୃଷ୍ଟ ସମୟ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories